ନୂଆଦିଲ୍ଲୀ: ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିସାରିଥିବା କେନ୍ଦ୍ର ସରକାର ପୁଣି ଏକ ପ୍ୟାକେଜ୍ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ୟାକେଜ୍‌ର ରୂପରେଖ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମଧ୍ୟରେ ଅନେକ ବୈଠକ ହୋଇସାରିଲାଣି। ପୂର୍ବରୁ ଘୋଷଣା କରାଯାଇଥିବା ପ୍ୟାକେଜ୍‌ଗୁଡ଼ିକ ଯୋଗୁଁ ବଜାରରେ ନଗଦ ରାଶିକୁ ନେଇ ଯେଉଁ ଅଭାବ ରହିଥିଲା ତାହା ସମ୍ପୂର୍ଣ୍ଣ ଦୂର ହୋଇଯାଇଛି। କଂପାନି ଟିକସ ୩୦%ରୁ ୨୨%କୁ ହ୍ରାସ କରାଯିବା ପରେ ନିବେଶକଙ୍କ ମନୋବଳ ମଧ୍ୟ ବେଶ୍‌ ସୁଦୃଢ଼ ହୋଇଛି। ଏହା ସତ୍ତ୍ବେ ଅର୍ଥନୀତିରେ ଚାହିଦା ଏବଂ ଗ୍ରାହକମାନଙ୍କ ଦ୍ବାରା ସାମଗ୍ରୀ ବ୍ୟବହାରରେ କୌଣସି ବୃଦ୍ଧି ଦେଖିବାକୁ ମିଳୁନାହିଁ। ଏହି ଦୁଇ ପ୍ରମୁଖ ସମସ୍ୟାକୁ ଦୂର କରିବା ଲାଗି ସରକାରୀ ସ୍ତରରେ ମାନସ ମନ୍ଥନ ଚାଲିଛି।

Advertisment

ଚାହିଦା ବଢ଼ାଇବା ଲାଗି ଆୟକର ହାର ହ୍ରାସ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଆୟକର କମିଲେ ଲୋକଙ୍କ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ସେମାନେ ବିଭିନ୍ନ ସାମଗ୍ରୀ କିଣାକିଣିରେ ଖର୍ଚ୍ଚ କରିପାରିବେ। ଏହା ବ୍ୟତୀତ ଗାଡ଼ି ଏବଂ ଘର କିଣିବାକୁ ଚାହୁଥିବା ଗ୍ରାହକଙ୍କୁ ଆକର୍ଷଣୀୟ ସୁଧରେ ଇଏମ୍‌ଆଇ ସୁବିଧା ପ୍ରଦାନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯିବ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଘର ବିକ୍ରି ବଢ଼ାଇବା ଲାଗି ରିଅଲ ଇଷ୍ଟେଟ୍‌ ନିୟମ ଓ ଏହି କ୍ଷେତ୍ର ଲାଗି ରହିଥିବା ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉପରେ ମଧ୍ୟ ବିଚାରବିମର୍ଶ ଜାରି ରହିଛି। ଗାଡ଼ି ବିକ୍ରି ବଢ଼ାଇବା ଲାଗି ପ୍ରୋତ୍ସାହନ ଘୋଷଣା କରିବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି। ତେବେ ଗାଡ଼ି ଉପରେ ଜିଏସ୍‌ଟି କମାଇବାର କୌଣସି ସମ୍ଭାବନା ନାହିଁ। ଏହି ଟିକସ କମିଲେ ୬୦ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ। ସେଥିପାଇଁ ରାଜ୍ୟଗୁଡ଼ିକ ଜିଏସ୍‌ଟି କମ୍ କରିବା ସପକ୍ଷରେ ନାହାନ୍ତି। ନିକଟରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିବାରୁ ଅର୍ଥନୀତିକୁ ୧୬,୫୦୦ କୋଟି ଟଙ୍କାର ବଳ ମିଳିଛି। ତାହା ଦେଶ‌ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧିର ସହାୟକ ହେବ ବୋଲି ସରକାର ଭାବୁଛନ୍ତି।

publive-image

ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିବା ଦିନଠାରୁ ଏହାକୁ ଉଦ୍ଧାର କରିବା ଲାଗି ସରକାର ଅନେକ ପର୍ଯ୍ୟାୟରେ ପ୍ୟାକେଜ୍ ଘୋଷଣା କରିଛନ୍ତି। ଗାଡ଼ି, ରପ୍ତାନି ଓ ରିଅଲ ଇଷ୍ଟେଟ୍‌ କ୍ଷେତ୍ର ଲାଗି ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। ଦେଶର ୪୦୦ ଜିଲ୍ଲାରେ ଋଣ ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। କର୍ପୋରେଟ୍ ଟିକସକୁ ୩୦%ରୁ ୨୨%କୁ ଖସାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ଜିଡିପି ଅଭିବୃଦ୍ଧି ୫% ଭଳି ନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ମାନଦଣ୍ଡରେ ଅର୍ଥନୀତିର ପ୍ରଦର୍ଶନ ଦୁର୍ବଳ ରହୁଥିବାରୁ ଭାରତର ଅଭିବୃଦ୍ଧି ହାର ୬% ଭଳି ନିମ୍ନ ସ୍ତରକୁ ଖସିଯିବ ବୋଲି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସଂସ୍ଥା ଆକଳନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୧୯-୨୦) ଲାଗି ଧାର୍ଯ୍ୟ କରାଯାଇଥିବା ୩.୩%ର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇପାରନ୍ତି ବୋଲି କୁହାଯାଉଛି।