୫୦୦ ଟଙ୍କାରେ ମିଳୁଛି ନେତା, ଅଭିନେତାଙ୍କ ଡାଟା!

ବିପଦରେ ବ୍ୟକ୍ତିଗତ ଗୋପନୀୟତା

ବେଙ୍ଗାଲୁରୁ: ଇଣ୍ଟରନେଟ୍‌ରେ ରହିଥିବା ଆପଣଙ୍କ ପ୍ରୋଫାଇଲ୍ ଓ ଆର୍ଥିକ ସୂଚନା ‘ଡାର୍କ ୱେବ୍‌’ରେ ୧୪୦ ଟଙ୍କାରେ ବିକ୍ରି ହେଉଛି। କେବଳ ହ୍ୟାକର୍ସ ନୁହନ୍ତି, ବଡ଼ ବଡ଼ କମ୍ପାନି ଏବଂ ବଜାର ସହିତ ଜଡ଼ିତ ଥିବା ଗବେଷକମାନେ ଏହି ଡାଟାକୁ ଲୁଚାଇକରି କିଣୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ‘ଡାର୍କ ୱେବ’ ହେଉଛି ୱାର୍ଲଡ ୱାଇଡ ୱେବର ସେହି ଅଂଶ ଯାହାକି ସମସ୍ତଙ୍କ ପାଇଁ ପହଞ୍ଚ ହୋଇ ନଥାଏ। କେବଳ ‘ଟୋର୍‌’ ଭଳି ଓପନ୍‌ ସୋର୍ସ ସଫ୍ଟଓୟାର ମାଧ୍ୟମରେ ଜଣେ ଏହା ନିକଟରେ ପହଞ୍ଚି ପାରିବ। ଇଣ୍ଟରନେଟର ଏହି ଲୁକ୍କାୟିତ ଅଂଶରେ ହ୍ୟାକର୍ସ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସୂଚନା ଏକତ୍ର ରଖୁଛନ୍ତି। ସେଗୁଡ଼ିକ ମଧ୍ୟରେ ପାସୱାର୍ଡ, ଟେଲିଫୋନ ନମ୍ବର ଏବଂ ଇମେଲ୍ ଆଇଡି ରହିଛି। ଯେଉଁମାନେ ଏହି ଡାଟା ଉପରେ ନଜର ରଖିଛନ୍ତି ସେମାନେ ହେଲେ ସାଇବର ଆକ୍ରମଣ ପାଇଁ ଯୋଜନା କରୁଥିବା ସଂସ୍ଥା, ଗ୍ରାହକଙ୍କ ବ୍ୟବହାର ଅନୁଧ୍ୟାନ ପାଇଁ ଆଗ୍ରହୀ ସଂସ୍ଥା ଏବଂ ଭିଡିଓ ଷ୍ଟ୍ରିମିଂ ସାଇଟକୁ ମାଗଣା ଆକ୍ସେସ କରୁଥିବା ବ୍ୟକ୍ତି ବା ସଂସ୍ଥା। ପ୍ରତିଦ୍ବନ୍ଦୀ ସଂସ୍ଥାଙ୍କ ଗ୍ରାହକ ଆଧାର ସମ୍ପର୍କରେ ସୂଚନା ଖୋଜୁଥିବା କମ୍ପାନି ଗୁଡ଼ିକ ଏହି ଡାଟା କିଣୁଛନ୍ତି। ଏତଦବ୍ୟତୀତ କମ୍ପାନି ଗୁଡ଼ିକର ସମ୍ବେଦଶନୀଳ ଏବଂ ଗୁରୁତ୍ବପୂର୍ଣ୍ଣ ଡାଟା ରଖୁଥିବା କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ମଧ୍ୟ ଟ୍ରାକ୍ କରାଯାଉଛି।

ହ୍ୟାକର୍ସଙ୍କ ‌ଗୋଟିଏ ଗୋଷ୍ଠୀ ଏନକ୍ରିପ୍ଟେଡ ପାସୱାର୍ଡ ମାଧ୍ୟମରେ ଡାଟା ଲିକ୍ କରୁଛନ୍ତି। ଅନ୍ୟ ଗୋଷ୍ଠୀ ତାହାକୁ ଡିକ୍ରିପ୍ଟ କରୁଛନ୍ତି। ତୃତୀୟ ଗୋଷ୍ଠୀ ‌ଡିକ୍ରିପ୍ଟେଡ ପାସୱାର୍ଡର ତାଲିକା ପ୍ରସ୍ତୁତ କରି ସେସବୁକୁ ଏକ ସେଣ୍ଟ୍ରାଲ ସର୍ଭରରେ ଷ୍ଟୋର କରୁଛନ୍ତି। ହ୍ୟାକରଙ୍କ ପାଇଁ ଏକ ସେଣ୍ଟ୍ରାଲ ସର୍ଭର ଡାଟାର ଉତ୍ସ ହୋଇପାରୁଛି ବୋଲି ଜଣେ ସ୍ବାଧୀନ ସାଇବର ସିକ୍ୟୁରିଟି ଗବେଷକ ରାଜଶେଖର ରାଜହରିଆ କହିଛନ୍ତି। ବିଶେଷଜ୍ଞ ଗୌତମ କୁମାୱାତ୍ କୁହନ୍ତି, ଜଣେ ସାଧାରଣ ବ୍ୟବହାରକାରୀଙ୍କ ପାସୱାର୍ଡ ୧ ଟଙ୍କାରେ ମଧ୍ୟ ଉପଲବ୍ଧ ହେଉଛି। କିନ୍ତୁ ସାଧାରଣ ଜୀବନରେ ଥିବା ରାଜନେତା, ବଲିଉଡ ଅଭିନେତାଙ୍କ ଡାଟା ୫୦୦ରୁ ୨୦୦୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ଦେଖାଦେଇଛି। କଡ଼ା ନିୟମ ହିଁ ଏହି ଡାଟା ଚୋରିକୁ ରୋକିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

କେଉଁମାନଙ୍କ ପ୍ରତି ବିପଦ ଅଧିକ
ଜଣେ ବ୍ୟକ୍ତି ଯଦି ଏକାଧିକ ଅନଲାଇନ୍ ଆକାଉଣ୍ଟ ପାଇଁ ଗୋଟିଏ ପାସୱାର୍ଡ ବ୍ୟବହାର କରୁଛନ୍ତି କିମ୍ବା ସାମାନ୍ୟ ଭିନ୍ନ ପାସୱାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଡାଟା ହ୍ୟାକ୍ ହେବାର ବିପଦ ଅଧିକ ରହିଛି।

ପ୍ୟାକେଜରେ ବିକ୍ରି ହେଉଛି
ବ୍ୟବହାରକାରୀଙ୍କ ଡାଟାଗୁଡ଼ିକୁ ପ୍ୟାକେଜରେ ବିକ୍ରି କରାଯାଉଛି। ଦିନକୁ ୨ ଡଲାର ବା ୧୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ତିନିମାସ ପାଇଁ ୭୦ ଡଲାର ବା ୪୯୦୦ ଟଙ୍କାରେ ବିକ୍ରି କରାଯାଉଛି। ଗ୍ରାହକମାନେ ବିଟକଏନ, ଲାଇଟକଏନ, ଡ୍ୟାସ, ରିପଲ, ଇଥେରିଅମ, ଜେଡକ୍ୟାସ୍ ଭଳି କ୍ରିପ୍ଟୋକରେନ୍ସି ବ୍ୟବହାର କରି ଏହି ଅର୍ଥ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର