ଏଟିଏମ୍‌ ପୁଣି ଖାଲି ଏଥର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ

ଅଗରତାଲା/କୋହିମା/ଇଟାନଗର: ଏଟିଏମ୍‌ ଗୁଡ଼ିକରେ ପୁଣି ଟଙ୍କା ଅଭାବ ଦେଖାଦେଇଛି। ଏଥର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ପାଳି ପଡ଼ିଛି। ଏଟିଏମ୍‌ରେ ଟଙ୍କା ନମିଳିବା ଯୋଗୁଁ ଏହି ରାଜ୍ୟ ଗୁଡ଼ିକର ଲୋକମାନେ ଗତ କିଛିଦିନ ହେଲା ଅସୁବିଧାରେ ପଡ଼ିଛନ୍ତି। ରିଜର୍ଭ ବ୍ୟାଙ୍କର ଗୌହାଟି ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ନୋଟ୍‌ ପ୍ରେରଣ ବିଳମ୍ବ ହେବା ଯୋଗୁ ଏଟିଏମ୍‌ରେ ନୋଟ୍‌ ସଙ୍କଟ ଦେଖାଦେଇଛି ବୋଲି ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି। ଏଟିଏମ୍‌ରେ ନୂଆ ନୋଟ୍‌ ଭର୍ତି କରିବାର ଆବଶ୍ୟକତା ରହିଛି। ଏବେ ବ୍ୟାଙ୍କ ଗୁଡ଼ିକ ନିକଟରେ ଥିବା ପୁରୁଣା ନୋଟ୍‌ ଗୁଡ଼ିକୁ ଏଟିଏମ୍‌ରେ ଭର୍ତି କରାଯାଉଛି। କିନ୍ତୁ ଏଟିଏମ୍‌ରୁ ଠିକ୍‌ ଭାବେ ନୋଟ୍‌ ବାହାରିବା ପାଇଁ ହେଲେ ଭିନ୍ନ ଭିନ୍ନ ମୂଲ୍ୟର ନୂଆ ନୋଟ୍‌କୁ କ୍ୟାସେଟ୍‌ରେ ରଖାଯିବାର ଆବଶ୍ୟକତା ରହିଛି ବୋଲି ଷ୍ଟେଟ୍‌ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦୀପକ ଚୌଧୁରୀ କହିଛନ୍ତି। ତେବେ ଆସନ୍ତା ସପ୍ତାହ ମଧ୍ୟଭାଗ ସୁଦ୍ଧା ଏହି ସମସ୍ୟା ଦୂର ହୋଇଯିବ ବୋଲି ସେ କହିଛନ୍ତି। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମେଘାଳୟ ଏବଂ ମିଜୋରାମ୍‌ର ଏଟିଏମ୍‌ ଗୁଡ଼ିକରେ ଚଳିତ ମାସର ପ୍ରଥମ ସପ୍ତାହରେ ନୋଟ୍‌ ଅଭାବ ଦେଖାଦେଇଛି।

ସମ୍ବନ୍ଧିତ ଖବର