ପୁଣି ୨୬୫୪ କୋଟିର ଋଣ ଠକେଇ:ସିବିଆଇର ଚଢ଼ଉ

୨୦୦୦ କୋଟିର ବିଟ୍‌କଏନ୍‌ ଠକେଇ

ନୂଆଦିଲ୍ଲୀ/ଅହମ୍ମଦାବାଦ: ବ୍ୟାଙ୍କ ଠକେଇରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଠକେଇ ପଦାକୁ ଆସିବାରେ ଲାଗିଛି। ଏଥରକ ‘ଡାଇମଣ୍ଡ ପାଓ୍ଵାର ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ’ ନାମକ ଗୁଜରାଟର ଏକ ଭିତ୍ତିଭୂମି ନିର୍ମାଣକାରୀ କମ୍ପାନି ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସିବିଆଇ ଭଦୋଦରା ଭିତ୍ତିକ ଏହି କମ୍ପାନିର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରିଛି। ଏହି କମ୍ପାନିର ପରିଚାଳକମାନେ ୧୧ଟି ବ୍ୟାଙ୍କକୁ ନେଇ ଗଠିତ କନ୍‌ସୋର୍ଟିୟମରୁ ଋଣ ଉଠାଇଥିଲେ। କମ୍ପାନିଟି ଇଲେକ୍‌ଟ୍ରିକ୍‌ କେବୁଲ୍‌ ଏବଂ ଉପକରଣ ବ୍ୟବସାୟ କରିଆସୁଛି। ଏହି କମ୍ପାନିର ନିର୍ଦେଶକମାନେ ବ୍ୟାଙ୍କ ଗୁଡ଼ିକୁ ୨୬୫୪ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
ଏହି କମ୍ପାନିର ପ୍ରତିଷ୍ଠାତାମାନେ ହେଲେ ଏସ୍‌. ଏନ୍‌. ଭଟ୍ଟନାଗର ଏବଂ ତାଙ୍କ ପୁଅ ଅମିତ ଭଟ୍ଟନାଗର ଏବଂ ସୁମିତ ଭଟ୍ଟନାଗର। ଅଭିଯୋଗ ଅନୁଯାୟୀ, ଡାଇମଣ୍ଡ ପାଓ୍ଵାର ଜାଲିଆତି କରି ୧୧ଟି ବ୍ୟାଙ୍କରୁ ୨୦୦୮ ମସିହାରୁ ଋଣ ସୁବିଧା ହାତେଇ ଆସୁଥିଲେ। ଏହି ୧୧ଟି ବ୍ୟାଙ୍କ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ରହିଛନ୍ତି। ୨୦୧୬ ଜୁନ୍‌ ୨୯ ସୁଦ୍ଧା ଏହି କମ୍ପାନି ଉପରେ ବ୍ୟାଙ୍କ ଗୁଡ଼ିକର ୨୬୫୪.୪୦ କୋଟି ଟଙ୍କାର ଋଣ ବକେୟା ପଡ଼ି ରହିଛି। ୨୦୧୬-୧୭ରେ ଏହି ଋଣକୁ ଅନାଦାୟ ଋଣ ଘୋଷଣା କରାଯାଇଥିଲା।
କମ୍ପାନି ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ଭିତିରି ସଂପର୍କ ସ୍ଥାପନ କରି ଏହି ଋଣ ହାତେଇବାରେ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି। କମ୍ପାନି ଷ୍ଟକ ସଂକ୍ରାନ୍ତ ମିଥ୍ୟା ବିବୃତି ଦେଇ କ୍ୟାସ କ୍ରେଡିଟ୍‌ ଆକାଉଣ୍ଟରେ ଅଧିକ ଟଙ୍କା ଉଠାଇବା ସୁବିଧା ପାଉଥିବା ଅଭିଯୋଗ ସିବିଆଇ କରିଛି। ଏକାଧିକ ସଂଖ୍ୟକ ଏଲ୍‌ଓସି ବା ଲେଟର୍ସ ଅଫ୍‌ କ୍ରେଡିଟ୍‌ ହାତେଇବା ପାଇଁ ଡାଇମଣ୍ଡ ପାଓ୍ଵାର କ୍ୟାସ କ୍ରେଡିଟ୍‌ ଲିମିଟ୍‌କୁ ବହୁଳ ଉପଯୋଗ କରିଛି ବୋଲି ସିବିଆଇ ଏହାର ଅଭିଯୋଗରେ ଦର୍ଶାଇଛି।

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ଠକେଇ ପରେ ଏବେ ବିଟ୍‌କଏନ୍‌ ଠକେଇ ପଦାକୁ ଆସିଛି। ପ୍ରାୟ ୨୦୦୦ କୋଟି ଟଙ୍କାର ଠକେଇ ଏଥିରେ ହୋଇଛି। ୮୦୦୦ ଜଣ ଲୋକ ଏହି ଠକେଇର ଶିକାର ହୋଇଛନ୍ତି। ଅମିତ ଭରଦ୍ୱାଜ ନାମକ ଦିଲ୍ଲୀର ଜଣେ ଉଦ୍ୟୋଗୀଙ୍କୁ ପୁନେ ପୁଲିସ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଛି। ଭରଦ୍ୱାଜ ବ୍ୟାଙ୍କକ୍‌ ଯିବା ପାଇଁ ଉଦ୍ୟମ କରୁଥିବା ପୁନେ ପୁଲିସ ଜାଣିବାକୁ ପାଇଥିଲା। ପୂର୍ବରୁ ଏହି ମାମଲାରେ ଭରଦ୍ୱାଜଙ୍କ ୭ ଜଣ ସହଯୋଗୀଙ୍କୁ ପୁନେ ପୁଲିସ ଗିରଫ କରିସାରିଛି। ୨୦୧୪ରେ ଭରଦ୍ୱାଜ ଭାରତରେ ବିଟ୍‌କଏନ୍‌ର ଅନ୍‌ଲାଇନ୍‌ ବ୍ୟବସାୟ ଆରମ୍ଭ କରିଥିଲେ। ଶ୍ରୀ ଭରଦ୍ୱାଜଙ୍କ ସହିତ ଏକ ବ୍ୟାଙ୍କକ୍‌ ଏଜେନ୍ସି ବ୍ୟବସାୟ କରୁଥିଲା। ସେହି ଏଜେନ୍ସିର ସୂଚନାକୁ ଆଧାର କରି ପୁଲିସ ତାଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ନିବେଶକମାନଙ୍କୁ ସେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଠକେଇ କରୁଥିଲେ।
ପିଏନ୍‌ବି ମାମଲାରେ ରିଜର୍ଭ ବ୍ୟାଙ୍କର ୩ ଅଧିକାରୀଙ୍କୁ ସିବିଆଇର ପଚରାଉଚୁରା
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ନିରବ ମୋଦିଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏହାର ତଦନ୍ତକୁ ବ୍ୟାପକ କରିଛି। ଏହି ମାମଲାରେ ସିବିଆଇ ଭାରତୀୟ ରିଜର୍ଭ ବ୍ୟାଙ୍କର ୩ ଜଣ ବରିଷ୍ଠ ଅଧକାରୀଙ୍କୁ ପଚରାଉଚୁରା କରିଛି। ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କ କମ୍ପାନିକୁ ଲେଟର୍ସ ଅଫ୍‌ ଅଣ୍ଡରଟେକିଂ(ଏଲ୍‌ଓୟୁ) ଜାରି କରିବା ବେଳେ ବ୍ୟାଙ୍କ ଅଧିକାରୀମାନେ ଯେଉଁ ନିୟମ ଉଲ୍ଲଂଘନ କରିଥିଲେ ସେ ସଂପର୍କରେ ରିଜର୍ଭ ବ୍ୟାଙ୍କ ଅବଗତ ଥିଲା କି ନାହିଁ ସେ ନେଇ ପଚରାଉଚୁରା କରିଛି। ସିବିଆଇ ପଚରାଉଚୁରା କରିଥିବା ୩ ଅଧିକାରୀଙ୍କ ମଧ୍ୟରେ ଜଣେ ସିଜିଏମ୍‌ ପାହ୍ୟାର ଅଧିକାରୀ ଥିବାବେଳେ ଅନ୍ୟ ଦୁଇଜଣ ସାଧାରଣ ପରିଚାଳନା ପାହ୍ୟାର ଅଧିକାରୀ ରହିଛନ୍ତି।
ବିମାନବନ୍ଦରରେ ଚନ୍ଦାଙ୍କ ଦିଅର ଅଟକ
ମୁମ୍ବାଇ: ଭିଡିଓକନ୍‌ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ଦିଅର ରାଜୀବ କୋଚ୍ଚରଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଏହା ପରେ ସିବିଆଇ ତାଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ପଚରାଉଚୁରା କରୁଛି । ଭିଡିଓକନ୍‌ ଋଣ ମାମଲାରେ ଚାଲିଥିବା ତଦନ୍ତରେ ସାମିଲ ହେବାକୁ ରାଜୀବଙ୍କୁ କୁହାଯାଇଛି। ରାଜୀବ ହେଉଛନ୍ତି ଆଭିଷ୍ଟା ଆଡଭାଇଜରି ଗ୍ରୁପ୍‌ର ସିଇଓ। ତାଙ୍କର କାର୍ଯ୍ୟାଳୟ ସିଙ୍ଗାପୁରରେ ରହିଛି। ଏହି ସଂସ୍ଥା ମିଶ୍ରଣ, ଅଧିଗ୍ରହଣ, ପାଣ୍ଠି ସଂଗ୍ରହ ଆଦି ବିଭିନ୍ନ ଆର୍ଥିକ କାରବାର ଉପରେ ବଡ଼ ବଡ଼ କଂପାନିକୁ ପରାମର୍ଶ ପ୍ରଦାନ କରିଥାଏ। ଆଇସିଆଇସିଆଇ ବ୍ୟାଙ୍କରୁ ଋଣ କରାଇ ଦେବା ନାଁରେ ଏହି ସଂସ୍ଥା ୫% ଭଳି କମିସନ ନେଉଥିଲା ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର