ବଢ଼ିବ ତେଲ ଚିନ୍ତା: ଆମେରିକା-ଚୀନ୍‌ ବୁଝାମଣା ପରେ ବଢ଼ିଲା ଦର ତେଲ ସଙ୍କଟ ସୃଷ୍ଟି କରିବାକୁ ଇରାନର ଧମକ

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଦରରେ ହ୍ରାସର ଯେଉଁ ଧାରା ଜାରି ରହିଛି ତାହା ବେଶିଦିନ ରହିବ ନାହିଁ। କା‌ରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ପୁଣି ବଢ଼ିବା ଆରମ୍ଭ ହୋଇଛି। ଅଶୋଧିତ ତେଲକୁ ବିଶୋଧନ କରି ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଏ। ସ୍ବାଭାବିକ ଭାବେ ସେହି ତେଲ ଦର ବଢ଼ିଲେ, ଭାରତରେ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ିବ।
ତିନିଟି କାରଣ ଯୋଗୁ ତେଲ ଦର ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମଟି ହେଉଛି ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଲଢ଼େଇ ସ୍ଥଗିତ ରଖିବାକୁ ହୋଇଥିବା ବୁଝାମଣା। ଦ୍ବିତୀୟ କାରଣଟି ହେଉଛି ତେଲ ସଙ୍କଟ ସୃଷ୍ଟି କରିବାକୁ ଇରାନ ରାଷ୍ଟ୍ରପତି ହାସନ୍ ରୁହାନିଙ୍କ ଧମକ ଓ ତୃତୀୟ କାରଣଟି ହେଉଛି ଓପେକ୍‌ରୁ କତାର୍‌ ଓହରିଯିବା।
ବାଣିଜ୍ୟ ଲଢ଼େଇକୁ ୯୦ ଦିନ ସ୍ଥଗିତ ରଖିବା ପାଇଁ ଆମେରିକା ଓ ଚୀନ୍‌ ମଧ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଜି-୨୦ ବୈଠକରେ ବୁଝାମଣା ହୋଇଛି। ଏହାର ଗୋଟିଏ ଦିନ ପରେ ଅଶୋଧିତ ତେଳ ଦର ଦୁଇ ଡଲାର ବଢ଼ି ୬୨ ଡଲାର ହୋଇଯାଇଛି। ଏହି ଘଟଣାକୁ ଚାରି ଦିନ ବିତିନଥିବା ବେଳେ ଇରାନର ରାଷ୍ଟ୍ରପତି ହାସନ୍ ରୁହାନି ଆଜି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯାହା ତେଲ ଆମଦାନି କରୁଥିବା ଦେଶଗୁଡ଼ିକର ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଛି। ଆମେରିକାକୁ ଧମକ ଦେଇ ରୁହାନି କହିଛନ୍ତି ଯେ, ଯଦି ଇରାନ ତେଲ ରପ୍ତାନି କରିପାରିବ ନାହିଁ, ତେଲେ କୌଣସି ଉପସାଗରୀୟ ଦେଶ ତେଲ ରପ୍ତାନି କରିପାରିବେ ନାହିଁ। ଇରାନ ଅଧୀନରେ ଥିବା ସମୁଦ୍ର ମଧ୍ୟ ଦେଇ ବିଶ୍ବର ଏକ ତୃତୀୟାଂଶ ତେଲ ପରିବହନ ହେଉଛି। ଯଦି ସେଠାରେ ଇରାନ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବ ତେବେ ତେଲ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହେବ। ବଜାରରେ ତେଲ ଯୋଗାଣ କମିଗଲେ ଦର ବଢ଼ିଯିବ।
ନଭେମ୍ବର ୫ ତାରିଖରୁ ଇରାନ ଉପରେ ଆମେରିକା ବାଣିଜ୍ୟ କଟକଣା ଲାଗୁ କରିଛି। ଏହା ସହିତ ଇରାନ ସହ କୌଣସି ପ୍ରକାର କାରବାର ନକରିବାକୁ ସବୁ ଦେଶଗୁଡ଼ିକୁ ଆମେରିକା କହିଛି। ଅବଶ୍ୟ, ଶେଷ ମୁହୂର୍ତରେ ଭାରତ ସମେତ ଆଠଟି ଦେଶକୁ ଇରାନରୁ ତେଲ କିଣିବା ଜାରି ରଖିବା ପାଇଁ ଆମେରିକା ରିହାତି ପ୍ରଦାନ କରିଛି। ଆମେରିକାର ରିହାତି ଦେବା ପରେ ତେଲ ଦର କ୍ରମାଗତ ଭାବେ ହ୍ରାସ ପାଉଛି। ଏକ ସମୟରେ୮୬ ଡଲାରରୁ ଅଧିକ ହୋଇଯାଇଥିବା ଅଶୋଧିତ ତେଲ ଦର ଏବେ ୬୦ ଡଲାର ପାଖାପାଖି ରହିଛି।
ଭାରତ ଭଳି ତେଲ ଆମଦାନି କରୁଥିବା ଦେଶଗୁଡ଼ିକ ଏବେ ତେଲକୁ ନେଇ ଶାନ୍ତିରେ ନିଶ୍ବାସ ମାରୁଛନ୍ତି। କିନ୍ତୁ ସେମାନଙ୍କର ଏହି ଖୁସି କେତେ ଦିନ ପର୍ଯ୍ୟନ୍ତ ରହିବ ତାହା କେହି ଆକଳନ କରିପାରୁନାହାନ୍ତି। ଆସନ୍ତା ବର୍ଷ ଜାନୁଆରିରେ ଓପେକ୍ ରାଷ୍ଟ୍ର ସମୂହରୁ କତାର୍‌ ଓହରିଯିବ। ଏହି ଘଟଣା ନିଶ୍ଚିତରୂପେ ତେଲ ବଜାରକୁ ପ୍ରଭାବିତ କରିବ। ତେଲ ଉପରୁ ଧ୍ୟାନ ହଟାଇ ଗ୍ୟାସ୍‌ ଉତ୍ପାଦନ ଉପରେ ଅଧିକ ମନୋନିବେଶ କରିବାକୁ କତାର୍‌ କହୁଛି। ଏହା ହେଲେ ସେହି ଦେଶରୁ ତେଲ ଯୋଗାଣ ପ୍ରଭାବିତ ହେବ ଓ ତାହା ଦର ବୃଦ୍ଧିର କାରଣ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର