ବ୍ୟାଙ୍କ ଖାତା-ଆଧାର ସଂଯୋଗକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ବ୍ୟାଙ୍କ ଖାତା ସହିତ ଆଧାର ଯୋଡ଼ାଯିବା ବାଧ୍ୟତାମୂଳକ ବୋଲି ରିଜର୍ଭ ବ୍ୟାଙ୍କ ଗତକାଲି ସ୍ପଷ୍ଟୀକରଣ ଦେବାପରେ ଏହାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ବ୍ୟାଙ୍କ ଖାତା ସହିତ ଆଧାରକୁ ଯୋଡ଼ାଯିବା ଲାଗି ରିଜର୍ଭ ବ୍ୟାଙ୍କ ନେଇଥିବା ନିଷ୍ପତ୍ତିର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଛି। ଏ ନେଇ ଏକ ପିଟିସନ ଦାଏର ହୋଇଛି। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା କଲ୍ୟାଣୀ ମେନନ୍‌ ସେନ୍‌ ନାମ୍ନୀ ଜଣେ ମହିଳା ଅଧିକାର କର୍ମୀ ଏହି ପିଟିସନ ଦାଏର କରିଛନ୍ତି। ଏହି ଆବେଦନରେ ସେ ମୋବାଇଲ ଫୋନ ନମ୍ବର ସହିତ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ଗତ ମାର୍ଚ ୨୩ ତାରିଖରେ ଟେଲିକମ୍‌ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ମଧ୍ୟ ବିରୋଧ କରାଯାଇଛି। ସରକାରଙ୍କ ଉଭୟ ନିଷ୍ପତ୍ତି ବ୍ୟକ୍ତିର ଗୋପନୀୟତା ଅଧିକାରକୁ ଉଲ୍ଲଙ୍ଘନ କରୁଥିବାରୁ ଏହା ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ଆଇନଜୀବୀ ବିପିନ ନାୟରଙ୍କ ମାଧ୍ୟମରେ ସେନ୍‌ ଏହି ମାମଲା ଦାଏର କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର