ପୁଣି ଅଡ଼ୁଆରେ ଇନ୍‌ଫୋସିସ୍‌

ମୁଖ୍ୟ ଆର୍ଥିକ ଅଧିକାରୀ ଦେଲେ ଇସ୍ତଫା, ବର୍ଷକ ତଳେ କମ୍ପାନି ଛାଡ଼ିଥିଲେ ବିଶାଳ ସିକ୍କା

ନୂଆଦିଲ୍ଲୀ: କର୍ପୋରେଟ୍‌ ଗଭର୍ଣ୍ଣାନ୍ସ ପ୍ରସଙ୍ଗକୁ ନେଇ ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ କମ୍ପାନି ଇନ୍‌ଫୋସିସ୍‌ରେ ଦେଖାଦେଇଥିବା ଅସ୍ଥିରତା ପୁଣି କିଛିଦିନ ପରେ ଫେରିଛି। କମ୍ପାନିର ଏମ୍‌ଡି ତଥା ସିଇଓ ପଦରୁ ବିଶାଳ ସିକ୍କା ଇସ୍ତଫା ଦେବାର ବର୍ଷକ ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ କମ୍ପାନିର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ) ଏମ୍‌ଡି ରଙ୍ଗନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନିରେ ଦୀର୍ଘ ୧୭ ବର୍ଷରୁ ଊର୍ଧ୍ୱ ସମୟ କାର୍ଯ୍ୟ କରିବା ପରେ ସେ ଇସ୍ତଫା ଦେଇଛନ୍ତି। ନୂଆ କ୍ଷେତ୍ରରେ ପେସାଦାର ସୁଯୋଗ ଅନୁସନ୍ଧାନ କରିବା ଲାଗି ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଶନିବାର ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ରଙ୍ଗନାଥଙ୍କ ଇସ୍ତଫାକୁ ଗ୍ରହଣ କରି ନିଆଯାଇଛି। ତେବେ ଏହି ପଦର କାର୍ଯ୍ୟଭାର ସେ ଆସନ୍ତା ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସମ୍ଭାଳିବେ। କମ୍ପାନିର ରଣନୀତି କାର୍ଯ୍ୟକାରୀ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ପ୍ରାୟ ୩ ବର୍ଷ ପୂର୍ବେ କମ୍ପାନିର ସିଏଫ୍‌ଓ ପଦରୁ ରାଜୀବ ବନ୍‌ସଲ୍‌ ଇସ୍ତଫା ଦେବା ପରେ ରଙ୍ଗନାଥ ଏହି ଦାୟିତ୍ୱ ୨୦୧୫ରେ ଗ୍ରହଣ କରିଥିଲେ। ରଙ୍ଗନାଥଙ୍କ ଇସ୍ତଫା କମ୍ପାନି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍‌. ଆର୍‌. ନାରାୟଣମୂର୍ତ୍ତି କହିଛନ୍ତି। ରଙ୍ଗନାଥ ଦେଶର ଶ୍ରେଷ୍ଠ ସିଏଫ୍‌ଓଙ୍କ ମଧ୍ୟରେ ଜଣେ ବୋଲି ନାରାୟଣମୂର୍ତ୍ତି କହିଛନ୍ତି। ସେ ହେଉଛନ୍ତି ଜଣେ ବିରଳ ବ୍ୟକ୍ତି ଯାହାଙ୍କର ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ରହିଛି। ଉଳ୍ଲେଖଯୋଗ୍ୟ, ଇନ୍‌ଫୋସିସ୍‌ରେ କର୍ପୋରେଟ୍‌ ଗଭର୍ଣ୍ଣାନ୍ସ ପ୍ରସଙ୍ଗକୁ ନେଇ ତତ୍କାଳୀନ ସିଇଓ ବିଶାଳ ସିକ୍କା ଓ କମ୍ପାନିର ସହ ପ୍ରତିଷ୍ଠାତା ଏନ. ଆର୍‌. ନାରାୟଣମୂର୍ତ୍ତିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହି ବିବାଦକୁ ନେଇ କମ୍ପାନିର ବୋର୍ଡ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଗୋଟିଏ ଗୋଷ୍ଠୀ ସିକ୍କାଙ୍କ ସପକ୍ଷରେ ବାହାରି ଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ନାରାୟଣମୂର୍ତ୍ତିଙ୍କ ସପକ୍ଷରେ ରହିଥିଲା। ଶେଷରେ ସିକ୍କା ଗତବର୍ଷ ଅଗଷ୍ଟରେ କମ୍ପାନି ଛାଡ଼ିଥିଲେ। ସିକ୍କା ଚାକିରି ଛାଡ଼ିବା ପରେ କମ୍ପାନି ପୂର୍ବତନ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର. ଶେଷସାୟୀଙ୍କ ସମେତ ବୋର୍ଡର ଅନ୍ୟ କେତେକ ସଦସ୍ୟ କମ୍ପାନି ଛାଡ଼ିଥିଲେ।

ସମ୍ବନ୍ଧିତ ଖବର