୬୩ ବର୍ଷରେ ଏଲ୍‌ଆଇସି: ଓଡ଼ିଶାରେ ୧୫୬୭ କୋଟି ପ୍ରିମିୟମ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିଗମ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୧୫୬୭ କୋଟି ଟଙ୍କାର ପ୍ରିମିୟମ ଆଦାୟ ଲକ୍ଷ୍ୟ ରଖିଛି। ନିଗମ ୧୦ ଲକ୍ଷ ୫୪ ହଜାର ପଲିସି ବିକ୍ରି କରି ଏହି ପ୍ରିମିୟମ ଆଦାୟ କରିବାକୁ ଯୋଜନା କରିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ନିଗମ ରାଜ୍ୟରେ ୧୦,୨୧,୮୬୭ଟି ପଲିସି ବିକ୍ରି କରି ୧୪୩୨ କୋଟି ଟଙ୍କାର ପ୍ରିମିୟମ ଆଦାୟ କରିଛି। ଏଲ୍‌ଆଇସି ଆଜି ୬୩ ବର୍ଷରେ ପଦାର୍ପଣ କରିଥିବାରୁ ଭୁବନେଶ୍ୱରସ୍ଥିତ ମଣ୍ଡଳ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଏଲ୍‌. ପି. ଦାସ। ସେ କହିଛନ୍ତି ଏଲ୍‌ଆଇସି ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିଛି। ପ୍ରତିଯୋଗିତା ସତ୍ତ୍ୱେ ଏଲ୍‌ଆଇସି ସଫଳତାର ପାହାଚ ଚଢ଼ିଚାଲିଛି। ସେ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ଏଲ୍‌ଆଇସିର ଭୁବନେଶ୍ୱର ମଣ୍ଡଳ ୧ ଲକ୍ଷ ୯୫ ହଜାର ୧୦୦ ନୂଆ ପଲିସି ବିକ୍ରି କରି ପ୍ରଥମ ପ୍ରିମିୟମ ବାବଦରେ ୨୮୩ କୋଟି ୬ ଲକ୍ଷ ଟଙ୍କା ସଂଗ୍ରହ କରିଛି। ଚଳିତ ଆର୍ଥିକ ବର୍ଷରେ ନିଗମର ଭୁବନେଶ୍ୱର ମଣ୍ଡଳ ୧ ଲକ୍ଷ ୯୮ ହଜାର ନୂଆ ପଲିସି ଏବଂ ପ୍ରିମିୟମ ବାବଦରେ ୩୦୫ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛି। ସେହିଭଳି ଆସନ୍ତା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧ ଲକ୍ଷ ୫୧ ହଜାର ପଲିସିର ପରିପକ୍ୱ ଦାବି ସମାଧାନ କରି ୩୭୫ କୋଟି ଟଙ୍କା ପ୍ରଦାନ କରିବାକୁ ଯୋଜନା ରଖିଛି ବୋଲି ସେ କହିଥିଲେ। ଏହି ଅବସରରେ ଏଲ୍‌ଆଇସିର ବିପଣନ ପ୍ରବନ୍ଧକ ଏ. ବି. ରଥ ଏବଂ ପି. କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର