ପୁଣି ଭାରତକୁ ଟାର୍ଗେଟ୍ କଲେ ଟ୍ରମ୍ପ୍ ‘ଦୁନିଆର ସର୍ବାଧିକ ଟିକସ ବସାଉଛି ଭାରତ’

ୱାସିଂଟନ: ହାର୍ଲି-ଡାଭିଡ୍‌ସନ୍ ବାଇକ୍ ଉପରେ ଭାରତ ଲଗାଇଥିବା ୧୦୦% ଟିକସକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭୁଲି ପାରୁନାହାନ୍ତି। ଏହାକୁ ନେଇ ସେ ଭାରତକୁ ବହୁବାର ସମାଲୋଚନା କରିସାରିଲେଣି। ପୁଣି ଥରେ ଏକ କାର୍ଯ୍ୟକ୍ରମରେ ସେ ଭାରତର ଟିକସ ବ୍ୟବସ୍ଥା କଥା କହିଛନ୍ତି। ସେ କହିଲେ, ଦୁନିଆର ସର୍ବାଧିକ ଟିକସ ଲଗାଉଥିବା ଦେଶ ହେଉଛି ଭାରତ। ଏତେ ଉଚ୍ଚ ପରିମାଣର ଟିକସ ଯୁକ୍ତିସଙ୍ଗତ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥା ହୋଇଥିଲି। ସେମାନେ ହେଉଛନ୍ତି ବିଶ୍ବର ସର୍ବାଧିକ ଟିକସ ଲଗାଉଥିବା ଦେଶ। ସେମାନେ ଆମ ଉପରେ ୧୦୦% ଟିକସ ଲଗାଉଛନ୍ତି। ସେମାନେ ଆମ ଦେଶକୁ ମୋଟରସାଇକଲ୍ ପଠାଇବା ବେଳେ ଆମେ କିଛି ଟିକସ ଲଗାଉନାହୁଁ। ମାତ୍ର ଆମେ ଭାରତକୁ ମୋଟରସାଇକଲ୍ ପଠାଇବା ‌ବେଳେ ସେମାନେ ଆମ ଉପରେ ୧୦୦% ଟିକସ ଲଗାଉଛନ୍ତି। ଏହା ଟିକ୍ ନୁହେଁ। ଏହା ଦ୍ବିପାକ୍ଷିକ ନୁହେଁ। ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତି। ହାର୍ଲି-ଡାଭିଡସନ୍‌ ବାଇକ୍ ଉପରେ ଚଢ଼ା ଦରର ଟିକସକୁ ନେଇ ଟ୍ରମ୍ପ୍ ଆପତ୍ତି ଉଠାଇବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ପକ୍ଷରୁ ଟିକସ ପରିମାଣ ୧୦୦%ରୁ କମାଇ ୫୦% କରାଯାଇଛି। ସେ ସମ୍ପର୍କରେ ଟ୍ରମ୍ପ୍ କହିଛନ୍ତି ଯେ, ଏହା ଯଦିଓ ଯଥେଷ୍ଟ ନୁହେଁ ତଥାପି ଚଳନୀୟ। ଭାରତକୁ ଟିକସ ସମ୍ରାଟ ଭାବେ ଟ୍ରମ୍ପ୍ ବାରମ୍ବାର ଅଭିହିତ କରୁଥିବା ବେଳେ ଆମେରିକୀୟ ସାମଗ୍ରୀ ଉପରେ ଯେଉଁ ଟିକସ ଲଗାଯାଉଛି ତାହା ବହୁତ ଅଧିକ ବୋଲି ସେ କହୁଛନ୍ତି।

ସମ୍ବନ୍ଧିତ ଖବର