ଏଣିକି ବ୍ୟାଙ୍କରେ କେଓ୍ଵାଇସି ଫର୍ମ ପୂରଣ ଲାଗି ଆଧାର ନମ୍ବର ଜରୁରୀ: ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍‌ବିଆଇ) ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ନୋ ଇୟୋର କଷ୍ଟମର (କେଓ୍ଵାଇସି) ଗାଇଡ ଲାଇନରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି କେଓ୍ଵାଇସି ଲାଗି ଆଧାର ଆବଶ୍ୟକ ପଡ଼ିବ। ପୂର୍ବରୁ ଋଣ ଗ୍ରହୀତାମାନଙ୍କ ବ୍ୟାଙ୍କରେ କାରବାର ଲାଗି ଦେଉଥିବା ଅନ୍ୟ ବାସସ୍ଥାନ, ପ୍ରମାଣପତ୍ର ଓ ପରିଚୟ ପ୍ରମାଣ ପତ୍ର ଗୃହୀତ ହେବ ନାହିଁ। ଏହା ବଦଳରେ ଆଧାରକୁ ହିଁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରାଯିବ। ତେବେ ଏହି ନୂତନ ନିୟମର ବୈଧତା ଆଧାର ସଂଯୋଗ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ।

ଶୁକ୍ରବାର ଆର୍‌ବିଆଇ ପକ୍ଷରୁ ଜାରି ଏକ ସର୍କୁଲାର୍‌ରେ କୁହାଯାଇଛି କି ୨୦୧୭ ଜୁନ୍‌ ମାସରେ କେନ୍ଦ୍ର ସରକାର ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ କିଛି ପରିବର୍ତ୍ତନ ଆଣିଛନ୍ତି। ସେହି ଅନୁସାରେ କେଓ୍ଵାଇସି ଲାଗି ଆଧାର ମୌଳିକ ପ୍ରମାଣ ପତ୍ର ଭାବେ ଗୃହୀତ ହେବ।

ଆର୍‌ବିଆଇ ଦ୍ୱାରା ନିୟନ୍ତ୍ରିତ ସବୁ ଆର୍ଥିକ ଅନୁଷ୍ଠାନ ଓ ବ୍ୟାଙ୍କ ଗ୍ରାହକଙ୍କ ସମ୍ପର୍କିତ ସୂଚନା ସଂଗ୍ରହ କରିବା ଲାଗି ତାଙ୍କଠାରୁ ଆଧାର ନମ୍ବର, ପାନ୍‌କାର୍ଡ ଅଥବା ଆୟରେ ଫର୍ମ ୬୦ ଦାବି କରିବେ। ଯେଉଁ ବ୍ୟକ୍ତି ଆଧାର ପଞ୍ଜିକରଣ ଲାଗି ଯୋଗ୍ୟ ସେମାନଙ୍କଠାରୁ ଆଧାର ନମ୍ବର ସଂଗ୍ରହ ବାଧ୍ୟତାମୂଳକ ହେବ।

ଆଧାର ନମ୍ବର ଆବଶ୍ୟକତାକୁ ଆର୍‌ବିଆଇ ଜମ୍ମୁକଶ୍ମୀର, ଆସାମ୍‌ ଏବଂ ମେଘାଳୟର ଅଧିବାସୀଙ୍କ ଲାଗି କୋହଳ କରିଛନ୍ତି। ମାତ୍ର ଦେଶର ଅନ୍ୟ ସବୁ ରାଜ୍ୟରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ କେଓ୍ଵାଇସି ଲାଗି ଗ୍ରାହକଙ୍କଠାରୁ ଆଧାର ନମ୍ବର ଦାବି କରିବେ।

ସମ୍ବନ୍ଧିତ ଖବର