ଜେଟ୍‌ ପାଇଁ ୭ ସଂସ୍ଥା ଆଗ୍ରହୀ, ଅନ୍ତରୀଣ ପାଣ୍ଠି ‌ନେଇ ସୋମବାର ଆଲୋଚନା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଜେଟ୍ ଏୟାରୱେଜର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗତକାଲି ଜେଟ୍‌ର କର୍ମଚାରୀମାନେ ମୁମ୍ବାଇରେ ଏକ ନିରବ ପ୍ରତିବାଦ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଆଜି ନୂଆଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ ୩ରେ ସମାନ ଧରଣର ବିକ୍ଷୋଭ କରିଛନ୍ତି। ଅନ୍ୟପକ୍ଷରେ ଜେଟ୍‌ର ଅଂଶଧନ କିଣିବା ପାଇଁ ୭ଟି ସଂସ୍ଥା ଆଗ୍ରହ(ଇଓଆଇ) ପ୍ରକାଶ କରିଛନ୍ତି। ଶନିବାର ଜେଟ୍ ଏୟାରୱେଜ୍‌ର ମାତ୍ର ୬ରୁ ୭ଟି ବିମାନ ଚଳାଚଳ କରୁଛି। କମ୍ପାନି ଏହି ଅବସରରେ କେତେକ ବ୍ୟାଙ୍କକୁ ଜରୁରୀ ପାଣ୍ଠି ପ୍ରଦାନ ଲାଗି ଅନୁରୋଧ କରିଛି। ଏହି ପାଣ୍ଠି ମିଳିଯିବା ପରେ ଜେଟ୍‌ର କର୍ମଚାରୀମାନଙ୍କୁ ସେମାନଙ୍କ ବାକିଆ ବେତନ ମିଳିଯିବ ବୋଲି ଆଶା କରାଯାଉଛି। ଶନିବାର ଅପରାହ୍ଣରେ ଜେଟ୍‌ ଏୟାରୱେଜ୍‌ର କର୍ମଚାରୀମାନେ ଗଣପୋଷାକ ପିନ୍ଧି ଟର୍ମିନାଲ ୩ ପରିସରରେ ନିରବ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ହାତରେ ବ୍ୟାନର ଧରିଥିଲେ। ସେଥିରେ ‌‘ଜେଟ୍‌କୁ ବଞ୍ଚାଅ, ଆମର ଭବିଷ୍ୟତକୁ ସୁରକ୍ଷା ଦିଅ’ ଏବଂ ‘ ୯ଡବ୍ଲ୍ୟୁକୁ ଉଡ଼ିବାକୁ ଦିଅ’ ଭଳି ସ୍ଳୋଗାନ ଲେଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଇଣ୍ଡିଗୋ ବିମାନ ପାଇଁ କୋଡ୍ ଶବ୍ଦ ଯେଭଳି ୬ଇ ରହିଛି ଜେଟ୍ ଏୟାରୱେଜ୍ ପାଇଁ ସେହିଭଳି କୋଡ୍ ଶବ୍ଦ ୯ଡବ୍ଲ୍ୟୁ ବ୍ୟବହାର କରାଯାଇଥାଏ। ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ‌ଖରୋଲା ପୂର୍ବରୁ କହିଥିଲେ ଉଭୟ ଶନିବାର ଏବଂ ରବିବାରରେ ଜେଟ୍‌ର ମାତ୍ର ୬ରୁ ୭ଟି ବିମାନ ଉଡ଼ାଣ କରିବ। ସୂଚନାଯୋଗ୍ୟ ଯେ, ଜେଟ୍‌ ଏୟାରୱେଜ୍‌ର ଆର୍ଥିକ ସ୍ଥିତି ଠିକ୍ ଥିବା‌ ସମୟରେ ଏହାର ୧୧୯ଟି ବିମାନ ଚଳାଚଳ କରୁଥିଲା। ସୋମବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଅନ୍ୟ ବ୍ୟାଙ୍କ ଗୁଡ଼ିକ ଜେଟ୍ ଏୟାରୱେଜ୍‌ର ପରିଚାଳନା କର୍ତ୍ତୃପକ୍ଷକୁ ଭେଟିବେ। ସେହି ସମୟରେ ଅନ୍ତରୀଣ ପାଣ୍ଠିକୁ ଜେଟ୍ କିଭଳି ବିନିଯୋଗ କରିବ ସେ ସମ୍ପର୍କରେ ପରିଚାଳନା କର୍ତ୍ତୃପକ୍ଷ ବ୍ୟାଙ୍କ ଗୁଡ଼ିକୁ ଅବଗତ କରାଇବେ। ଗୁରୁବାର ଜେଟ୍‌ ଏୟାରୱେଜ୍ ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳକୁ ବିମାନ ଚଳାଚଳ ବନ୍ଦ କରିଛି। ଏଥସହିତ ଅନ୍ତର୍ଜାତୀୟ ଉଡ଼ାଣକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏଥିଯୋଗୁଁ ଯାତ୍ରୀମାନେ ବିମାନ ବନ୍ଦରରେ ଅସୁବିଧା ଭୋଗିଛନ୍ତି।

ଦୌଡ଼ରେ କେଉଁମାନେ ସାମିଲ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍‌ର ଅଂଶଧନ କିଣିବା ପାଇଁ ୭ଟି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ଏବେ ମାତ୍ର ୬ରୁ ୭ଟିର ବିମାନ ଉଡ଼ାଣ କରୁଥିବା ଜେଟ୍‌କୁ କିଣିବା ଲାଗି ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ସମେତ ବିଦେଶୀ ସହଯୋଗୀ କମ୍ପାନି ଏତିହାଦ୍ ମଧ୍ୟ ଅଛନ୍ତି। ଅନ୍ୟ ୫ ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତି ହେଲେ କାଲିଫର୍ଣ୍ଣିଆର ନିବେଶ ସଂସ୍ଥା ଟିପିଜି, ଫିନିକ୍ସ ଭିତ୍ତିକ ଘରୋଇ ଇକ୍ବିଟି କମ୍ପାନି ଇଣ୍ଡିଗୋ ପାର୍ଟନର୍ସ, ରେଡକ୍ଲିଫ୍ ଏବଂ ଥିଙ୍କ୍ ଇକ୍ବିଟି ପକ୍ଷରୁ ଗଠିତ କନସୋର୍ଟିୟମ , ଦୁଇ ଜଣ ବ୍ୟକ୍ତି ମିଳିତଭାବେ ଏବଂ କମ୍ପାନିର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଉପସଭାପତିଙ୍କ ସମେତ ଅନ୍ୟ ଦୁଇଜଣ। ଏସବିଆଇ କ୍ୟାପିଟାଲ ନିକଟରେ ଆବେଦନ ବା ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ ଦାଖଲ କରିବା ଲାଗି ଏମାନଙ୍କୁ ଶୁକ୍ରବାର ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

ସମ୍ବନ୍ଧିତ ଖବର