ଗ୍ୟାସ୍‌ ଭିତ୍ତିଭୂମିରେ ୬୦୦୦ କୋଟି ଡଲାର ନିବେଶ ହେବ

ନୂଆଦିଲ୍ଲୀ: ପ୍ରାକୃତିକ ଗ୍ୟାସ ଯୋଗାଣ ଓ ବିତରଣ ଭିତ୍ତିଭୂମି ବିକଶିତ କରିବା ଦିଗରେ ୬୦୦୦ କୋଟି ଡଲାର ନିବେଶ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତୈଳ ଓ ଗ୍ୟାସ୍‌ କ୍ଷେତ୍ରର ଆନ୍ତର୍ଜାତିକ ଥିଙ୍କ୍‌ ଟ୍ୟାଙ୍କ୍‌ର ତୃତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଦେଶର ଅର୍ଥନୀତିକୁ ପାଞ୍ଚ ଟ୍ରିଲିଅନ୍‌ ଡଲାରରେ ପରିଣତ କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ଦେଶର ଅର୍ଥନୀତିର ଆକାର ୨୮୦ ଲକ୍ଷ କୋଟି ଡଲାର ରହିଛି। ୨୦୨୩ ସୁଦ୍ଧା ତାହାକୁ ୫୦୦ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଉଜ୍ଜ୍ବଳା ଯୋଜନାରେ ରୋଷେଇ ଗ୍ୟାସ୍‌, ସୌଭାଗ୍ୟ ଯୋଜନାରେ ଘରେ ଘରେ ବିଜୁଳି ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ରିହାତି ଟଙ୍କା ପ୍ରଦାନ ଦେଶବାସୀଙ୍କ ଶକ୍ତି ଚାହିଦାକୁ ପୂରଣ କରିଛି। ସେଥିପାଇଁ ଦେଶର ଏଲ୍‌ପିଜି ବ୍ୟବହାର ୫୫%ରୁ ବୃଦ୍ଧି ପାଇ ୯୬%ରେ ପହଞ୍ଚିଯାଇଛି। ଇରାନ ଓ ଭେନେଜୁଏଲାକୁ ଆମେରିକା ବାସନ୍ଦ କରିବା, ସାଉଦି ଆରବ ତୈଳ ପ୍ରକ୍ରିୟାକରଣ କେନ୍ଦ୍ର ଉପରେ ଆକ୍ରମଣ, ଉପସାଗରୀୟ ଦେଶଗୁଡ଼ିକରେ ଅସ୍ଥିରତା ଏବଂ ଚୀନ୍‌ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଲଢ଼େଇ ଯୋଗୁ ତେଲ ବଜାରରେ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ଏହି ସବୁ ଭାରତର ଶକ୍ତି ସୁରକ୍ଷାକୁ ପ୍ରଭାବିତ କରୁଛି। ଶକ୍ତିର ନିରନ୍ତର ଯୋଗାଣକୁ ନିଶ୍ଚିତ କରିବା ଏବଂ ଦେଶବାସୀଙ୍କୁ କମ୍ ମୂଲ୍ୟରେ ବିଭିନ୍ନ ପ୍ରକାର ଶକ୍ତି ପ୍ରଦାନ କରିବା କ୍ଷେତ୍ରରେ ଏହା ବଡ଼ ଆହ୍ବାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର