ରାଜ୍ୟରେ ଦିନକୁ ୬୦ କୋଟିର ତେଲ ବିକ୍ରି ଠପ୍

ଭୁବନେଶ୍ବର: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍ ହେବା ପରେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବସାୟ ସାଂଘାତିକ ଭାବେ ମାଡ଼ ଖାଇଛି। ସରକାର ୨୧ ଦିନ ପାଇଁ ଲୋକଙ୍କୁ ଘରୁ ନବାହାରିବା ପାଇଁ କହିବା ସହିତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିଛନ୍ତି। ସ୍କୁଲ, କଲେଜ ଏବଂ ଅଫିସ ଆଦି ବନ୍ଦ ରହିଛି। ଅନେକ ଘରୋଇ କର୍ମଚାରୀ ଘରୁ ରହି କାମ କରୁଛନ୍ତି। ‌ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ଏହାଗାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ପଡ଼ିଛି। ସ୍ବାଭାବିକ ସମୟରେ ରାଜ୍ୟରେ ଦୈନିକ ପ୍ରାୟ ୨୮ ଲକ୍ଷ ୬୦ ହଜାର ଲିଟର ପେଟ୍ରୋଲ ଏବଂ ୮୯ ଲକ୍ଷ ୭୦ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। ଏବେ ଯଦିଓ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରହିଛି ତଥାପି ଗାଡ଼ି ନଥିବା କାରଣରୁ ତେଲ ବିକ୍ରି ପ୍ରାୟ ୮୫ ପ୍ରତିଶତ କମିଯାଇଛି ବୋଲି ଜଣାଯାଇଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି, ପେଟ୍ରୋଲ ପମ୍ପ ଗୁଡ଼ିକ ଏବେ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛି। ଗୋଟିଏ ସିଫ୍ଟରେ ୪ରୁ ୫ ଜଣ କାର୍ଯ୍ୟ କରୁଛନ୍ତି। କିନ୍ତୁ ବିକ୍ରି ବହୁମାତ୍ରାରେ କମିଯାଇଛି। ରାଜ୍ୟରେ ପ୍ରାୟ ୧୬୦୦ ପେଟ୍ରୋଲ ପମ୍ପ ଥିବାବେଳେ ବିକ୍ରି ୮୫ ପ୍ରତିଶତ ପାଖାପାଖି କମିଯାଇଛି। ସାଧାରଣ ଦିନ ଗୁଡ଼ିକରେ ରାଜ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ପେଟ୍ରୋଲ ଏବଂ ୬୦ କୋଟି ଟଙ୍କାର ଡିଜେଲ ବିକ୍ରି ହୋଇଥାଏ। କିନ୍ତୁ ଲକ୍‌ଡାଉନ୍ ଲାଗୁ ହେବା ପରେ ଦିନକୁ ପ୍ରାୟ ୧୭ କୋଟି ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ୫୦ କୋଟି ଟଙ୍କାର ଡିଜେଲ ବିକ୍ରି ହ୍ରାସ ପାଇଛି। ଅର୍ଥାତ୍ ରାଜ୍ୟରେ ଏବେ ଦିନକୁ ୮୦ କୋଟି ଟଙ୍କା ବଦଳରେ ୨୦ରୁ ୨୨ କୋଟି ଟଙ୍କାର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି। ତେଲ ବିକ୍ରି ମାତ୍ରାଧିକ ମାତ୍ରାରେ ହ୍ରାସ ପାଇଥିବାରୁ କର୍ମଚାରୀଙ୍କ ଦରମା ସମେତ ଅନ୍ୟାନ୍ୟ ଖର୍ଚ୍ଚ କିଭଳି ଉଠାଇବେ ସେ ନେଇ ତେଲ ମାଲିକ ମାନେ ଚିନ୍ତାରେ ଅଛନ୍ତି ବୋଲି କେତେକ ପେଟ୍ରୋଲ ପମ୍ପ ମାଲିକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର