ବ୍ୟାଙ୍କ ଋଣ ଶୁଝି ନଥିବା ୬୦ କମ୍ପାନି ଏବେ ଅଡ଼ୁଆରେ

ଏନ୍‌ସିଏଲ୍‌ଟିକୁ ଟଣା ହୋଇପାରନ୍ତି

ହାଇଦ୍ରାବାଦ/ମୁମ୍ବାଇ: ଦେଶରେ ୬୦ରୁ ଅଧିକ ବଡ଼ କମ୍ପାନିଙ୍କ ମୁଣ୍ଡରେ ଏବେ ଦେବାଳିଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଶଙ୍କା ସୃଷ୍ଟି ହୋଇଛି। ରିଜର୍ଭ ବ୍ୟାଙ୍କ ଗତ ଫେବ୍ରୁଆରି ୧୨ ତାରିଖରେ କମ୍ପାନି ଗୁଡ଼ିକୁ ଦେଇଥିବା ୬ ମାସର ସମୟସୀମା ଆସନ୍ତା ସୋମବାର ଶେଷ ହେଉଛି। ତେଣୁ ଋଣ ଆଦାୟ କରିବା କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ଯେଉଁଠି ବିଫଳ ହୋଇଛନ୍ତି ସେଠାରେ ଦେବାଳିଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୬ ମାସର ସମୟ ସୀମା ୬୦ରୁ ଊର୍ଧ୍ୱ କମ୍ପାନିଙ୍କ ପାଇଁ ଶେଷ ହେଉଛି। ଏମାନଙ୍କ ଋଣକୁ ଅନାଦାୟ ଋଣ (ଏନ୍‌ପିଏ) ଭାବେ ବିବେଚନା କରାଯାଇ ସାରିଛି। ଏହି କମ୍ପାନି ଗୁଡ଼ିକର ଏନ୍‌ପିଏ ରାଶି ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ୬ମାସର ସମୟ ସୀମା ଶେଷ ହେବାକୁ ବସିଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୧ଟି ମାମଲାର ସମାଧାନ ପାଇଁ ଯଥାସାଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଏହି ୧୧ଟି କମ୍ପାନି ଉପରେ ୬୨ ହଜାର କୋଟି ଟଙ୍କାର ଋଣ ଆଦାୟ ନହୋଇ ପଡ଼ି ରହିଛି। ଏଗୁଡ଼ିକ ମଧ୍ୟରୁ ଯେଉଁ ଗୁଡ଼ିକର ମାମଲା ସମାଧାନ ହୋଇ ନପାରିବ ସେଗୁଡ଼ିକୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲକୁ ପଠାଇବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର