ବ୍ୟବସାୟ ପ୍ରତିଷ୍ଠାନ ତାଲିକା ପ୍ରସ୍ତୁତ ହେବ

ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ ହେବ, ୩୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ: ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ନେଇ ସରକାର ଏକ ଗଣନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୯-୨୦ରେ ଏହି ଜାତୀୟ ଅର୍ଥନୈତିକ ଜନଗଣନା ହେବ। ଏଥିରେ ୩୦୦ କୋଟି ଟଙ୍କା ଖର୍ଚ ହେବ। ଏହି ଗଣନାରୁ ଯେଉଁ ତଥ୍ୟ ମିଳିବ ତାହାକୁ ନେଇ ଜାତୀୟ ବ୍ୟବସାୟ ପ୍ରତିଷ୍ଠାନ ରେଜିଷ୍ଟର୍‌ ପ୍ରସ୍ତୁତ କରାଯିବ। ଦେଶରେ କେତେ ସବୁ ପ୍ରକାରର କାରବାର କିମ୍ବା ବ୍ୟବସାୟ ଚାଲିଛି ତାହାର ଏକ ସ୍ପଷ୍ଟ ଚିତ୍ର ଏହି ଜନଗଣନାରୁ ମିଳିବ। ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ପ୍ରବୀଣ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟ ପ୍ରତିଷ୍ଠାନକୁ ନେଇ ଯେଉଁ ରେଜିଷ୍ଟର୍‌ ପ୍ରସ୍ତୁତ କରାଯିବ ତାହାକୁ ସମସ୍ତ ପ୍ରକାର ଅଂଶୀଦାର-ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟବହାର କରିପାରିବେ। ସପ୍ତମ ଅର୍ଥନୈତିକ ଗଣନାକୁ ସିଏସ୍‌ସି ଇ-ଗଭର୍ଣ୍ଣାସ୍‌ ସହ ମିଶି କରାଯିବ। ନିୟମିତ ବ୍ୟବଧାନରେ ଏହି ତଥ୍ୟଗୁଡ଼ିକୁ ଅପ୍‌ଡେଟ୍‌ ମଧ୍ୟ କରାଯିବ। ସିଏସ୍‌ସି ଇ-ଗଭର୍ଣ୍ଣାସ୍‌ ଅଧୀନରେ ୩ ଲକ୍ଷ ଜନ ସେବା କେନ୍ଦ୍ର ରହିଛି। ସେହି ସବୁ କେନ୍ଦ୍ର ଏଥର ଅର୍ଥନୈତିକ ଗଣନାରେ ସାମିଲ ହେବେ। ପ୍ରତିଟି କେନ୍ଦ୍ର ପକ୍ଷରୁ ପାଞ୍ଚ ଜଣଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏହା ପରେ ସେମାନେ ଜନସଂଖ୍ୟା ପାଇଁ ହେଉଥିବା ଜନଗଣନାରେ ମଧ୍ୟ ସାମିଲ ହୋଇପାରିବେ। ଏଥର ପ୍ରଥମ ଥର ପାଇଁ ପ୍ରଯୁକ୍ତି ଜରିଆରେ କାଗଜବିହୀନ ସର୍ଭେ କରାଯିବ। ଛଅ ମାସ ଭିତରେ ସର୍ଭେ ଶେଷ ହେବ। ପୂର୍ବରୁ ଏଥିପାଇଁ ଦୁଇ ବର୍ଷ ସମୟ ଲାଗୁଥିଲା ବୋଲି ସିଏସ୍‌ସି ଏସ୍‌ପିଭିର ସିଇଓ ଦୀନେଶ ତ୍ୟାଗି କହିଛନ୍ତି। ୧୯୭୭ ପର ଠାରୁ ଦେଶରେ ମାତ୍ର ଛଅ ଥର ଅର୍ଥନୈତିକ ସର୍ଭେ କରାଯାଇଛି। ଅତି ଗଭୀର ସର୍ଭେ ଏବଂ ବ୍ୟାପକ ତଥ୍ୟ ସାମିଲ ରହିଥିବାରୁ ଏହି ସର୍ଭେ କରିବା ଏକ କଷ୍ଟକର ବ୍ୟପାର।

ସମ୍ବନ୍ଧିତ ଖବର