ପୁଣି ୧୪୦୦ କୋଟିର ଋଣ ଠକେଇ

ନୂଆଦିଲ୍ଲୀ: ଦେଶରେ ପୁଣି ଏକ ଋଣ ଠକେଇ ସାମ୍ନାକୁ ଆସିଛି। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସମେତ ୯ଟି ବ୍ୟାଙ୍କରୁ ଏକ ଆଲୁମିନିୟମ ଫଏଲ୍‌ ନିର୍ମାଣ କରୁଥିବା ସଂସ୍ଥା ୧୪୦୦ କୋଟି ଟଙ୍କାର ଋଣ ଠକେଇ କରିଛି। ସେହି ମାମଲାରେ ଆଜି ସିବିଆଇ ପକ୍ଷରୁ ମୁମ୍ବାଇର ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ପାରେଖ ଆଲୁମିନେକ୍ସ ନାମକ ଏହି ସଂସ୍ଥା ୨୦୦୪ରୁ ୨୦୧୨ ଭିତରେ ବ୍ୟାଙ୍କଗୁଡ଼ିକରୁ ଋଣ ନେଇଥିଲା, କିନ୍ତୁ ତାହାକୁ ପରିଶୋଧ କରିନଥିଲା। କାରବାରର ଭୁଲ ତଥ୍ୟ ଦେଇ ଏବଂ ଜାଲ କାଗଜପତ୍ର ଜରିଆରେ କଂପାନି ଋଣ ହାତେଇଥିଲା। ଦୀର୍ଘ ଦିନ ପର୍ଯ୍ୟନ୍ତ କଂପାନି ଋଣ ପରିଶୋଧ ନକରିବାକୁ ବ୍ୟାଙ୍କଗୁଡ଼ିକ ତରଫରୁ ସେହି ଋଣକୁ ଏନ୍‌ପିଏ ଘୋଷଣା କରାଯାଇଥିଲା। ବିଭିନ୍ନ ଜାଲ କଂପାନି ଗଠନ କରି ଋଣ ଅର୍ଥରାଶିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି। କାନୁନ୍‌ଗୋ ଗ୍ରୁପ୍, କିର୍ତୀ କେଡିଆ ଗ୍ରୁପ ଏବଂ ଜେ କେ ଶାହ ଗ୍ରୁପ ନାମକ କଂପାନିକୁ ଋଣ ଅର୍ଥ ପ୍ରଦାନ କରାଯାଇଥିଲା। ଏଥିପାଇଁ କଂପାନି ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା। ମେସିନ ଏବଂ କଞ୍ଚାମାଲ ବାବଦ ପେମେଣ୍ଟ ନାଁରେ କମଲେଶ କାନୁନଗୋ ଗ୍ରୁପ୍‌କୁ ୪୬୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ କିର୍ତୀ କେଡିଆ ଗ୍ରୁପକୁ ନିର୍ମାଣ କାମ ନାଁରେ ୫୧୩ କୋଟି ଟଙ୍କା ଏବଂ କେ ଜେ ଶାହ ଗ୍ରୁପ୍‌କୁ ଫାଇନାନ୍ସିଆଲ ବ୍ରୋକରେଜ୍‌ ବାବଦରେ ୧୧୦ କୋଟି ଟଙ୍କା ଦିଆଯାଇଥିଲା। ପାରେଖ ଆଲୁମିନେକ୍ସ ନାମରେ ୨୦୧୭ରେ ପ୍ରାରମ୍ଭିକ ଏତଲା ଦାୟର କରାଯାଇଥିଲା। ସେହି ଏତଲା ଆଧାରରେ ଆଜି ସିବିଆଇ ପକ୍ଷରୁ ଉକ୍ତ କଂପାନିର ପ୍ରତିଷ୍ଠାତାଙ୍କ ବାସଭବନ ଏବଂ ତିନି କଂପାନିର କାର୍ଯ୍ୟାଳୟରେ ଚଡ଼ଉ କରାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଚଢ଼ଉ ଆରମ୍ଭ ହୋଇ ବୁଧବାର ରାତିରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର