ଚର୍ଚିତ ଚେହେରା ଆଦିତ୍ୟ ଘୋଷ : ଓକିଲରୁ ହୋଇଥିଲେ ଇଣ୍ଡିଗୋ ସଭାପତି

ବ୍ୟବସାୟ ଦୁନିଆରେ ସଫଳ ହେବାକୁ ହେଲେ ଆଇଆଇଏମ୍‌ କିମ୍ବା ଆଇଆଇଟି ଡିଗ୍ରି ଦରକାର ନାହିଁ। ଏହା ପ୍ରମାଣିତ କରିଛନ୍ତି ଇଣ୍ଡିଗୋ ସଭାପତି ପଦରୁ ସଦ୍ୟ ଇସ୍ତଫା ପ୍ରଦାନ କରିଥିବା ଆଦିତ୍ୟ ଘୋଷ। ନିଜ ଜୀବନରେ କୌଣସି ବିଜନେସ୍‌ ସ୍କୁଲ୍‌ରେ ପଢ଼ି ନଥିବା ଆଦିିତ୍ୟ ୧୦ ବର୍ଷ ଭିତରେ ଇଣ୍ଡିଗୋକୁ ଦେଶର ଏକ ବଡ଼ ବିମାନ କଂପାନିରେ ପରିଣତ କରିଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ କରିଥିବା ଆଦିତ୍ୟ ଦିଲ୍ଲୀର ଜେ ସାଗର ଆସୋସିଏଟସ୍‌ରେ ଓକିଲ ଭାବେ କାମ କରୁଥିଲେ। ସେହି ସମୟରେ ସେ ଇଣ୍ଡିଗୋର ମାଲିକ ରାହୁଲ ଭାଟିଆଙ୍କ କଂପାନିର ସବୁ ମାମଲାର ଦେଖାଶୁଣା କରୁଥିଲେ। କିଛି ଦିନ ପରେ ଆଦିତ୍ୟଙ୍କୁ ଇଣ୍ଡିଗୋର ଜେନେରାଲ୍‌ କାଉନ୍‌ସେଲ୍‌ ଭାବେ ଭାଟିଆ ନିଯୁକ୍ତି ଦେଇଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ୨୦୦୮ରେ ଆଦିତ୍ୟଙ୍କୁ ଇଣ୍ଡିଗୋର ସଭାପତି ଭାବେ ଚୟନ କରାଯାଇଥିଲା। ସେହି ସମୟରେ ତାଙ୍କ ନିଯୁକ୍ତିକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ତାଙ୍କୁ ନିଯୁକ୍ତି ଦେବା ବେଳେ କଂପାନି କର୍ତୃପକ୍ଷ କେବେ ବି ଭାବି ନଥିବେ ଯେ ଆଦିତ୍ୟ ଇଣ୍ଡିଗୋକୁ ଉଚ୍ଚ ସ୍ତରକୁ ନେଇଯିବେ। ତାଙ୍କ ନେତୃତ୍ୱରେ କଂପାନି କ୍ରମାଗତ ୯ ବର୍ଷ ପର୍ଯ୍ୟନ୍ତ ଲାଭରେ ଚାଲିଛି। ସ୍ଥାନୀୟ ବିମାନ ବଜାରର ୪୦% ଭାଗ ଉପରେ ଇଣ୍ଡିଗୋର ଆଧିପତ୍ୟ ରହିଛି। ମାତ୍ର ପାଞ୍ଚ ବର୍ଷ ଭିତରେ ଇଣ୍ଡିଗୋର ବଜାର ଅଂଶକୁ ଆଦିତ୍ୟ ଦୁଇ ଗୁଣ ବଢ଼ାଇ ପାରିଥିଲେ।
ଅଧିକ ଝିନ୍‌ଝଟ୍‌କୁ ଆଦିତ୍ୟ ପସନ୍ଦ କରନ୍ତି ନାହିଁ। ସବୁ ବେଳେ ଶସ୍ତା ହୋଟେଲ୍‌ରେ ରହୁନ୍ତି ଓ ନିଜ ଷ୍ଟାଫ୍‌ମାନଙ୍କୁ ମଧ୍ୟ ଶସ୍ତା ହୋଟେଲ୍‌ରେ ରହିବାକୁ ପରାମର୍ଶ ଦିଅନ୍ତି। ଗୁରୁଗାଓଁରେ ତାଙ୍କର ଏକ ଛୋଟ କାର୍ଯ୍ୟାଳୟ ରହିଛି।

ଇଣ୍ଡିଗୋରେ ନିଯୁକ୍ତି ପାଇବାର ୪ ବର୍ଷ ପରେ ଆଦିତ୍ୟଙ୍କ ନାମ ଫର୍ଚ୍ୟୁନ୍‌ ଅଣ୍ଡର ୪୦ ବିଜ୍‌ନେସ୍‌ମ୍ୟାନ୍‌ ତାଲିକାରେ ସ୍ଥାନ ପାଇଥିଲା। ଫର୍ଚ୍ୟୁନ୍‌ ପକ୍ଷରୁ ଆଦିତ୍ୟଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ପୂର୍ବରୁ କଂପାନି ପରିଚାଳନା କରିବାର କୌଣସି ଅଭିଜ୍ଞତା ନଥିବା ଏହି ଯୁବକ ଯେ ଏତେ ବଡ଼ କଂପାନିକୁ ଏତେ ବଢ଼ିଆ ଭାବେ ପରିଚାଳନା କରିବେ ତାହା ଲୋକଙ୍କ କଳ୍ପନା ବାହାରେ ଥିଲା।
ଇଣ୍ଡିଗୋ ହେଉଛି ଭାରତର ସବୁଠୁ ବଡ଼ ବିମାନ କଂପାନି। ପ୍ରତିଦିନ ୪୯ଟି ସହରକୁ ଏହାର ୧୦୦୦ଟି ବିମାନ ଯାତାୟାତ କରୁଛି। ପ୍ରତି ମାସରେ ୪୪ ଲକ୍ଷ ଲୋକଙ୍କୁ ଏହା ବିମାନ ଯାତ୍ରାର ସୁବିଧା ପ୍ରଦାନ କରୁଛି। ନିକଟରେ ସେ ଇଣ୍ଡିଗୋର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସେ କଂପାନି ପାଇଁ କାମ କରିବେ। ଏହା ପରେ ସେ ନିଜର ଏକ କଂପାନି ଖୋଲିବା ପାଇଁ କାମ କରିବେ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର