ଓଡ଼ିଶା ଆଉ ୯ଟି ଖଣି ନିଲାମ କରିବ, ଅଧିକାଂଶ ନୂଆ ଖଣି

ଯିଏ ପାଇବ ସିଏ ବିକଶିତ କରିବ

ଭୁବନେଶ୍ବର: ରାଜ୍ୟ ସରକାର ଆଉ ୯ଟି ଖଣିର ନିଲାମ କରିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି। ଅନଲାଇନ୍‌ରେ ହେବାକୁ ଥିବା ଏହି ନିଲାମ ନିମନ୍ତେ କଂପାନିଗୁଡ଼ିକ ଠାରୁ ଆବେଦନ ଆହ୍ବାନ କରାଯାଇଛି। ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରେ ରହିଛି ସାତଟି ଲୁହାପଥର ଖଣି, ଗୋଟିଏ ଲୁହାପଥର-ମାଙ୍ଗାନିଜ ଏବଂ ଗୋଟିଏ ସ୍ବତନ୍ତ୍ର ମାଙ୍ଗାନିଜ୍ ଖଣି। ରାଜ୍ୟ ସରକାର ପୁରେଇବାହାଳ, ଚଣ୍ଡିପଶି, ରେଙ୍ଗାଲବେରା, ଉତ୍ତର-ପୂର୍ବ ଗନ୍ଧଲପଡ଼ା, ନେତ୍ରବନ୍ଧ ପାହାଡ଼ (ପଶ୍ଚିମ), ଢୋଲତାପାହାଡ଼ ଏବଂ ଝୁମକା ପଥ୍ରିପୋଶୀ ବ୍ଲକ୍‌ର ନିଲାମ ଲାଗି ଆବେଦନ ଆହ୍ବାନ କରିଛନ୍ତି। ଉଞ୍ଚାବାଲି ଲୁହା ପଥର ଓ ମାଙ୍ଗାନିଜ ଖଣି ଓ କାଳିମାଟି ମାଙ୍ଗାନିଜ ଖଣିକୁ ମଧ୍ୟ ରାଜ୍ୟ ସରକାର ନିଲାମ କରିବାକୁ ଯାଉଛନ୍ତି। ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ, ୧୯୫୭ର ଧାରା ୧୦(ଖ) ଓ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ୯ଟି ଖଣିର ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀମାନଙ୍କୁ ଡିଜିଟାଲ୍‌ ମାଧ୍ୟମରେ ଆର୍ଥିକ ବିଡ୍ ଏବଂ ଉଭୟ ଡିଜିଟାଲ୍‌ ଏବଂ କାଗଜପତ୍ରରେ ବୈଷୟିକ ବିଡ୍‌ ଦାଖଲ କରିବାକୁ ହେବ। ନିଲାମ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀକୁ ଏମ୍ଏସ୍‌ଟିସି ‌ଲିମିଟେଡ୍‌ର ୱେବସାଇଟ୍‌ରୁ ଡାଉନ୍‌ଲୋଡ୍ କରିହେବ। ଆଗ୍ରହୀ କଂପାନିଗୁଡ଼ିକ ଏହି ୱେବସାଇଟ୍‌ରେ ପଞ୍ଜୀକରଣ ମଧ୍ୟ କରିପାରିବେ।

ଏଥର ଯେଉଁ ବ୍ଲକ୍‌ଗୁଡ଼ିକୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି, ସେଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ନୂଆ ବ୍ଲକ୍। ଯେଉଁ ସଂସ୍ଥା ବ୍ଲକ୍‌ଗୁଡ଼ିକୁ ପାଇବେ ସେମାନଙ୍କୁ ଏହି ଖଣିଗୁଡ଼ିକୁ ନିଜେ ବିକଶିତ କରିବାକୁ ପଡ଼ିବ। ଖଣି ନିଲାମରେ ଭାଗ ନେବାକୁ ଥିବା ଆଗ୍ରହୀ ସଂସ୍ଥାଗୁଡ଼ିକ ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଟେଣ୍ଡର କାଗଜପତ୍ର କିଣାକିଣି କରିପାରିବେ। ମାଙ୍ଗାନିଜ ଖଣିକୁ ବାଦ ଦେଲେ ଅନ୍ୟ ସବୁ ଖଣି ଲାଗି ଟେଣ୍ଡର ଫି’ ପାଞ୍ଚ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। କାଳିମାଟି ମାଙ୍ଗାନିଜ ବ୍ଲକ୍‌ର ଟେଣ୍ଡର ଫି’ ୨ ଲକ୍ଷ ଟଙ୍କା ରହିଛି। ଗତବର୍ଷ କୌଣସି ଖଣି ନିଲାମ କରିପାରିନଥିବା ଓଡ଼ିଶା ଚଳିତ ବର୍ଷ ଯେତେ ଅଧିକ ସମ୍ଭବ ଖଣି ନିଲାମ କରିବାକୁ ଚାହୁଛି। ସେଥିପାଇଁ ବିଗତ ୧୫ ଦିନ‌ ଭିତରେ ତିନି ଥର ଖଣି ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ ଚାରି ତାରିଖରେ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ଏହା ପରେ ୧୪ ତାରିଖରେ ଆଉ ୧୦ଟି ଖଣି ନିଲାମ କରିବା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୦ ମାର୍ଚ ଶେଷ ସୁଦ୍ଧା ୪୦ଟି ଖଣି ବ୍ଲକ୍‌କୁ ନିଲାମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିମଧ୍ୟରୁ ୩୮ଟି ବ୍ଲକ୍‌ର ନିଲାମ ପାଇଁ ୫ଟି ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟ ଦୁଇଟି ଖଣିକୁ ସରକାରୀ ସଂସ୍ଥା ଲାଗି ସଂରକ୍ଷିତ ରଖାଯାଇଛି। ସେଥିରୁ ଗୋଟିଏ ହେଉଛି କ୍ରୋମାଇଟ ଖଣି ଏବଂ ଅନ୍ୟଟି ଲୁହା ପଥର ଖଣି।

ସମ୍ବନ୍ଧିତ ଖବର