ପୁଣି ଫେରିଲା ଏଟିଏମ୍‌ ସଙ୍କଟ

କଷ୍ଟ ଆହୁରି ଦୁଇ ସପ୍ତାହ

ଭୁବନେଶ୍ୱର: ରାଜ୍ୟର ଏଟିଏମ୍‌ ଗୁଡ଼ିକରେ ପୁଣି ଟଙ୍କା ଅଭାବ ପରିଲକ୍ଷିତ ହୋଇଛି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଏହି ସମସ୍ୟା ଗୁରୁତର ଆକାର ଧାରଣ କଲାଣି। ଗତ କିଛିଦିନ ହେଲା କେଉଁ ଏଟିଏମ୍‌ରେ ସଟର ପଡ଼ି ରହିଛି ତ ଆଉ କେଉଁ ଏଟିଏମ୍‌ ଖୋଲା ଥିଲେ ମଧ୍ୟ ଟଙ୍କା ବାହାରୁ ନାହିଁ। ଫଳରେ ଲୋକେ ଟଙ୍କା ଉଠାଇବା ପାଇଁ ଗୋଟିଏ ଏଟିଏମ୍‌ରୁ ଅନ୍ୟ ଏଟିଏମ୍‌କୁ ଦୌଡ଼ୁଛନ୍ତି। ଲୋକମାନେ ଅନେକ ଗୁଡ଼ିଏ ଏଟିଏମ୍‌ ବୁଲିବା ପରେ ଟଙ୍କା ନପାଇ ନିରାଶ ହୋଇ ଘରକୁ ଫେରୁଥିବା ମଧ୍ୟ ଦେଖାଯାଉଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର େଓ୍ଵବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ପ୍ରାୟ ୬ ହଜାର ଉପରେ ଏଟିଏମ୍‌ ରହିଛି। ଏହା ମଧ୍ୟରୁ କେବଳ ଷ୍ଟେଟ ବ୍ୟାଙ୍କର ପାଖାପାଖି ଅଧା ଏଟିଏମ୍‌ ରହିଛି। ଜଣେ ବରିଷ୍ଠ ବ୍ୟାଙ୍କର ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏଟିଏମ୍‌ରେ ଟଙ୍କା ନମିଳିବାର ଅନେକ ଗୁଡ଼ିଏ କାରଣ ରହିଛି। ସେଥିରୁ ଗୋଟିଏ ହେଲା ଯେଉଁସବୁ ଚେଷ୍ଟ୍‍ରୁ ଟଙ୍କା ଆସୁଛି ସେଠାରେ ଏଟିଏମ୍‌ରେ ଭର୍ତ୍ତି ହେବା ପାଇଁ ଉଦ୍ଦିଷ୍ଟ ମୂଲ୍ୟର ନୋଟ୍‌ ମିଳୁନାହିଁ। ଫଳରେ ଆବଶ୍ୟକ ପରିମାଣର ଟଙ୍କା ଏଟିଏମ୍‌ରେ ଭର୍ତ୍ତି କରାଯାଇ ପାରୁ ନାହିଁ। ଷ୍ଟେଟ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କୁହନ୍ତି, ଆମର ରାଜ୍ୟରେ ପ୍ରାୟ ୨୪୦୦ ଏଟିଏମ୍‌ ଏବଂ ୪୦୦ ରିସାଇକ୍ଲର ରହିଛି। ଏଗୁଡ଼ିକ ମଧ୍ୟରୁ ପ୍ରାୟ ୮୮ରୁ ୯୦ ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଥିବାବେଳେ ୧୦ରୁ ୧୨ ପ୍ରତିଶତ ଏଟିଏମ୍‌ ବିଭିନ୍ନ କାରଣରୁ କାର୍ଯ୍ୟ କରୁନାହିଁ। ତେବେ ଆବଶ୍ୟକତା ତୁଳନାରେ ୫ରୁ ୧୦ ପ୍ରତିଶତ ନୋଟ୍‌ର ଅଭାବ ବଜାରରେ ରହିଛି ବୋଲି ସେ ମତ ଦିଅନ୍ତି। ଏହି ସମସ୍ୟା ସୁଧୁରିବାକୁ ଆଉ ସପ୍ତାହେ ଦୁଇ ସପ୍ତାହ ଲାଗିଯିବ ବୋଲି ସେ ମତ ଦିଅନ୍ତି। ଅନ୍ୟ ଜଣେ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଅଭାବ ସମ୍ପର୍କରେ କୁହନ୍ତି, ରାଜ୍ୟକୁ ଆବଶ୍ୟକ ସଂଖ୍ୟାରେ ୨୦୦୦ ଟଙ୍କିଆ ଯୋଗାଣ ହେଉନାହିଁ। ସେହିଭଳି ୨୦୦ ଟଙ୍କିଆ ନୋଟ୍‌ ମଧ୍ୟ କମ୍‌ ମିଳୁଛି। କେବଳ ୫୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ଅଧିକ ସଂଖ୍ୟାରେ ମିଳିଲେ ମଧ୍ୟ ସେଗୁଡ଼ିକ ମଧ୍ୟରୁ ଅନେକ ୧୦୦ ଟଙ୍କିଆ ନୋଟ୍‌ ଅତ୍ୟନ୍ତ ପୁରୁଣା ହୋଇଯାଇଥିବାରୁ ଏଟିଏମ୍‌ରେ ରଖାଯାଇ ପାରୁନାହିଁ। ଫଳରେ ଏଟିଏମ୍‌ରେ ପର୍ଯ୍ୟାପ୍ତ ମାତ୍ରାର ଟଙ୍କା ଭର୍ତ୍ତି କରାଯାଇ ପାରୁନାହିଁ। ଏଟିଏମ୍‌ରେ କମ୍‌ ଟଙ୍କା ରହୁଥିବାରୁ ତାହା ଶୀଘ୍ର ଶେଷ ହୋଇଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଏତଦ୍‌ବ୍ୟତୀତ ଏଟିଏମ୍‌ ପରିଚାଳନା ଠିକ୍‌ ଭାବେ ନହେବାର ଅନ୍ୟ ଏକ ବାସ୍ତବ କାରଣ ହେଲା ବ୍ୟାଙ୍କରେ କର୍ମଚାରୀଙ୍କ ଘୋର ଅଭାବ ବୋଲି କୁହାଯାଉଛି। ଗୋଟିଏ ଶାଖାରେ ଜଣେ ମାତ୍ର ଅଧିକାରୀ ଏଟିଏମ୍‌ ଦାୟିତ୍ୱରେ ରହୁଛନ୍ତି। ସେମାନେ କୌଣସି କାରଣରୁ ଛୁଟିରେ ରହିଲେ ଏଟିଏମ୍‌କୁ ଅନ୍ୟ କେହି ପରିଚାଳନା କରି ପାରୁନାହାନ୍ତି। ଫଳରେ ଏଟିଏମ୍‌ ଖୋଲା ରହୁଥିଲେ ମଧ୍ୟ ଟଙ୍କା ମିଳୁନାହିଁ। ଏଟିଏମ୍‌ ପରିଚାଳନା ଜନିତ ଖର୍ଚ୍ଚ ଅଧିକ ହେଉଥିବାରୁ ବ୍ୟାଙ୍କ ଗୁଡ଼ିକ ଅଧିିକ ସଂଖ୍ୟକ ଅଧିକାରୀଙ୍କୁ ନିଯୁକ୍ତି ଦେଉନାହାନ୍ତି।

• ରାଜ୍ୟରେ ୧୦% ନୋଟ୍‌ ଅଭାବ
• ୨ ହଜାର ଟଙ୍କିଆ ଯୋଗାଣ କମ୍‌

ଏତଦ୍‌ବ୍ୟତୀତ ଏଟିଏମ୍‌ରେ ଟଙ୍କା ନରହିବାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି ବୋଲି ସେ କୁହନ୍ତି। ନେଟଓ୍ଵାର୍କ ଠିକ୍‌ ଭାବେ କାର୍ଯ୍ୟ ନକରିବା, ଘଡ଼ଘଡ଼ି ଓ ଝଡ଼ ତୋଫାନରେ ଟେଲିଫୋନ ସଂଯୋଗ କଟିଯିବା ଆଦି କାରଣ ଯୋଗୁଁ ଏଟିଏମ୍‌ କାମ କରୁନାହିଁ। ଫଳରେ ଅନେକ ଏଟିଏମ୍‌ରୁ ସେବା ମିଳି ପାରୁନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ ଗୁଡ଼ିକ ଥରେ ଖରାପ ହେଲେ ସେଗୁଡ଼ିକୁ ଠିକ୍‌ କରିବା ଲାଗି ମଧ୍ୟ ଅନେକ ଦିନ ଲାଗି ଯାଉଛି। ଏତଦ୍‌ବ୍ୟତୀତ ସବୁଠୁ ବଡ଼ କାରଣ ହେଲା ଲୋକମାନେ ଆବଶ୍ୟକତାଠାରୁ ଅଧିକ ଟଙ୍କା ଏଟିଏମ୍‌ରୁ ଉଠାଉଛନ୍ତି। ସେହିଭଳି ଯେଉଁ ମାତ୍ରାରେ ଲୋକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି ସେହି ମାତ୍ରାରେ ଟଙ୍କା ବ୍ୟାଙ୍କ ନିକଟକୁ ଫେରୁନାହିଁ। ଫଳରେ ଚାହିଦା ତୁଳନାରେ ଯୋଗାଣ କମ୍‌ ରହୁଛି। ଏସବୁ ଟଙ୍କା ଅଭାବର ପ୍ରମୁଖ କାରଣ ବୋଲି ବ୍ୟାଙ୍କ ଅଧିକାରୀଜଣକ ମତ ଦେଇଛନ୍ତି। ଏଥିପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏତଦ୍‌ବ୍ୟତୀତ ଟଙ୍କା ଅଭାବଜନିତ ସମସ୍ୟା ଦୂର ପାଇଁ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଯେଉଁ ସର୍ବନିମ୍ନ ସମନ୍ଵୟର ଆବଶ୍ୟକତା ରହିଛି ତାହା ରହୁନାହିଁ। ଏଟିଏମ୍‌ରେ ଟଙ୍କା ଅଭାବକୁ ଦୂର କରିବା ପାଇଁ ବ୍ୟାଙ୍କ ସମେତ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ବ୍ୟାଙ୍କ ଅଧିକାରୀମାନେ ମତ ଦେଇଛନ୍ତି। ବ୍ୟାଙ୍କ ସଂଘ ୟୁଏଫ୍‌ବିୟୁର ଓଡ଼ିଶା ଆବାହକ ଜ୍ୟୋତିଭୂଷଣ ମହାପାତ୍ର ଏଟିଏମ୍‌ରେ ଟଙ୍କା ଅଭାବ ସମସ୍ୟାକୁ ସ୍ୱୀକାର କରିଛନ୍ତି। ତେବେ ରାଜ୍ୟକୁ ଅର୍ଥ ଆସିଗଲାଣି ଏବଂ ଦିନେ ଦୁଇଦିନ ମଧ୍ୟରେ ପରିସ୍ଥିତି ସୁଧୁରିଯିବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର