ବିମୁଦ୍ରାକରଣ: ୯୯.୩% ଅଚଳ ନୋଟ୍‌ ଫେରିଛି

0 168

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ଘୋଷଣା କରିଥିବା ବିମୁଦ୍ରାକରଣ କେତେ ସଫଳ? ଏହାକୁ ନେଇ ସରକାର ଓ ବିରୋଧୀ ଦଳଙ୍କ ଭିତରେ ବିତର୍କ ଜାରି ରହିଛି। ରିଜର୍ଭ ବ୍ୟାଙ୍କର ୨୦୧୭-୧୮ ବାର୍ଷିକ ରିପୋର୍ଟ କହୁଛି ବିମୁଦ୍ରାକରଣର ସଫଳତା ହେଉଛି ମାତ୍ର ୧୦,୭୨୦ କୋଟି ଟଙ୍କା। ଏତିକି ପରିମାଣର ଅଚଳ ନୋଟ୍‌ ଫେରିନାହିଁ। ଅନ୍ୟ ସବୁ ୯୯.୩% ଅଚଳ ନୋଟ୍‌ ବ୍ୟାଙ୍କ ଜରିଆରେ ଫେରିଆସିଛି। ବିମୁଦ୍ରାକରଣ ଘୋଷଣା ହେବା ଦିନ ୧୫.୪୧ ଲକ୍ଷ କୋଟି ଟଙ୍କା ଅଚଳ ହୋଇଥିଲା। ସେଥି ମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କା ଫେରିଆସିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ୨୪୫ ପୃଷ୍ଠା ବିଶିଷ୍ଟ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ଅଚଳ ନୋଟ୍‌ ଗଣତି କାମ ଲମ୍ବା ସମୟ ପରେ ଶେଷ ହୋଇଛି। ବିମୁଦ୍ରାକରଣ ଯୋଗୁ ନୋଟ୍‌ ଛପା ଖର୍ଚ ବଢ଼ିଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୬-୧୭ରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଛପାଇବା ବାବଦରେ ୭୯୬୫ କୋଟି ଟଙ୍କା ଖର୍ଚ ହୋଇଥିଲା। ଯାହା ୨୦୧୫-୧୬ରେ ନୋଟ୍‌ ଛପାଇବା ପାଇଁ ହୋଇଥିବା ୩୪୨୧ କୋଟି ଟଙ୍କାର ଦୁଇ ଗୁଣଠାରୁ ଅଧିକ। ୨୦୧୭ ଜୁଲାଇରୁ ୨୦୧୮ ଜୁନ୍‌ ପର୍ଯ୍ୟନ୍ତ ନୂଆ ନୋଟ୍‌ ଛପାଇବା ବାବଦରେ ସରକାର ୪୯୧୨ କୋଟି ଟଙ୍କା ଖର୍ଚ କରିଛନ୍ତି। ବିମୁଦ୍ରାକରଣ ଘୋଷଣା କରିବାର ତିନିଟି ପ୍ରମୁଖ ଲକ୍ଷ୍ୟ ଥିଲା କଳାଧନ ଉପରେ ଅଙ୍କୁଶ ଲଗାଇବା, ଦୁର୍ନୀତିକୁ ରୋକିବା ଓ ଜାଲ୍‌ ନୋଟ୍‌ ଉପରେ ଲଗାମ କଷିବା। ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ ଜଣାଇଛି ଯେ ପୁରୁଣା ୫୦୦ ଟଙ୍କିଆରେ ଜାଲ୍‌ ନୋଟ୍‌ ପରିମାଣ ୫୯.୭% ହ୍ରାସ ପାଇଥିବା ବେଳେ ୧୦୦୦ ଟଙ୍କିଆରେ ୫୯.୬% ହ୍ରାସ ପାଇଛି।

୫୦, ୧୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଅଧିକ
୨୦୧୭-୧୮ରେ ରେକର୍ଡ ପରିମାଣର ୫୦ ଓ ୧୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଚିହ୍ନଟ କରାଯାଇଥିଲା ବୋଲି ରିଜର୍ଭ ବ୍ୟାଙ୍କ କହିଛି। ସେହି ବର୍ଷ ମୋଟ ୫୨୨,୭୮୩ ଖଣ୍ଡ ଜାଲ୍‌ ନୋଟ୍‌ ଜବତ କରାଯାଇଥିଲା। ସେଥି ମଧ୍ୟରୁ ୬୩.୯% ନୋଟ୍‌କୁ ବ୍ୟାଙ୍କ ସ୍ତରରେ ଚିହ୍ନଟ କରାଯାଇଥିଲା। ଜାଲ୍‌ ୫୦ ଟଙ୍କିଆରେ ୧୫୪.୩% ଓ ୧୦୦ ଟଙ୍କିଆରେ ୩୫% ବୃଦ୍ଧି ହୋଇଥିଲା। ୨୦୧୭-୧୮ରେ ମୋଟ ୨୩,୪୪୭ ଖଣ୍ଡ ଜାଲ୍‌ ୫୦ ଟଙ୍କିଆ ଜବତ ହୋଇଥିଲା। ଏହାର ପୂର୍ବର୍ ଦୁଇ ବର୍ଷରେ ଜବତ ଜାଲ୍‌ ୫୦ ଟଙ୍କିଆ ପରିମାଣ ଯଥାକ୍ରମେ ୯୨୨୨ ଖଣ୍ଡ୍‌ ଓ ୬୪୫୩ ଖଣ୍ଡ୍‌ ଥିଲା। ସେହିପରି ୨୦୧୭-୧୮ରେ ୨୩୯,୧୮୨ ଖଣ୍ଡ ଜାଲ୍‌ ୧୦୦ ଟଙ୍କିଆ ଜବତ କରାଯାଇଥିଲା। ଏହାର ପୂର୍ବ ଦୁଇଟି ବର୍ଷରେ ଜବତ ଜାଲ୍‌ ୧୦୦ ଟଙ୍କିଆ ନୋଟ୍‌ ପରିମାଣ ଯଥାକ୍ରମେ ୧୭୭,୧୯୫ ଖଣ୍ଡ ଓ ୨୨୧,୪୪୭ ଖଣ୍ଡ ଥିଲା।

୨୦୦୦ ଟଙ୍କିଆ ସଂଖ୍ୟା କମିଲା
ଦୁଇ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନ ହ୍ରାସ ପାଇଛି। ବଜାରରେ ଏହି ନୋଟ୍‌ ପରିମାଣ କମିଛି। ଏକ ସମୟରେ ବଜାରରେ ୩୫୦ କୋଟି ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ୍‌ ଥିଲା। ଗତବର୍ଷ ସେହି ନୋଟ୍‌ ସଂଖ୍ୟା ୧୫.୧ କୋଟି ଖଣ୍ଡକୁ ଖସି ଆସିଛି। ମୋଟ ପ୍ରଚଳିତ ମୁଦ୍ରାରେ ଦୁଇ ହଜାର ଟଙ୍କିଆର ଅବଦାନ ମଧ୍ୟ ୩୭%କୁ ହ୍ରାସ ପାଇଛି ଯାହା ବର୍ଷକ ପୂର୍ବରୁ ୫୦% ସ୍ତରରେ ଥିଲା। ତେବେ, ୫୦୦ ଟଙ୍କିଆ ସଂଖ୍ୟା ବହୁତ ବଢ଼ିଛି। ୨୦୧୫-୧୬ରେ ପ୍ରଚଳନରେ ଥିବା ମୋଟ୍‌ ମୁଦ୍ରାରେ ୫୦୦ ଟଙ୍କିଆର ଭାଗ ୪୮% ଥିଲା। ବର୍ଷକ ପୂର୍ବରୁ ତାହା ୨୩%କୁ ଖସିଆସିଥିଲା। ପୁଣି ଥରେ ୫୦୦ ଟଙ୍କିଆର ଅବଦାନ ୪୩% ଭଳି ସ୍ତରକୁ ବୃଦ୍ଧି ପାଇଛି।

ପ୍ରଚଳନରେ ଅଛି ୧୮ ଲକ୍ଷ କୋଟି
୨୦୧୮ ମାର୍ଚ ମାସ ଶେଷ ସୁଦ୍ଧା ବଜାରରେ ପ୍ରଚଳନରେ ଥିବା ମୋଟ୍‌ ମୁଦ୍ରା ପରିମାଣ ହେଉଛି ୧୮ ଲକ୍ଷ କୋଟି ଟଙ୍କା। ଗତବର୍ଷ ତୁଳନାରେ ଏହା ୩୭.୭% ବୃଦ୍ଧି ପାଇଛି। ପ୍ରଚଳନରେ ଥିବା ମୋଟ୍‌ ମୁଦ୍ରାରେ ୫୦୦ ଓ ୨୦୦୦ ଟଙ୍କିଆର ଭାଗ ହେଉଛି ୮୦.୨%।

ସରକାରୀ ବ୍ୟାଙ୍କରେ ୯୩% ଠକେଇ
ଘରୋଇ ବ୍ୟାଙ୍କ ତୁଳନାରେ ସରକାରୀ ବ୍ୟାଙ୍କରେ ଠକେଇ କରିବା ସହଜ। ରିଜର୍ଭ ବ୍ୟାଙ୍କ ବାର୍ଷିକ ରିପୋର୍ଟରେ ଏହାର ସଙ୍କେତ ମିଳିଛି। ଦେଶରେ ହୋଇଥିବା ମୋଟ ବ୍ୟାଙ୍କ ଠକେଇ ମଧ୍ୟରୁ ୯୨.୯% ଠକେଇ ସରକାରୀ ବ୍ୟାଙ୍କରେ ହୋଇଛି। ମାତ୍ର ୬% ଠକେଇ ଘରୋଇ ବ୍ୟାଙ୍କରେ ହୋଇଛି। ୨୦୧୭-୧୮ରେ ୫୮୩୫ ଥରରେ ୪୧,୦୦୦ କୋଟି ଟଙ୍କାର ଠକେଇ ହୋଇଛି। ଋଣ ଖାତା ଜରିଆରେ ୭% ଠକେଇ କରାଯାଇଥିବା ବେଳେ ଜମା ଖାତାରେ ଠକେଇ ପରିମାଣ ହେଉଛି ମାତ୍ର ୩%। ଋଣ ଖାତାରେ ହୋଇଥିବା ମୋଟ ଠକେଇ ମଧ୍ୟରୁ ୮୭% ସରକାରୀ ବ୍ୟାଙ୍କରେ ଓ ୧୧% ଘରୋଇ ବ୍ୟାଙ୍କରେ ଠକେଇ ହୋଇଛି।

ଲକ୍ଷ୍ୟ ହାସଲ ହୋଇଛି: ସରକାର
ଯେଉଁ ଲକ୍ଷ୍ୟ ନେଇ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା ତାହା ଅନେକାଂଶରେ ହାସଲ ହୋଇଛି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ଏସ୍‌ସି ଗର୍ଗ କହିଛନ୍ତି। ଦେଶରେ ମୁଦ୍ରାର କୌଣସି ଅଭାବ ନାହିଁ ବୋଲି ସେ କହିଛନ୍ତି। କଳାଧନ, ଆତଙ୍କବାଦୀ ପାଣ୍ଠି ଓ ଜାଲ୍‌ ନୋଟ୍‌ ଉପରେ ଲଗାମ କଷିବାର ଯେଉଁ ଲକ୍ଷ୍ୟ ରହିଥିଲା ତାହା ହାସଲ ହୋଇଛି। ଡିଜିଟାଲ୍‌ କାରବାର ପ୍ରସାର ମଧ୍ୟ ହୋଇପାରିଛି ବୋଲି ସେ କହିଛନ୍ତି।

ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଛି: ଚିଦମ୍ବରମ୍‌
ବିମୁଦ୍ରାକରଣ ପାଇଁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇଛି। ଜିଡିପିକୁ ୧.୫% କ୍ଷତି ହୋଇଛି ଯାହାର ମୂଲ୍ୟ ୨.୨୫ ଲକ୍ଷ କୋଟି ଟଙ୍କା ହେବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କହିଛନ୍ତି। କେବଳ ୧୩ ହଜାର କୋଟି ଟଙ୍କା ପାଇଁ ଦେଶବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ୧୫ କୋଟି ଦିନ ମଜୁରିଆ ଅନେକ ସପ୍ତାହ ପର୍ଯ୍ୟନ୍ତ ଜୀବିକା ହରାଇଛନ୍ତି। ହଜାର ହଜାର କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.