ପୁଣି ଚର୍ଚାରେ ଦୁର୍ନୀତି:ପିଏନ୍‌ବି ମାମଲାରେ ସିଭିସିର ତନାଘନା

ଉପା ସରକାରଙ୍କ ଅମଳରେ ୨ଜି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ କୋଇଲା ଦୁର୍ନୀତି ଧରାପଡ଼ିଥିଲା। ତାହାକୁ ନେଇ ସାରା ଦେଶରେ ଜୋରସୋର ଚର୍ଚା ହୋଇଥିଲା। ଏନ୍‌୍‌ଡିଏ ସରକାରଙ୍କ ଚାରି ବର୍ଷ ବିତିଯିବା ପରେ ଧରାପଡ଼ିଲା ପିଏନ୍‌୍‌ବି ଏବଂ ରୋଟୋମ୍ୟାକ୍‌ ଠକେଇ। ଦୁର୍ନୀତି ପାଇଁ ଉଭୟ ଉପା ଏବଂ ଏନ୍‌ଡିଏ ସରକାର ପରସ୍ପର ବିରୋଧରେ ଦୋଷାରୋପ ଆରମ୍ଭ କରିଦେଇଛନ୍ତି। ଏଥି ସହିତ ଦେଶରେ ପୁଣି ଥରେ ଦୁର୍ନୀତି ଚର୍ଚା ଫେରିଛି।

ନୂଆଦିଲ୍ଲୀ,: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ର ଠକେଇ ମାମଲାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ( ସିଭିସି) ତନାଘନା କରିବା ଆରମ୍ଭ କରିଛି। ସିଭିସି ପକ୍ଷରୁ ଆଜି ପିଏନ୍‌ବି ଏବଂ ଅର୍ଥ ମନ୍ତ୍ରାଳୟଠାରୁ ରିପୋର୍ଟ ତଲବ କରାଯାଇଛି। ଏକାଧିକ ଆର୍ଥିକ ନିୟାମକ ବ୍ୟବସ୍ଥା ଥିଲେ ମଧ୍ୟ ଏହି ଦୁର୍ନୀତି କିଭଳି ହେଲା ତାହାର ରିପୋର୍ଟ ୧୦ ଦିନ ମଧ୍ୟରେ ଦେବାକୁ ସିଭିସି ପକ୍ଷରୁ ପିଏନ୍‌ବିକୁ ନିର୍ଦେଶ ଦିଆଯାଇଛି। ପିଏନ୍‌ବିର ବରିଷ୍ଠ ଅଧିକାରୀମାନଙ୍କୁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ହାଜର ହେବାପାଇଁ ପୂର୍ବରୁ ସିଭିସି ପକ୍ଷରୁ ନୋଟିସ ଜାରି ହୋଇଥିଲା। ପୂର୍ବାହ୍ନ ୧୧ଟାରେ ସେମାନଙ୍କୁ ହାଜର ହେବାକୁ କୁହାଯାଇଥିଲା। ବ୍ୟାଙ୍କର ପ୍ରବନ୍ଧ ନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିଲା। ଏତଦ୍‌ବ୍ୟତୀତ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଆଜିର ବୈଠକରେ ବ୍ୟାଙ୍କ ଅଧିକାରୀମାନେ ସିଭିସି ସମ୍ମୁଖରେ ଦୁଇ ଘଣ୍ଟାକାଳ ତଥ୍ୟ ଉପସ୍ଥାପନ କରିଥିଲେ। କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୁକ୍ତ କେ. ଭି. ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ହୋଇଥିଲା। ଏଥିରେ ଦୁର୍ନୀତି ନିବାରଣ ଆୟୁକ୍ତ ଟି. ଏମ୍‌. ଭାସିନ୍‌ ମଧ୍ୟ ଉପସ୍ଥିତ ଥିଲେ। ଜାଲିଆତିକୁ ରୋକିବା ପାଇଁ ବ୍ୟାଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ବ୍ୟାଙ୍କ ଅଧିକାରୀମାନେ ସିଭିସି ନିକଟରେ ତଥ୍ୟ ରଖିଥିଲେ। ସେହିଭଳି ଦୁର୍ନୀତିରେ ସାମିଲ ହୋଇଥିବା ଅଧିକାରୀମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଜାଲିଆତିରେ କେଉଁ ଅଧିକାରୀମାନେ ସଂଶ୍ଳିଷ୍ଟ ଏବଂ କେଉଁ ଅଧିକାରୀମାନେ ଠିକଣା ସମୟରେ ଉଚିତ ପଦକ୍ଷେପ ନେଇଥିଲେ ଏଭଳି ଠକେଇକୁ ରୋକାଯାଇ ପାରିଥାନ୍ତା ସିଭିସି ସେମାନଙ୍କ ନାମ ବ୍ୟାଙ୍କଠାରୁ ମାଗିଛି।

ସମ୍ବନ୍ଧିତ ଖବର