ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସିଙ୍ଗଲ୍ ୱିଣ୍ଡୋ କମିଟିରେ ୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଏହି ୮ଟି ପ୍ରକଳ୍ପରେ ମୋଟ ୧୬୦୯. ୪୯ କୋଟି ଟଙ୍କା ନିବେଶ ହେବ। ଏଥିଯୋଗୁ ୧୪୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Advertisment

ଆଜି ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ, ପ୍ଳାଷ୍ଟିକ, ପର୍ଯ୍ୟଟନ, ଇସ୍ପାତ ଏବଂ ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଶିଳ୍ପାଞ୍ଚଳରେ ଟାଟା କମ୍ପାନିର ଚା’ ବ୍ଲେଣ୍ଡିଂ ଓ ପ୍ୟାକେଜିଂ ୟୁନିଟ ରହିଛି। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଏହି ପ୍ରକଳ୍ପରେ ୮୩.୫୩ କୋଟି ଟଙ୍କା ନିବେଶ ହେବ ଏବଂ ୨୯୪ ଜଣଙ୍କୁ ଏଠାରେ ନିଯୁକ୍ତି ମିଳିବ। ଝାରସୁଗୁଡ଼ା ଜିଲ୍ଲାରେ ରୁନାୟା ମେଟସୋର୍ସ ପକ୍ଷରୁ ଏକ କୋଇଲା ତାର ପିଚ୍‌ ପ୍ରକଳ୍ପ ନିର୍ମାଣ ହେବ। ପେଟ୍ରୋ କେମିକାଲ କ୍ଷେତ୍ରର ଏହି କାରଖାନାରେ ୨୧୧ କୋଟି ଟଙ୍କା ନିବେଶ ହେବ ଏବଂ ୨୧୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି କଟକ ଜିଲ୍ଲାର ରାମଦାସପୁର ଶିଳ୍ପାଞ୍ଚଳରେ ଏଚଡିପିଇ ଥର୍ମୋପ୍ଲାଷ୍ଟିକ୍ ପାଇପ୍ କାରଖାନା ହେବ। ପ୍ଲାଷ୍ଟିକ୍ କ୍ଷେତ୍ରର ଏହି ପ୍ରକଳ୍ପରେ ୬୦.୦୬ କୋଟି ଟଙ୍କା ନିବେଶ ଏବଂ ୧୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭୁବନେଶ୍ବରରେ ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ ଶିଳ୍ପ ପକ୍ଷରୁ ୧୫୦ କୋଟି ଟଙ୍କା ନିବେଶ ହେବ। ଏହି ନିବେଶ ଯୋଗୁ ପର୍ଯ୍ୟଟନ କ୍ଷେତ୍ରରେ ୧୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ସେହିଭଳି ଖୋର୍ଦ୍ଧାରେ କମାତ୍ ହୋଟେଲର ହୋଟେଲ ଶିଳ୍ପ ସ୍ଥାପନ ହେବ। ଏଥିରେ ୫୧ କୋଟି ଟଙ୍କା ନିବେଶ ହେବ ଏବଂ ୧୬୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେନ୍ଦୁଝର ଜିଲ୍ଲାରେ ତ୍ରିବେଣୀ ଆର୍ଥ ମୁଭର୍ସ ଦ୍ବାରା ୯୪୮ କୋଟି ଟଙ୍କା ନିବେଶରେ ଏକ ଭୂତଳ ସ୍ଲରି ପାଇପଲାଇନ୍ ସ୍ଥାପନ ହେବ। ଇସ୍ପାତ କ୍ଷେତ୍ରର ଏହି ପ୍ରକଳ୍ପରେ ୨୧୭ ଜଣ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ହେବ। ଅନୁଗୁଳ ଜିଲ୍ଲାରେ ସିଡିଇଟି ଏକ୍ସପ୍ଲୋସିଭ ପ୍ରା ଲିଃ ପକ୍ଷରୁ ୫୫ କୋଟି ଟଙ୍କା ନିବେଶରେ ଏକ କ୍ୟାଟ୍ରିଜ ଏକ୍ସପ୍ଲୋସିଭ ଉତ୍ପାଦନ କାରଖାନା ସ୍ଥାପନ ହେବ। ପେଟ୍ରୋକେମିକାଲ କ୍ଷେତ୍ରର ଏହି ପ୍ରକଳ୍ପ ଯୋଗୁ ୧୭୭ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଅଷ୍ଟମ ପ୍ରକଳ୍ପ ଭାବେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆପିଜେ ଲଜିଷ୍ଟିକ୍ସ ପାର୍କର ସମ୍ପ୍ରସାରଣ ହେବ। ଭିତ୍ତିଭୂମି କ୍ଷେତ୍ରର ଏହି ପ୍ରକଳ୍ପରେ ୫୦ କୋଟି ଟଙ୍କା ନିବେଶ ଏବଂ ୯୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ତୃଣମୂଳ ସ୍ତରରେ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଅନୁମତି ଓ ଅନୁମୋଦନ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୱେବ ପୋର୍ଟାଲ ମାଧ୍ୟମରେ ଶିଳ୍ପ ବିଭାଗରୁ ଯାଉଥିବା ବିଭିନ୍ନ ପୁଞ୍ଜି ନିବେଶ ପ୍ରକଳ୍ପ ସମ୍ବନ୍ଧିତ ଅନୁମୋଦନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ଼୍‌ କରିବା ପାଇଁ ମଧ୍ୟ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରିବା ନିମନ୍ତେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକ ଜମିର ଏକ ନିର୍ଦ୍ଦିଷ୍ଟ ମାନକ ନିର୍ଦ୍ଧାରଣ ପାଇଁ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।