୬.୫ ପ୍ରତିଶତକୁ ଖସିବ ଅଭିବୃଦ୍ଧି, ସିଏସ୍‌ଓର ଆକଳନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ(୨୦୧୭-୧୮)ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୫ ପ୍ରତିଶତ ସ୍ତରକୁ ଖସିଯିବ। ୨୦୧୬-୧୭ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ରହିଥିବାବେଳେ ଚଳିତବର୍ଷର ଅଭିବୃଦ୍ଧି ଏହାଠାରୁ ୦.୬ ପ୍ରତିଶତ କମ୍‌ ରହିବ ବୋଲି କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ପକ୍ଷରୁ ଆଜି ଆକଳନ କରାଯାଇଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ହିସାବ କରାଯାଇ ଥିବାବେଳେ ଏହା ଆହୁରି କମିଯିବ ବୋଲି ସିଏସ୍‌ଓର ଆକଳନ ଉଭୟ ସରକାର ଓ ଅର୍ଥନୀତିଜ୍ଞ ମାନଙ୍କୁ ଚିନ୍ତାରେ ପକାଇଛି।

ଅର୍ଥନୈତିକ ଅଗ୍ରଗତିର ପରିମାପକ ଭାବେ ପରିଚିତ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଏହା ଗତ ୪ ବର୍ଷ ମଧ୍ୟରେ ସବୁଠୁ ତଳକୁ ଚାଲିଯିବ। ଗତ ଆର୍ଥିକ ବର୍ଷରେ ସରକାର ଗ୍ରହଣ କରିଥିବା ବିମୁଦ୍ରାକରଣ ଏବଂ ଚଳିତ ଆର୍ଥିକ ବର୍ଷର ଜୁଲାଇରେ କାର୍ଯ୍ୟକାରୀ ହୋଇଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ପ୍ରତିକୂଳ ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିଥିବା କୁହାଯାଉଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ଜିଭିଏ( ଗ୍ରସ ଭାଲ୍ୟୁ ଆଡେଡ୍‌) ୬.୧ ପ୍ରତିଶତକୁ କମିଯିବ ବୋଲି ସିଏସ୍‌ଓ ଆକଳନ କରିଛି। ଗତ ଆର୍ଥିକ ବର୍ଷରେ ଏହା ୬.୫ ପ୍ରତିଶତ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ, ଜିଡିପିରୁ ନିଟ୍‌ ଟିକସକୁ ବାଦ୍‌ ଦେଲେ ଯେଉଁ ରାଶି ମିଳେ ତାହାକୁ ଜିଭିଏ କୁହାଯାଇଥାଏ। ଅର୍ଥନୀତିର ଅଭିବୃଦ୍ଧିକୁ ମାପିବା ପାଇଁ ଜିଡିପି ତୁଳନାରେ ଜିଭିଏକୁ ସମ୍ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ଉଭୟ ଜିଡିପି ଏବଂ ଜିଭିଏ ହ୍ରାସ ପାଇବ ବୋଲି ଆକଳନ ଦ୍ୱାରା ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିବା ଚିତ୍ର ସ୍ପଷ୍ଟ ହୋଇଯାଇଛି।

ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ୍‌ ଆସନ୍ତା ମାସ ୧ ତାରିଖରେ ଆଗତ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସିଏସ୍‌ଓର ଜିଡିପି ତଥ୍ୟ ସରକାରଙ୍କୁ ଅଧିକ ଚିନ୍ତିତ କରିବା ସ୍ୱାଭାବିକ। ମାନ୍ଦାବସ୍ଥାକୁ ପ୍ରତିହତ କରିବା ଲାଗି ବଜେଟ୍‌ରେ ଏ ନେଇ ପ୍ରସ୍ତାବ ରଖିବାକୁ ପଡ଼ିବ।କୃଷି ଏବଂ ମ୍ୟାନୁଫାକ୍‌ଚରିଂ (ଉତ୍ପାଦନ) କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜିଡିପି ହାର ହ୍ରାସ ପାଇବ ବୋଲି କୁହାଯାଇଛି। ସିିଏସ୍‌ଓ ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ, କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୨.୧ ପ୍ରତିଶତ ରହିବ, ଯାହାକି ଗତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ ରହିଥିଲା। ସେହିଭଳି ୨୦୧୬-୧୭ରେ ମ୍ୟାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୭.୯ ପ୍ରତିଶତ ରହିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୪.୬ ପ୍ରତିଶତକୁ ଖସି ଆସିବ ବୋଲି ଆକଳନ କରାଯାଇଛି। ଏତଦ୍‌ବ୍ୟତୀତ ଖଣି କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ମନ୍ଥର ରହିବ। ସିଏସ୍‌ଓ ପକ୍ଷରୁ ଦର୍ଶାଯାଇଥିବା ତଥ୍ୟରେ ଅକ୍ଟୋବର ମାସର ଶିଳ୍ପ ଅଭିବୃଦ୍ଧି ୩ ମାସ ମଧ୍ୟରେ ସର୍ବନିମ୍ନ ଅର୍ଥାତ୍‌ ୨.୨ ପ୍ରତିଶତରେ ରହିଛି।

ୟେସ୍‌ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଏସ. ରାଓ କହିଛନ୍ତି, ଜିଏସ୍‌ଟି ଲାଗୁ ହେବା ସମୟରେ ବ୍ୟବସାୟ ଉପରେ ପଡ଼ିଥିବା ପ୍ରଭାବ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଜିଡିପି ଅଭିବୃଦ୍ଧି ଆକଳନ ରିପୋର୍ଟ ପ୍ରକାଶ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପରିସଂଖ୍ୟାନବିତ୍‌ ଟିସିଏ ଅନନ୍ତ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ତୁଳନାରେ ଦ୍ୱିତୀୟାର୍ଦ୍ଧର ଅଭିବୃଦ୍ଧି ଭଲ ରହିବ। ଅକ୍ଟୋବର-ଡିସେମ୍ବର ଏବଂ ଜାନୁଆରି -ମାର୍ଚ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରେ ରହିବା ନେଇ ଆଶା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ ଅବଧିରେ ୫.୭ ପ୍ରତିଶତ ଏବଂ ଜୁଲାଇ-ସେପ୍ଟେମ୍ବର ଅବଧିରେ ୬.୩ ପ୍ରତିଶତ ରହିଥିଲା।

ସମ୍ବନ୍ଧିତ ଖବର