ପୁଣି ୪୦୦୦ କୋଟିର ବ୍ୟାଙ୍କ ଠକେଇ

• ଜାଲ କାଗଜପତ୍ର ଦେଇ ଟଙ୍କା ହଡ଼ପ• ଘରୋଇ ସଂସ୍ଥାର ୩ ନିର୍ଦେଶକ ଗିରଫ

ମୁମ୍ବାଇ: ପୁଣି ଏକ ବ୍ୟାଙ୍କ ଠକେଇ ଧରାପଡ଼ିଛି। ଏକ ଘରୋଇ ସଂସ୍ଥା ଦ୍ୱାରା ୪୦୦୦ କୋଟି ଟଙ୍କାର ଠକେଇ କରାଯାଇଛି। କଂପାନିର ନାମ ହେଉଛି ପାରେଖ ଆଲୁମିନେକ୍ସ ଲିମିଟେଡ୍‌।
ଆକ୍ସିସ୍‌ ବ୍ୟାଙ୍କ ତରଫରୁ ଦାୟର କରାଯାଇଥିବା ଏକ ଅଭିଯୋଗ ଆଧାରରେ କଂପାନିର ତିନି ଜଣ ନିର୍ଦେଶକ ଭଓ୍ଵରଲାଲ୍‌ ଭଣ୍ଡାରି, ପ୍ରେମଳ ଗୋରାଗାନ୍ଧୀ ଏବଂ କମଳେଶ କାନୁନ୍‌ଗୋଙ୍କୁ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଠକେଇ, ଜାଲିଆତି, ବିଶ୍ୱାସ ଭଙ୍ଗ ଏବଂ ଅପରାଧିକ ଷଡ଼ଯନ୍ତ୍ର ଆଦି ଅଭିଯୋଗ ହୋଇଛି।
ଏହି କଂପାନିକୁ ଋଣ ଦେଇଥିବା ୨୦ଟି ବ୍ୟାଙ୍କ ମଧ୍ୟରୁ ଗୋଟିଏ ହେଉଛି ଆକ୍ସିସ୍‌ ବ୍ୟାଙ୍କ। ଲେଟର୍‌ ଅଫ କ୍ରେଡିଟ୍‌୍‌କୁ ବ୍ୟବହାର କରି ଏହି ଠକେଇ କରାଯାଇଛି। ଜାଲ୍‌ କଂପାନି ନକଲି ଇନ୍‌ଭଏସ୍‌ ଓ ବିଲ୍‌ ଜରିଆରେ ଠକେଇ କରିଥିଲେ। ଏହି ଠକେଇରେ ବ୍ୟାଙ୍କର କିିଛି ଅଧିକାରୀଙ୍କ ହାତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ଏହି ସଂସ୍ଥା ବିରୋଧରେ ପୂର୍ବରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି। ସିବିଆଇ ଏହାର ତଦନ୍ତ କରୁଛି। ବ୍ୟାଙ୍କଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଏହି କଂପାନି ଯେଉଁ ଋଣ ନେଇଥିଲା ତାହାକୁ ରିଅଲ ଇଷ୍ଟେଟ୍‌ରେ ବ୍ୟବହାର କରିଛି। ଏବେ କଂପାନି ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଛି। ଏହାର ଶୁଣାଣି ଚାଲିଛି।
ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ପାରେଖ ଆଲୁମିନେକ୍ସ ପକ୍ଷରୁ ପ୍ରଥମେ ତିନିଟି ପର୍ଯ୍ୟାୟରେ ଆକ୍ସିସ୍‌ ବ୍ୟାଙ୍କଠାରୁ ୧୨୫ କୋଟି ଟଙ୍କାର ଋଣ ନିଆଯାଇଥିଲା। ଏହାକୁ ଶୁଝି ଦିଆଗଲା। ଏହା ଜରିଆରେ କଂପାନି ବ୍ୟାଙ୍କର ବିଶ୍ୱାସ ଜିତିନେଇଥିଲା। ଏହା ପରେ ୧୨୭ କୋଟି ଟଙ୍କାର ଋଣ ପାଇଁ କଂପାନି ପକ୍ଷରୁ ଆବେଦନ କରାଗଲା। ସେଥିପାଇଁ ଜାଲ୍‌ କାଗଜପତ୍ର ଦିଆଗଲା। ତାହାକୁ ବିଶ୍ୱାସକୁ ନେଇ ବ୍ୟାଙ୍କ ପକ୍ଷରୁ ଲେଟର୍‌ ଅଫ୍‌ କ୍ରେଡିଟ୍‌ ଜାରି କରାଯାଇଥିଲା। ଯେଉଁ ଋଣ ମିଳିଲା ତାହାକୁ କଂପାନିର ମାଲିକଙ୍କ ଖାତାକୁ ସ୍ଥାନାନ୍ତର କରିଦିଆଗଲା। ଏହା ପରେ ପୁଣି ଋଣ ଶୁଝିଦିଆଗଲା। କଞ୍ଚାମାଲ୍‌ କିଣିବା ପାଇଁ କଂପାନି ଋଣ ନେଇଥିଲା। ଯେଉଁ ଗାଡ଼ିଗୁଡ଼ିକର କାଗଜପତ୍ର କଂପାନି ଦାଖଲ କରିଥିଲା ତାହା ଟ୍ରକ୍‌ ନୁହେଁ ବରଂ ଦୁଇଚକିଆ ଯାନ ବୋଲି ଯାଞ୍ଚ ବେଳେ ଧରାପଡ଼ିଥିଲା। ଏହି ସଂସ୍ଥା ପକ୍ଷରୁ ତିନି ଜାଲ୍‌ କଂପାନି ଗଠନ କରି ମଧ୍ୟ ପାଣ୍ଠି ହେରଫେର କରାଯାଇଥିଲା।
କାନାରା ବ୍ୟାଙ୍କର ପୂର୍ବତନ ସିଏମ୍‌ଡିଙ୍କ ନାଁରେ ଚାର୍ଜସିଟ୍‌
ନୂଆଦିଲ୍ଲୀ: କାନାରା ବ୍ୟାଙ୍କରେ ୨୦୧୩ରେ ହୋଇଥିବା ୬୮ କୋଟି ଟଙ୍କାର ଏକ ଠକେଇ ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସେଥିରେ କାନାରା ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଆର୍‌ କେ ଦୁବେ ଓ ଅନ୍ୟ ଦୁଇ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି)ଙ୍କ ନାମ ରହିଛି। ଏହି ଠକେଇ କରିଥିବା ଅକେଜନାଲ୍‌ ସିଲଭର୍‌ କଂପାନି ଲିମିଟେଡ୍‌ର ଦୁଇ ଅଧିକାରୀ କପିଲ ଗୁପ୍ତା ଓ ରାଜ କୁମାର ଗୁପ୍ତାଙ୍କ ନାମ ମଧ୍ୟ ଚାର୍ଜସିଟ୍‌୍‌ରେ ରହିଛି। କାନାରା ବ୍ୟାଙ୍କରେ ସିଏମ୍‌ଡି ଭାବେ କାମ କରୁଥିବା ବେଳେ ଦୁବେଙ୍କ ସହିତ ଗୁପ୍ତାଙ୍କର ଭଲ ସମ୍ପର୍କ ରହିଥିଲା। ଗୁପ୍ତାଙ୍କ କଂପାନିକୁ ଋଣ ମଞ୍ଜୁର କରିବା ପାଇଁ ନିଜର ଅଧସ୍ଥନ କର୍ମଚାରୀଙ୍କୁ ନିଜେ ଦୁର୍ବେ ଏସ୍‌ଏମ୍‌ଏସ୍‌ କରି ଜଣାଇଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ସେହି ଋଣକୁ କିନ୍ତୁ କଂପାନି ଆଉ ଶୁଝିନଥିଲା।

ସମ୍ବନ୍ଧିତ ଖବର