ଭିଡିଓକନ୍‌ ଦେବ ୯୦ ହଜାର କୋଟିର ଝଟ୍‌କା

ମୁମ୍ବାଇ: ବେଣୁଗୋପାଳ ଧୁତ୍‌ଙ୍କ ଭିଡିଓକନ୍ ଗ୍ରୁପ୍ ବ୍ୟାଙ୍କଗୁଡ଼ିକୁ ୯୦ ହଜାର କୋଟି ଟଙ୍କାର ଝଟ୍‌କା ଦେବ। ଭିଡିଓକନ୍‌ର ଦୁଇଟି ପ୍ରମୁଖ କଂପାନିକୁ ବ୍ୟାଙ୍କଗୁଡ଼ିକ ଏହି ସବୁ ଋଣ ଦେଇଥିଲେ ଯାହାର ଫେରିବା ସମ୍ଭାବନା ବହୁତ କମ୍ ରହିଛି। ଯେହେତୁ ଭିଡିଓକନ୍‌କୁ ଦେବାଳିଆ ଘୋଷଣା କରାଯାଇଛି, ତେଣୁ ଏହି ଋଣ ଅର୍ଥ ବୁଡ଼ିବା ପ୍ରାୟ ନିଶ୍ଚିତ।ଷ୍ଟେଟ୍‌ ବ୍ୟାଙ୍କ ସମେତ ଭାରତର ପ୍ରମୁଖ ବ୍ୟାଙ୍କଗୁଡ଼ିକ ଭିଡିଓକନ୍‌ ଇଣ୍ଡଷ୍ଟ୍ରିଜ୍‌କୁ ୫୯,୪୫୧ କୋଟି ଟଙ୍କା ଏବଂ ଏହାର ଅନ୍ୟ ଏକ କଂପାନି ଭିଡିଓକନ୍‌ ଟେଲିକମ୍ୟୁନିକେସନ୍‌କୁ ୨୬,୬୭୩ କୋଟି ଟଙ୍କାର ଋଣ ଦେଇଥିଲେ। ଏହା ବ୍ୟତୀତ ଅନ୍ୟ ୭୩୧ଟି ଅପରେସନାଲ୍ କ୍ରେଡିଟର୍‌ (କଂପାନି ପରିଚାଳନା ପାଇଁ ଋଣ ଦେଉଥିବା ସଂସ୍ଥା) ଏହି ଦୁଇ କଂପାନିକୁ ମୋଟ ୩୧,୧୧୭ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି।ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ଭିଡିଓକନ୍‌ ଗ୍ରୁପ୍‌ର ଦେବାଳିଆ ମାମଲାର ବିଚାର ହେବ ଏବଂ ଏହାକୁ ନିଲାମ କରିବ ଟଙ୍କା ଯୋଗାଡ଼ କରାଯିବ। ତେବେ କଂପାନି ପାଖରେ ‌ଯେତିକି ସମ୍ପତ୍ତି ରହିଛି ତାହାକୁ ନିଲାମ କଲେ‌ ବେଶି କିଛି ମିଳିବ ନାହିଁ।

ସମ୍ବନ୍ଧିତ ଖବର