୧୧ ମାସ ପରେ ଗାଡ଼ି ବିକ୍ରି ବଢ଼ିଲା: ନଭେମ୍ବର, ଡିସେମ୍ବରରେ ସ୍ଥିତି ଆହୁରି ସୁଧୁରିବ

ନୂଆଦିଲ୍ଲୀ: ଦୀର୍ଘ ୧୧ ମାସ ପରେ ଗାଡ଼ି ବିକ୍ରି‌ରେ ବୃଦ୍ଧି ଘଟିଛି। ଗତ ଅକ୍ଟୋବରରେ ଗାଡ଼ି ବିକ୍ରି ସାମାନ୍ୟ ବଢ଼ିଛି ବୋଲି ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍ ପକ୍ଷରୁ କୁହାଯାଇଛି। ଉତ୍ସବ ଋତୁ ଏବଂ ନୂଆ ମଡେଲ୍‌ ବିକ୍ରି ବଢ଼ାଇବାରେ ସହାୟକ ହୋଇଛି। ନଭେମ୍ବର ଓ ଡିସେମ୍ବରରେ ମଧ୍ୟ ବିକ୍ରି ବୃଦ୍ଧିର ଧାରା ଜାରି ରହିବ ବୋଲି ସିଆମ୍ ଆକଳନ କରିଛି। ସିଆମ୍ ଅନୁଯାୟୀ, ଗତ ଅକ୍ଟୋବରରେ ଯାତ୍ରୀବାହୀ ଯାନ ବିକ୍ରି ୦.୨୮% ବୃଦ୍ଧି ପାଇ ୨ ଲକ୍ଷ ୮୫,୦୨୭ ହୋଇଛି। ୨୦୧୮ ଅକ୍ଟୋବରରେ ୨ ଲକ୍ଷ ୮୪ ହଜାର ୨୨୩ଟି ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇଥିଲା। ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବା ଗାଡ଼ିଗୁଡ଼ିକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ିର ବିକ୍ରି କମିଛି। କେବଳ ୟୁଟିଲିଟି ଯାନ, ଯାତ୍ରୀବାହୀ ଯାନ ଏବଂ କ୍ବାଡ୍ରିସାଇକଲ୍‌ର ବିକ୍ରି ବଢ଼ିଛି।ଗତ ଅକ୍ଟୋବରରେ ସ୍ଥାନୀୟ ବଜାରରେ ୧ ଲକ୍ଷ ୭୩ ହଜାର ୬୪୯ଟି କାର୍‌ ବିକ୍ରି ହୋଇଛି। ୟୁଟିଲିଟି ଯାନ ବିକ୍ରି ୨୨.୨୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୭୨୫ରେ ପହଞ୍ଚିଛି। କଂପାନିଗୁଡ଼ିକ ପାଖରେ ପୂର୍ବରୁ ଉତ୍ପାଦନ ହୋଇ ପଡ଼ିରହିଥିବା ଗାଡ଼ିଗୁଡ଼ିକର ପରିମାଣ ମଧ୍ୟ ହ୍ରାସ ପାଇଛି। ଆଲୋଚ୍ୟ ମାସରେ ୧୧ ଲକ୍ଷ ୧୬ ହଜାର ୯୭୦ଟି ମୋଟରସାଇକଲ୍ ବିକ୍ରି ହୋଇଥିବା ବେଳେ ୫ ଲକ୍ଷ ୮୦ ହଜାର ୧୨୦ଟି ସ୍କୁଟର ବିକ୍ରି ହୋଇଛି। ଏହି ମାସରେ ଦେଶରେ ୬୬,୭୭୩ଟି ବାଣିଜ୍ୟିକ ଯାନ ବିକ୍ରି ହୋଇଥିବା ଜଣାପଡ଼ିଛି। ଗାଡ଼ି ବିକ୍ରି ବୃଦ୍ଧି ସମ୍ପର୍କରେ ସିଆମ୍‌ର ସଭାପତି ରାଜନ ୱାଧେରା କହିଛନ୍ତି, ଗତବର୍ଷ ତୁଳନାରେ ଏବର୍ଷ ଉତ୍ସବ ସମୟରେ ବିକ୍ରି ବହୁତ ଭଲ ରହିଛି।

ସମ୍ବନ୍ଧିତ ଖବର