ମୋବାଇଲ୍‌ ନମ୍ବର-ଆଧାର ସଂଯୋଗ ବିରୋଧରେ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗ କରିବା ପାଇଁ ଦୂରସଂଚାର ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ବିଜ୍ଞପ୍ତି ଜାରି କରାଯାଇଛି ତାହାକୁ ଅସାମ୍ବିଧାନିକ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରାଯାଇଛି। ତାହସିନ ପୁନାଓ୍ଵାଲାଙ୍କ ଦ୍ୱାରା ଦାୟର ହୋଇଥିବା ଏହି ମାମଲାରେ ଦୂରସଂଚାର ବିଭାଗ ଚଳିତ ବର୍ଷ ମାର୍ଚ ୨୩ରେ ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରାଯାଇଛି। ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗ କରିବା ପାଇଁ ଏହି ବିଜ୍ଞପ୍ତି ଜରିଆରେ ସରକାର ଟେଲିକମ୍‌ କଂପାନିଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ସେ କୋର୍ଟଙ୍କ ସହାୟତା ଲୋଡ଼ିଛନ୍ତି। ଟେଲିକମ୍‌ କଂପାନିଗୁଡ଼ିକ ଯେଉଁ ସବୁ ତଥ୍ୟ ସଂଗ୍ରହ କରିଛନ୍ତି ତାହାକୁ ତୁରନ୍ତ ନଷ୍ଟ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଲୋକ ନିତି ଫାଉଣ୍ଡେସନ ନାମକ ଏକ ସଂସ୍ଥା ପକ୍ଷରୁ ଦାୟର କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଚଳିତ ବର୍ଷ ଫେବ୍ରୁଆରି ୬ରେ ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ ଯେ ୧୦୦ କୋଟି ପାଖାପାଖି ମୋବାଇଲ୍‌ ଗ୍ରାହକଙ୍କ ପରିଚୟ ଯାଞ୍ଚ କରିବା ପାଇଁ ବର୍ଷକ ଭିତରେ ଏକ ବ୍ୟବସ୍ଥା ଲାଗୁ କର। ଯେହେତୁ ବ୍ୟାଙ୍କିଙ୍ଗ କାରବାର ପାଇଁ ମୋବାଇଲ୍‌ ନମ୍ବରକୁ ବ୍ୟବହାର କରାଯାଉଛି, ସେଥିପାଇଁ ନମ୍ବରର ପ୍ରକୃକତ ବ୍ୟବହାରକାରୀଙ୍କ ଯାଞ୍ଚ ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର