ପୁଣି ବଢ଼ିଲା ତେଲ, ଗ୍ରାହକଙ୍କୁ ନିସ୍ତାର ନାହିଁ

ଭୁବନେଶ୍ବର: ତେଲ ଦର ବୃଦ୍ଧିକୁ ଗ୍ରାହକଙ୍କୁ ନିସ୍ତାର ନାହିଁ। ଦୀର୍ଘଦିନ ଧରି ପ୍ରାୟତଃ ସ୍ଥିର ରହିଥିବା ତେଲ ଦର ପୁଣି ବଢ଼ିବା ଆରମ୍ଭ ହୋଇଛି। ଗତମାସ ୨୮ ତାରିଖରେ ଡିଜେଲ ଦର ‌ଲିଟର ପିଛା ୭୦ ଟଙ୍କା ୫୫ ପଇସା ରହିଥିଲାବେଳେ ୨୯ ତାରିଖରେ ୫ ପଇସା ବୃଦ୍ଧି ପାଇ ୭୦ ଟଙ୍କା ୬୦ ପଇସା ରହିଥିଲା। କିନ୍ତୁ ଏହା ପରେ ପ୍ରାୟ ୭ ଦିନ ଡିଜେଲ ଦର ଅପରିବର୍ତ୍ତିତ ରହିଥିବାବେଳେ ଶନିବାର ଏଥିରେ ୭ ପଇସା ବୃଦ୍ଧି ଘଟିଛି। ଫଳରେ ରାଜଧାନୀରେ ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ଡିଜେଲ ଦର ୭୦ ଟଙ୍କା ୬୭ ପଇସା ରହିଛି। ଅନ୍ୟପକ୍ଷରେ ଚଳିତମାସ ୫ ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ ଦର ଲିଟର ପିଛା ୭୩ ଟଙ୍କା ୯୭ ପଇସାରେ ସ୍ଥିର ରହିଥିଲା। କିନ୍ତୁ ଗତ ୬ ତାରିଖରେ ଏହା ୭ ପଇସା‌ ହ୍ରାସ ପାଇ ୭୩ ଟଙ୍କା ୯୦ ପଇସାକୁ ଖସି ଆସିଥିଲା। ପେଟ୍ରୋଲର ଏହି ଦର ଦୁଇ ଦିନ ସ୍ଥିର ରହିଥିଲା। କିନ୍ତୁ ରବିବାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୭୩ ଟଙ୍କା ୯୮ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୧୧ ପଇସା ବୃଦ୍ଧି ଘଟି ୭୦ ଟଙ୍କା ୭୮ ପଇସାରେ ପହଞ୍ଚି ଯାଇଛି। ଯଦି ଏହି ଧାରା ବୃଦ୍ଧି ପାଏ ତାହେଲେ ଖୁବଶୀଘ୍ର ପେଟ୍ରୋଲ ଦର ୭୪ ଟଙ୍କା ଏବଂ ଡିଜେଲ ଦର ୭୧ ଟଙ୍କା ଟପିବା ଆଶଙ୍କା ରହିଛି। ନଭେମ୍ବର ମାସରେ ଭୁବନେଶ୍ବରରେ ପେଟ୍ରୋ‌ଲ ଦର ପ୍ରାୟ ୨ ଟଙ୍କା ମହଙ୍ଗା ହୋଇଥିଲା। ନଭେମ୍ବର ପହିଲାରେ ପେଟ୍ରୋଲ ଦର ଲିଟର ପିଛା ୭୧ ଟଙ୍କା ୮୯ ପଇସା ଥିବାବେଳେ ୩୦ ତାରିଖରେ ଏହା ୭୩ ଟଙ୍କା ୯୦ ପଇସାରେ ପହଞ୍ଚିଥିଲା। ମାସକ ମଧ୍ୟରେ କେବଳ ଦୁଇଦିନ ପେଟ୍ରୋଲ ଦର କମିଥିବାବେଳେ ୮ ଦିନ ଦର ସ୍ଥିର ରହିଥିଲା। କିନ୍ତୁ ଅବଶିଷ୍ଟ ୨୦ ଦିନ ପେଟ୍ରୋଲ ଦର ବଢ଼ିଥିଲା। ପେଟ୍ରୋଲ ଦର ୭୧ ଟଙ୍କାରୁ ୭୨ ଟଙ୍କାରେ ପହଞ୍ଚିବା ପାଇଁ ୧୦ ଦିନ ଲାଗିଥିବାବେଳେ ୭୨ରୁ ୭୩ ଟଙ୍କାରେ ପହଞ୍ଚିବା ପାଇଁ ୮ ଦିନ ଲାଗିଥିଲା। ନଭେମ୍ବର ୧୦ରେ ଏହା ୭୨ ଟଙ୍କା ଟପିଥିବାବେଳେ ୧୮ ତାରିଖରେ ୭୩ ଟଙ୍କା ଟପିଥିଲା। ଅନ୍ୟପକ୍ଷରେ ଡିଜେଲ ଦର ଗତମାସରେ ସ୍ଥିର ରହିଥିଲା।

ସମ୍ବନ୍ଧିତ ଖବର