୯୦ ହଜାର ଚାକିରି ପାଇଁ ଦେଢ଼ କୋଟି ଆଶାୟୀ

ନୂଆଦିଲ୍ଲୀ: ଭାରତୀୟ ରେଳରେ ଚାକିରି ପାଇଁ ରେକର୍ଡ ସଂଖ୍ୟକ ଆବେଦନ ମିଳିଛି। ୯୦ ହଜାର ଚାକିରି ପାଇଁ ଆବେଦନ ଆହ୍ଵାନ କରାଯାଇଥିବାବେଳେ ଆବେଦନକାରୀଙ୍କ ସଂଖ୍ୟା ଇତିମଧ୍ୟରେ ଦେଢ଼ କୋଟି ଟପିଲାଣି। ଅର୍ଥାତ୍‌ ପ୍ରତି ପଦବି ପିଛା ୧୬୬ରୁ ଅଧିକ ଆବେଦନ ମିଳିଛି। ଆସନ୍ତା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ତାରିଖ ରହିଥିବାରୁ ଆବେଦନ ସଂଖ୍ୟା ଦୁଇ କୋଟି ଟପିପାରେ ବୋଲି ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ରେଳବାଇରେ ଗ୍ରୁପ୍‌ ସି ଏବଂ ଗ୍ରୁପ୍‌ ଡି ବର୍ଗରେ ୯୦ ହଜାର ପଦବି ପୂରଣ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏଥିପାଇଁ ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ଦରଖାସ୍ତ କରିବାକୁ କୁହାଯାଇଛି।

ପଦବି ପିଛା ୧୬୬ ଆବେଦନ
ଆବେଦନକାରୀଙ୍କ ସଂଖ୍ୟା ୨ କୋଟି ଟପିପାରେ
ଟେକ୍ନିସିଆନ୍‌ ପଦ ପାଇଁ ପିଏଚ୍‌ଡିଧାରୀଙ୍କ ଆବେଦନ

ତେବେ ଶେଷ ତାରିଖ ଆହୁରି ଅନେକ ଦିନ ବାକି ଥିବାବେଳେ ବର୍ତମାନ ସୁଦ୍ଧା ଏଥିପାଇଁ ପଦବି ପିଛା ପ୍ରାୟ ୧୬୬ଜଣ ଆବେଦନ କାରି ସାରିଲେଣି। ରେଳବାଇ ପକ୍ଷରୁ ଗ୍ରୁପ୍‌ ସି ଏବଂ ଗ୍ରୁପ୍‌ ଡି ବର୍ଗରେ ଯେଉଁ ଚାକିରି ପାଇଁ ଆବେଦନ ଆହ୍ଵାନ କରାଯାଇଛି ସେଥିପାଇଁ ମାସିକ ବେତନ ୧୮ ହଜାର ଟଙ୍କାରୁ ୬୦ ହଜାର ଟଙ୍କା ମଧ୍ୟ ରହିଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଗ୍ରୁପ୍‌ ଡି ବର୍ଗରେ ପ୍ରାୟ ୬୩ ହଜାର ପଦବି ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଥିଲା। ଏହି ବର୍ଗରେ ଗ୍ୟାଙ୍ଗମ୍ୟାନ୍‌ ପଦ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏତଦ୍‌ବ୍ୟତୀତ ଗ୍ରୁପ୍‌ ସି ବର୍ଗରେ ୨୬,୫୦୦ ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ଙ୍କୁ ନିଯୁକ୍ତି ଦିଆଯିବ। ଗ୍ରୁପ୍‌ ଡି ଏବଂ ଗ୍ରୁପ୍‌ ସି ବର୍ଗର ଏସବୁ ଚାକିରି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯଥାକ୍ରମେ ମାଟ୍ରିକ ଏବଂ ଆଇଟିଆଇ ରହିଛି। ଏହି ସବୁ ପଦରେ ଚାକିରି ପାଇବା ପାଇଁ ସଫଳ ହେବାକୁ ହେଲେ ପ୍ରାର୍ଥୀଙ୍କୁ ଏକାଧିକ ଥର ଅନ୍‌ଲାଇନ୍‌ ପରୀକ୍ଷା ଦେବାକୁ ପଡ଼ିବ। ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି, ଆବେଦନ କରିବା ଲାଗି ଆହୁରି ଅନେକ ଦିନ ସମୟ ରହିଥିବାରୁ ଏଥିପାଇଁ ଆବେଦନକାରୀଙ୍କ ସଂଖ୍ୟା ୨ କୋଟି ଟପିଯାଇ ପାରେ। ଆବେଦନକାରୀଙ୍କ ମଧ୍ୟରେ ଅନେକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାଠାରୁ ଢେର୍‌ ଅଧିକ ରହିଛି। ଏପରିକି ଟେକ୍ସିସିଆନ୍‌ ପଦ ପାଇଁ ମଧ୍ୟ ପିଏଚ୍‌ଡି ଧାରୀମାନେ ଆବେଦନ କରିଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ରେଳର ନିରାପତ୍ତା ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରେଳବାଇ ଅଧିକ ସଂଖ୍ୟକ ଗ୍ୟାଙ୍ଗମ୍ୟାନ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛି। ଏବେ ପ୍ରାୟ ୧.୨ ଲକ୍ଷ ନିରାପତ୍ତା ସଂକ୍ରାନ୍ତ ପଦବି ରେଳବାଇରେ ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର