ନିଜ ସମ୍ପତ୍ତି ଖର୍ଚ୍ଚ କରିବାରୁ ବଞ୍ଚିତ ଶିଳ୍ପପତି: ଅଡ଼ୁଅାରେ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିତାଡ଼ିତ ସାଇରସ୍‌ ମିସ୍ତ୍ରୀଙ୍କ ପରିବାର

ମୁମ୍ବାଇ: ଦେଶର ଜଣେ ବିଶିଷ୍ଟ ଶିଳ୍ପପତି ହେଉଛନ୍ତି ପାଲୋଞ୍ଜି ମିସ୍ତ୍ରୀ। ନିଜ ସମ୍ପତ୍ତିକୁ ଖର୍ଚ୍ଚ କରିବା ଅଧିକାରରୁ ସେ ବଞ୍ଚିତ ହୋଇଛନ୍ତି। ଟାଟା ଗ୍ରୁପ୍‌ରେ ତାଙ୍କର ୧୮.୪% ଅଂଶଧନ ରହିଛି ଯାହାର ମୂଲ୍ୟ ହେଉଛି ୧୭୦୦ କୋଟି ଡଲାର। ସେହି ଅଂଶଧନକୁ ସେ ଚାହୁଁଥିଲେ ମଧ୍ୟ ବିକ୍ରି କରିପାରୁନାହାନ୍ତି।

ପାଲୋଞ୍ଜିଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୨୦ ବିଲିଅନ୍‌ ଡଲାର (୧,୩୦,୯୪୦ କୋଟି ଟଙ୍କା)। ସେଥି ମଧ୍ୟରୁ ୮୪% ଧନରାଶି ଟାଟା ଗ୍ରୁପ୍‌ରେ ଅଂଶଧନ ଭାବେ ରହିଛି।

୨୦୧୬ରେ ମିସ୍ତ୍ରୀ ପରିବାରର ପୁଅ ସାଇରସ୍‌ ମିସ୍ତ୍ରୀଙ୍କୁ ଏକ ନାଟକୀୟ ପରିସ୍ଥିତିରେ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିତାଡ଼ିତ କରାଯାଇଥିଲା। ଏହି ଘଟଣା ପରଠାରୁ ପାଲୋଞ୍ଜିଙ୍କ ସମସ୍ୟା ବଢ଼ିଯାଇଛି।

www.indiatvnews.com

ଟାଟା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ବୋର୍ଡର ବିନା ଅନୁମତିରେ କୌଣସି ଅଂଶଧନକାରୀ ନିଜ ଅଂଶଧନକୁ ବିକ୍ରି କରିପାରିବେ ନାହିଁ। ଚଳିତ ମାସରେ ସେହି ନିଷ୍ପତ୍ତିକୁ ସରକାରୀ ଅନୁମୋଦନ ମିଳିଯାଇଥିବାରୁ ପାଲୋଞ୍ଜି ନିଜ ସମ୍ପତ୍ତିକୁ ବିକ୍ରି କରିପାରୁନାହାନ୍ତି। ବିଗତ ଦୁଇ ବର୍ଷ ହେଲାଣି ପାଲୋଞ୍ଜି ଓ ତାଙ୍କ ପରିବାର ଟାଟା ବିରୋଧରେ ଆଇନଗତ ଲଢ଼େଇ ଲଢ଼ୁଛନ୍ତି।

ସାଇରସ୍‌ ମିସ୍ତ୍ରୀଙ୍କୁ ବିତାଡ଼ିତ କରିବା ପୂର୍ବରୁ ଟାଟା ଏକ ପବ୍ଲିକ୍‌ ଲିମିଟେଡ୍‌ କଂପାନି ଥିଲା। ସେତେବେଳେ ଅଂଶଧନକାରୀମାନେ ନିଜ ଇଛାରେ ଅଂଶଧନକୁ ସ୍ଥାନାନ୍ତର କରିପାରୁଥିଲେ। କିନ୍ତୁ ଏବେ ସେହି ସ୍ୱାଧୀନତା ଅଂଶଧନକାରୀଙ୍କ ପାଖରେ ନାହିଁ। କିଛି ମାସ ପୂର୍ବେ ଟାଟା ଗ୍ରୁପ୍‌ ନିଜକୁ ଏକ ପ୍ରାଇଭେଟ୍‌ ଲିମିଟେଡ୍‌ କଂପାନିରେ ପରିଣତ କରିଦେଇଛି। ଟାଟାର କୌଣସି ଅଂଶଧନ ବିକ୍ରି କରିବାକୁ ହେଲେ କଂପାନିର ନିର୍ଦେଶକ ବୋର୍ଡର ଅନୁମତି ଏବେ ନିହାତି ଜରୁରୀ।

ସମ୍ବନ୍ଧିତ ଖବର