ଆଦାନି, ଅମ୍ବାନିଙ୍କ ସମ୍ପତ୍ତି କମିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସେୟାର ବଜାର ଦେଶର ପ୍ରମୁଖ ଧନୀ ବ୍ୟକ୍ତିମାନଙ୍କୁ ବଡ଼ ଝଟ୍‌କା ଦେଇଛି। କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ବହୁତ କମିଯାଇଛି। ଏଥିରୁ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ମଧ୍ୟ ବାଦ ପଡ଼ିନାହାନ୍ତି। ସମ୍ପତ୍ତି ହ୍ରାସ ପାଇଥିବା ଧନୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଆଦାନି, ଅଜିମ୍‌ ପ୍ରେମ୍‌ଜୀଙ୍କ ଭଳି କୋଟିପତିଙ୍କ ନାମ ରହିଛି। ମୁକେଶ ଅମ୍ବାନି, ଗୌତମ ଆଦାନି, ଅଜିମ୍‌ ପ୍ରେମ୍‌ଜି, ଦିଲ୍ଲୀପ ସାଂଘଭି ଓ କୁମାର ମଙ୍ଗଳମ ବିର୍ଲାଙ୍କ ସମ୍ପତ୍ତି କୋଟି କୋଟି ଟଙ୍କା କମିଯାଇଛି। ଏହି ୫ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୧୫୦୦ କୋଟି ଡଲାର ହ୍ରାସ ପାଇଛି। ସବୁଠୁ ଅଧିକ ସମ୍ପତ୍ତି ହରାଇଛନ୍ତି ଗୌତମ ଆଦାନି। ତାଙ୍କ ସମ୍ପତ୍ତି ୩୬୮ କୋଟି ଡଲାର ହ୍ରାସ ଘଟିଛି। ଫଳରେ ଏବେ ତାଙ୍କ ପାଖରେ ୬୭୫ କୋଟି ଡଲାରର ସମ୍ପତ୍ତି ରହିଛି। ସେହିଭଳି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨୮୩ କୋଟି ଡଲାର କମିଛି। ଏବେ ତାଙ୍କ ପାଖରେ ୩୭୪୦ କୋଟି ଡଲାରର ସମ୍ପତ୍ତି ରହିଛି। ସେ ହେଉଛନ୍ତି ଦେଶର ୧ ନମ୍ବର ଧନୀ ବ୍ୟକ୍ତି। ଆଇଟି କମ୍ପାନି ଓ୍ଵିପ୍ରୋର ମାଲିକ ଅଜିମ୍‌ ପ୍ରେମ୍‌ଜୀଙ୍କ ସମ୍ପତ୍ତି ପରିମାଣ ମଧ୍ୟ ୩୨୨ କୋଟି ଡଲାର ହ୍ରାସ ପାଇଛି। ଏବେ ତାଙ୍କ ପାଖରେ ୧୪୭୦ କୋଟି ଡଲାର ସମ୍ପତ୍ତି ରହିଛି। ସନ୍‌ ଫାର୍ମାସ୍ୟୁଟିକାଲ୍ସର ମୁଖ୍ୟ ଦିଲ୍ଲୀପ ସାଂଘଭିଙ୍କ ସମ୍ପତ୍ତି ୩୪୮ କୋଟି ଡଲାର ହ୍ରାସ ପାଇ ୯୩୪ କୋଟି ଡଲାର ରହିଯାଇଛି। କୁମାର ମଙ୍ଗଳମ୍‌ ବିର୍ଲାଙ୍କ ସମ୍ପତ୍ତି ୨୨୪ କୋଟି ଡଲାର ହ୍ରାସ ପାଇଛି। ଫଳରେ ଏବେ ତାଙ୍କ ପାଖରେ ୬୮୩ କୋଟି ଡଲାରର ସମ୍ପତ୍ତି ରହିଛି। ଡିଏଲ୍‌ଏଫ୍‌ର ମୁଖ୍ୟ କେ. ପି. ସିଂହଙ୍କ ସମ୍ପତ୍ତିରେ ୧୬୫ କୋଟି ଡଲାର କମିଛି। ଏବେ ତାଙ୍କ ପାଖରେ ୪୭୯ କୋଟି ଡଲାର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର