ଫେରାଉନି ୯୧ ହଜାର କୋଟି:ଚିନ୍ତା ବଢ଼ାଇଲା ଆର୍ଥିକ ସଂସ୍ଥା

ନୂଆଦିଲ୍ଲୀ,: ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଗ୍ରୁପ୍‌ ୯୧ ହଜାର କୋଟି ଟଙ୍କାର ଋଣ ବୋଝ ତଳେ ଦବି ରହିଛି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ର ନିଜସ୍ୱ ଋଣ ପରିମାଣ ୩୫ ହଜାର କୋଟି ଟଙ୍କା ହୋଇଥିବା ବେଳେ ଏହାର ସହଯୋଗୀ ସଂସ୍ଥା ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଉପରେ ୧୭ ହଜାର କୋଟି ଟଙ୍କାର ଋଣ ରହିଛି। ଏହି ସଂସ୍ଥା ପାଖରେ ପେମେଣ୍ଟ୍‌ କରିବାକୁ ଅର୍ଥ ନାହିଁ। ବାରମ୍ବାର ପେମେଣ୍ଟ୍‌ ଖିଲାପ କରିବା ପରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସଙ୍କଟ ପଦାକୁ ଆସିଥିଲା। ଏହା ପରେ ସେୟାର ବଜାରରେ ହଲଚଲ୍‌ ସୃଷ୍ଟି ହୋଇଥିଲା। ପ୍ରଥମେ ଏହା ସିଡ୍‌ବିର ୧୦୦୦ କୋଟି ଟଙ୍କା ଦେବାରେ ବିଫଳ ହୋଇଥିଲା। ଏହା ପରେ ଅନ୍ୟ ଦୁଇଟି ପେମେଣ୍ଟ୍‌ କରିବାରେ ଏହା ବିଫଳ ହୋଇଛି। ପେମେଣ୍ଟ୍‌ କରିବା ପାଇଁ ଆଗାମୀ ୬ ମାସ ଭିତରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌କୁ ୩୬୦୦ କୋଟି ଟଙ୍କା ଦରକାର। ସେହି ଅର୍ଥ କେଉଁଠାରୁ ଯୋଗାଡ଼ କରାଯିବ ତାହା ଜଣାପଡ଼ୁନି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ବିଫଳ ହେଲେ ସାଧାରଣ ଲୋକମାନଙ୍କ ଟଙ୍କା ବୁଡ଼ିବ। କାରଣ ଏହି ସଂସ୍ଥାର ଏକ ଚତୁର୍ଥାଂଶ ଅଂଶଧନ ଏଲ୍‌ଆଇସି ପାଖରେ ଥିବା ବେଳେ ଜାପାନର ଓରିକ୍ସ କର୍ପୋରେସନ୍‌ ପାଖରେ ୨୩.୫% ଅଂଶଧନ ରହିଛି। ଏହା ବ୍ୟତୀତ ଏହି ସଂସ୍ଥାରେ ଷ୍ଟେଟ୍‌ ବ୍ୟାଙ୍କ, ସେଣ୍ଟ୍ରାଲ୍‌ ବ୍ୟାଙ୍କ ପାଖରେ ନିର୍ଦିଷ୍ଟ କିଛି ପରିମାଣର ଅଂଶଧନ ରହିଛି। ଯେହେତୁ ସରକାରୀ ସଂସ୍ଥାଗୁଡ଼ିକର ଟଙ୍କାରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଚାଲିଛି, ତେଣୁ ଏହା ବୁଡ଼ିଗଲେ ଲୋକମାନଙ୍କ ଟଙ୍କା ବୁଡ଼ିଯିବ ବୋଲି କୁହାଯାଇପାରିବ।
ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କଂପାନି, ପୋଷ୍ଟାଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌, ଏନ୍‌ପିଏସ୍‌ ଟ୍ରଷ୍ଟ୍‍, ଏଲ୍‌ଆଇସି, ଏସ୍‌ବିଆଇ ପେନ୍‌ସନ୍‌ ଫଣ୍ଡ୍‌, ଦି ଏସ୍‌ବିଆଇ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌, ରୁରାଲ୍‌ ପୋଷ୍ଟାଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌ ଓ ଇଣ୍ଡିଆ ଲଙ୍ଗଟର୍ମ ଡେବ୍‌ଟ ଫଣ୍ଡ୍‌ରେ ରହିଛି ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ର ଡିବେଞ୍ଚର। ଡିବେଞ୍ଚର୍‌ରେ ସାଧାରଣତଃ କୌଣସି ସମ୍ପତ୍ତି ବନ୍ଧକ ରଖାଯାଏ ନାହିଁ। ତେଣୁ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ବୁଡ଼ିଗଲେ ଏହି ସବୁ ସଂସ୍ଥାର ଟଙ୍କା ବୁଡ଼ିଯିବ।
ଉଦ୍ଧାର କରିବ ଏଲ୍‌ଆଇସି
ମୁମ୍ବାଇ, ୨୫/୯: ଋଣ ସମସ୍ୟା ଦେଇ ଗତି କରୁଥିବା ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌କୁ ସଙ୍କଟରୁ ଉଦ୍ଧାର କରିବ ସରକାରୀ ବୀମା କଂପାନି ଏଲ୍‌ଆଇସି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ରେ ଏଲ୍‌ଆଇସିର ସିଂହ ଭାଗ ଅଂଶଧନ ରହିଛି। ତେଣୁ ଏହି କଂପାନି ବନ୍ଦ ହୋଇଯାଉ ବୋଲି ଏଲ୍‌ଆଇସି ଚାହୁନାହିଁ। ଆଜି ଏଲ୍‌ଆଇସିର ମୁଖ୍ୟ ଭି କେ ଶର୍ମା ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ବିଷୟରେ ଅର୍ଥ ମନ୍ତ୍ରଣାଳୟ ସହିତ ଆଲୋଚନା କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ, ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌କୁ ବନ୍ଦ ହେବାକୁ ଦିଆଯିବ ନାହିଁ। ଏହି କଂପାନି ଯେଭଳି କାରବାର ଜାରି ରଖିବ ସେଥିପାଇଁ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ସେନ୍‌ସେକ୍ସ ହ୍ରାସ ଧାରାରେ ଲାଗିଲା ବ୍ରେକ୍‌
ମୁମ୍ବାଇ, ୨୫/୯: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଯେଉଁ ହ୍ରାସର ଧାରା ଲାଗି ରହିଥିଲା, ସେଥିରେ ଆଜି ବ୍ରେକ୍‌ ଲାଗିଛି। ସେନସେକ୍ସ ଆଜି ୩୪୭ ପଏଣ୍ଟ୍‌ ବୃଦ୍ଧି ସହ ୩୬,୬୫୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବ୍ୟାଙ୍କ, ଅଟୋମୋବାଇଲ୍‌ ଓ ଔଷଧ କଂପାନିଗୁଡ଼ିକର ସେୟାରକୁ ନିବେଶକମାନେ ଅଧିକ ମାତ୍ରାରେ କିଣିବାରୁ ସେନ୍‌ସେକ୍ସରେ ଏଭଳି ଉତ୍ସାହଜନକ ବୃଦ୍ଧି ହୋଇଛି। ଗତ ପାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସ ୧୭୮୫ ପଏଣ୍ଟ ହ୍ରାସ ପାଇଥିଲା। ଫଳରେ ନିବେଶକମାନେ ୮.୫୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ, ସେବି ଓ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ସେନ୍‌ସେକ୍ସରେ କୌଣସି ସୁଧାର ଦେଖିବାକୁ ମିଳୁନଥିଲା। ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଧ୍ୟ ନିବେଶକମାନଙ୍କୁ ଆଶ୍ୱାସନା ଦେଇଥିଲେ। ସେ କହିଥିଲେ ଯେ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନ୍‌ବିଏଫ୍‌ସି) ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ଗୁଡ଼ିକର ନଗଦ ରାଶି ମାତ୍ରା ବଜାୟ ରଖିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରିବେ ଓ ସହଯୋଗ ପ୍ରଦାନ କରିବେ। ଏହା ସତ୍ତ୍ୱେ ଗତକାଲି ସେନ୍‌୍‌ସେକ୍ସ ୫୩୬ ପଏଣ୍ଟ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର