ଏଡିବି ଦେବ ୮୫ ନିୟୁତ ଡଲାର ଋଣ

ଓଡ଼ିଶାରେ ଦକ୍ଷତା ବିକାଶରେ ଖର୍ଚ ହେବ O ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ବର: ରାଜ୍ୟର ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦେବା ଲାଗି ରାଜ୍ୟ ସରକାର ଆଜି ଏସୀୟ ବିକାଶ ବ୍ୟାଙ୍କ ସହିତ ନୂଆଦିଲ୍ଲୀରେ ଏକ ୮୫ ନିୟୁତ ଡଲାରର ରାଜିନାମା ସ୍ବାକ୍ଷର କରିଛନ୍ତି। ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ଦିଆଯିବାକୁ ଥିବା ଏହି ଅର୍ଥରେ ରାଜ୍ୟର ୧୫ରୁ ୩୪ ବର୍ଷର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଯାହାଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ବେତନରେ ଚାକିରି କରିବା ସୁଯୋଗ ପାଇବା ପାଇଁ ରାଜ୍ୟର ଯୁବକଯୁବତୀମାନେ ଦକ୍ଷ ହୋଇପାରିବେ।
ରାଜ୍ୟରେ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ପ୍ରକଳ୍ପ କରିବାକୁ ଯାଉଛନ୍ତି ତାହାର ମୋଟ ବ୍ୟୟ ଅଟକଳ ହେଉଛି ୧୯୩ ନିୟୁତ ଡଲାର। ଏଥିରୁ ରାଜ୍ୟ ସରକାର ୧୦୮ ନିୟୁତ ଡଲାର ଯୋଗାଇ ଦେବେ। ଏଥିସହିତ ଉକ୍ତ ପ୍ରକଳ୍ପରେ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଜାପାନ ଫଣ୍ଡ୍ ପଭର୍ଟି ରିଡକ୍ସନ ବୈଷୟିକ ସହାୟତା ଯୋଗାଇ ଦେବ।
ଭୁବନେଶ୍ବରରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନଠାରୁ ଆରମ୍ଭ କରି ଏହାର ପରିଚାଳନା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ସିଙ୍ଗାପୁରର ଆଇଟିଇ ଏଜୁକେସନ ସର୍ଭିସେସ୍ ମିଳିତଭାବେ କରିବେ। ଶିଳ୍ପ ପ୍ରତିଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବ। ରାଜ୍ୟର ପ୍ରମୁଖ ଆଇଟିଆଇ ଗୁଡ଼ିକର ଶିକ୍ଷକମାନଙ୍କୁ ଏହି କେନ୍ଦ୍ରରେ ତାଲିମ ପ୍ରଦାନର ବ୍ୟବସ୍ଥା କରାଯିବ। ସେହିଭଳି ଭବିଷ୍ୟତର ଆବଶ୍ୟକତାକୁ ଦୃ୍‌ଷ୍ଟିରେ ରଖି ଆଇଟିଆଇ ଗୁଡ଼ିକର ପାଠ୍ୟକ୍ରମ ଏବଂ ଭିତ୍ତିଭୂମି ବିକାଶ ଦିଗରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ୨୦୨୫ ସୁଦ୍ଧା ରାଜ୍ୟରୁ ବେକାରି ଏବଂ ଶିକ୍ଷା ଅନୁସାରେ ଚାକିରି ପାଇ ନଥିବା ବ୍ୟକ୍ତିଙ୍କ ହାରକୁ ଏହା ବହୁମାତ୍ରାରେ କମାଇବାରେ ସହାୟକ ହେବ। ରାଜ୍ୟରେ ଦକ୍ଷତା ବିକାଶ ପାଇଁ ଏହା ଏକ ଉନ୍ନତ ପରିବେଶ ସୃଷ୍ଟି କରିବ। ମାନିଲାସ୍ଥିତ ଏଡିବି ସହିତ ଋଣ ରାଜିନାମା ଅତିରିକ୍ତ ସଚିବ (ଫଣ୍ଡ୍ ବ୍ୟାଙ୍କ ଆଣ୍ଡ ଏଡିବି) ସମୀର କୁମାର ଖାରେ ଓ ଏଡିବି ଇଣ୍ଡିଆ କାର୍ଯ୍ୟାଳୟର କଣ୍ଟ୍ରି ଡାଇରେକ୍ଟର କେନିଚି ୟୋକୋୟାମାଙ୍କ ମଧ୍ୟରେ ସ୍ବାକ୍ଷର ହୋଇଛି। ସେହିଭଳି ପ୍ରକଳ୍ପ ରାଜିନାମା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ତଥା କମିସନର ସଂଜୟ କୁମାର ସିଂହ ଏବଂ ଏଡିବିର କଣ୍ଟ୍ରି ଡାଇରେକ୍ଟର ଶ୍ରୀ ୟୋକୋୟାମାଙ୍କ ମଧ୍ୟରେ ସ୍ବାକ୍ଷର ହୋଇଛି।

ସମ୍ବନ୍ଧିତ ଖବର