ପୁଣି ୬୦୦ କୋଟିର ଋଣ ଠକେଇ

ନୂଆଦିଲ୍ଲୀ: ଏୟାରସେଲ୍‌ର ପୂର୍ବତନ ମାଲିକ ସି ଶିବଶଙ୍କରନ୍‌ଙ୍କ ବିରୋଧରେ ୬୦୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ହୋଇଛି। ସିବିଆଇ ପକ୍ଷରୁ ଏ ନେଇ ମାମଲା ରୁଜୁ କରାଯାଇଛି। ସେ ଷଡ଼ଯନ୍ତ୍ର କରି ଆଇଡିବିଆଇ ବ୍ୟାଙ୍କରୁ ଏହି ଋଣ ଠକି ନେଇଛନ୍ତି। ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।
୨୦୧୪ ଫେବ୍ରୁଆରିରେ ଶିବଶଙ୍କରନ୍‌ଙ୍କ ଦୁଇ କଂପାନି ବ୍ୟାଙ୍କରୁ ୫୩୦ କୋଟି ଟଙ୍କାର ଋଣ ନେଇଥିଲେ। ସୁଧ ଓ ମୂଳଧନ ମିଶାଇ ଏବେ ତାହା ୬୦୦ କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ଆଇଡିବିଆଇ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି କିଶୋର ଖରାଟ୍‌ ଓ ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ମେଲ୍‌ଓ୍ଵିନ୍‌ ରେଗୋଙ୍କ ନାମ ରହିଛି। ଏହି ମାମଲାରେ ସିବିଆଇ ପକ୍ଷରୁ ଦେଶର ବିଭିନ୍ନ ସହରର ୫୦ଟି ସ୍ଥାନରେ ଚଢ଼ଉ କରାଯାଇଛି। ଆଇଡିବିଆଇ ବ୍ୟାଙ୍କର କିଛି ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ଘରେ ଚଢ଼ଉ କରାଯାଇଥିଲା। ମାମଲାରେ ଆଇଡିବିଆଇ ବ୍ୟାଙ୍କର ୧୫ ଜଣ ବରିଷ୍ଠ ଅଧିକାରୀ ଓ ଘରୋଇ ସଂସ୍ଥାର ୨୪ ଜଣ ଅଧିକାରୀଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର