ପୁଣି ଅଡ଼ୁଆରେ ପଡ଼ିବେ ମୋବାଇଲ୍‌ ଗ୍ରାହକ

ନୂଆଦିଲ୍ଲୀ,: ଯେଉଁ ଲୋକମାନଙ୍କ ମୋବାଇଲ୍‌ ନମ୍ବର ସହିତ ଆଧାର ନମ୍ବର ଲିଙ୍କ୍‌ ହୋଇଛି ସେମାନଙ୍କ ପାଇଁ ଆଗାମୀ ଦିନରେ ଏକ ନୂଆ ପ୍ରକାର ସମସ୍ୟା ଦେଖାଦେଇପ‌ାରେ। ଆଧାର ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟ ଯୋଗୁ ମୋବାଇଲ୍‌ ନମ୍ବରରୁ ଆଧାରକୁ ଡିଲିଙ୍କ୍‌ (ହଟାଇବା) କରିବାକୁ ପଡ଼ିବ। ଏଥିପାଇଁ ମୋବାଇଲ୍‌ କଂପାନିଗୁଡ଼ିକ ନିଜକୁ ପ୍ରସ୍ତୁତ କରୁଛନ୍ତି। କେଉଁ ଉପାୟରେ ମୋବାଇଲ୍‌ ନମ୍ବରରୁ ଆଧାର ନମ୍ବରକୁ ଡିଲିଙ୍କ୍‌ କରାଯିବ ତାହାର ଯୋଜନା ପ୍ରସ୍ତୁତ କରି କଂପାନିଗୁଡ଼ିକ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତୃପକ୍ଷଙ୍କୁ ଜଣାଇବେ।
ଯେଉଁ ଗ୍ରାହକଙ୍କ ଆଧାର ନମ୍ବର ଡିଲିଙ୍କ୍ କରାଯିବ ସେମାନଙ୍କର ପୁଣି ଥରେ କେୱାଇସି ଯାଞ୍ଚ ହେବ। ସେଥିପାଇଁ ଗ୍ରାହକମାନଙ୍କୁ ଅନ୍ୟ କୌଣସି ପରିଚୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହି କାମ କରିବା ମୋବାଇଲ୍ କଂପାନିଗୁଡ଼ିକ ପାଇଁ କଷ୍ଟକର ହେବ। କାରଣ ଏଥିରେ ବିପୁଳ ପରିମାଣର ଅର୍ଥ ଖର୍ଚ କରିବାକୁ ପଡ଼ିବ। ତେବେ ଆଧାର ଡିଲିଙ୍କ୍‌ କାର୍ଯ୍ୟ କିଭଳି କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୋବାଇଲ୍ କଂପାନି କିମ୍ବା ସରକାର କେହି ଏବିଷୟରେ ସ୍ପଷ୍ଟ ସୂଚନା ଦେଉନାହାନ୍ତି।
ଆଧାର ଯୋଗୁ ମୋବାଇଲ୍ କଂପାନିଗୁଡ଼ିକ ତତ୍କାଳ ସଂଯୋଗ ପ୍ରଦାନ କରୁଥିଲେ। ଆଗାମୀ ଦିନରେ ଗ୍ରାହକମାନଙ୍କୁ ନୂଆ ସିମ୍ ଆକ୍ଟିଭେଟ୍ କରିବା ପାଇଁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ କେୱାଇସି ଯାଞ୍ଚ ହେବାକୁ ଏତିକି ସମୟ ଲାଗିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ହିଁ ମୋବାଇଲ୍ ନମ୍ବର ଆକ୍ଟିଭେଟ୍ (କାର୍ଯ୍ୟକ୍ଷମ) ହେବ। ଉଲ୍ଲେଖ‌େଯାଗ୍ୟ, ଅତୀତରେ ଟେଲିକମ୍ ବିଭାଗର ନିର୍ଦେଶକ ମୁତାବକ ମୋବାଇଲ୍ କଂପାନିଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ମୋବାଇଲ୍‌ ନମ୍ବର ସହିତ ଆଧାରକୁ ଲିଙ୍କ୍‌ କରାଇଥିଲେ।

ସମ୍ବନ୍ଧିତ ଖବର