୮୦% ଭାରତୀୟ ବ୍ୟାଙ୍କ ବାହାରେ ଟଙ୍କା ରଖୁୁଛନ୍ତି: ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ: ଜନ ଧନ ଯୋଜନାର ସଫଳତା ପରେ ୧୫.୭ କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ପହଞ୍ଚିଛି। କିନ୍ତୁ ସେହି ଖାତାକୁ ବ୍ୟବହାର କରିବାର ଅଭ୍ୟାସ ସୃଷ୍ଟି ହୋଇପାରିନାହିଁ। ଏବେବି ୮୦% ଭାରତୀୟ ବ୍ୟାଙ୍କ ବାହାରେ ଟଙ୍କା ସଞ୍ଚୟ କରୁଛନ୍ତି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭାରତରେ ପ୍ରତି ପାଞ୍ଚ ଜଣରୁ ଜଣେ ହିଁ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରୁଛନ୍ତି। ଦେଶର ଜନସଂଖ୍ୟାର ମାତ୍ର ୭% ଲୋକ ବ୍ୟାଙ୍କରୁ ଋଣ ପାଉଛନ୍ତି। ବିଗତ ୬ ବର୍ଷ ଭିତରେ ବ୍ୟାଙ୍କରୁ ଋଣ ନେଉଥିବା ଲୋକଙ୍କ ସଂଖ୍ୟା ୨% କମିଯାଇଛି। ବ୍ୟାଙ୍କ ଖାତା ଖୋଲିବା ପରେ ସଂଗଠିତ କ୍ଷେତ୍ରରୁ ଋଣ ହାସଲ ପରିମାଣ ବଢ଼ିବା କଥା। କିନ୍ତୁ ଭାରତ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାର୍ଡ ବ୍ୟବହାରରେ ମଧ୍ୟ ଭାରତ ଏତେଟା ଅଗ୍ରଗତି କରିନାହିଁ। ଦେଶର ଏକ ତୃତୀୟାଂଶ ଲୋକଙ୍କ ପାଖରେ ଡେବିଟ୍‌ କାର୍ଡ ପହଞ୍ଚିଥିବା ବେଳେ ମାତ୍ର ୩% ଲୋକଙ୍କ ପାଖରେ କ୍ରେଡିଟ୍‌ କାର୍ଡ ରହିଛି।
ଭାରତରେ ବ୍ୟାଙ୍କ ଖାତା ଥିବା ଅଧା ଲୋକଙ୍କ ପାଖରେ ଡେବିଟ୍‌ କାର୍ଡ ନାହିଁ। ଯେଉଁମାନଙ୍କ ପାଖରେ ଏହି କାର୍ଡ ରହିଛି ସେମାନଙ୍କ ମଧ୍ୟରୁ କେବଳ ଏକ ତୃତୀୟାଂଶ ତାହାକୁ କିଣାକିଣି ବେଳେ ବ୍ୟବହାର କରୁଛନ୍ତି ବୋଲି ବିଶ୍ୱବ୍ୟାଙ୍କ କହିଛି। ଡିଜିଟାଲ୍‌ ପେମେଣ୍ଟ୍‌ରେ ମଧ୍ୟ ବିଶେଷ ବୃଦ୍ଧି ହୋଇନାହିଁ। ଦେଶର ମାତ୍ର ୨% ଲୋକଙ୍କ ମୋବାଇଲ୍‌ ଓ୍ଵାଲେଟ୍‌ ଥିବା ବେଳେ ୩% ଲୋକ ଅନଲାଇନ୍‌ରେ ବିଲ୍‌ ପେମେଣ୍ଟ୍‌ କରୁଛନ୍ତି ଓ ୧୬% ଲୋକ ଡିଜିଟାଲ୍‌ ପେମେଣ୍ଟ୍‌ର ଉପଯୋଗ କରୁଛନ୍ତି। ୟୁପିଆଇ ଓ ଆଧାର ଭିିତ୍ତିକ ପେମେଣ୍ଟ୍‌ ବ୍ୟବସ୍ଥା ଆରମ୍ଭ ହେବା ସତ୍ତ୍ୱେ ଭାରତରେ ଡିଜିଟାଲ୍‌ ପେମେଣ୍ଟ୍‌ରେ ଆଶାତୀତ ବୃଦ୍ଧି ହେଉନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର