ଏଜିଆର୍‌ ମାମଲା: ସରକାରଙ୍କ ଶରଣ ପଶିଲେ ଟେଲିକମ୍ କମ୍ପାନି, ମନ୍ତ୍ରୀଙ୍କୁ ଭେଟିଲେ ମିତ୍ତଲ

ପାଣ୍ଠି ସହିତ ଅଧିକ ସମୟ ମାଗିଲେ

ନୂଆଦିଲ୍ଲୀ: ଏଜିଆର୍‌ (ଆଡଜଷ୍ଟେଡ ଗ୍ରସ୍ ରେଭିନ୍ୟୁ) ମାମଲାରେ ସୁପ୍ରିମ କୋର୍ଟ ବିରକ୍ତ ହେବା ପରେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି ଟେଲିକମ୍ କମ୍ପାନି ଗୁଡ଼ିକ ବିବ୍ରତ ହୋଇ ପଡ଼ିଛନ୍ତି। ସେମାନେ ସରକାରଙ୍କ ଶରଣ ପଶିବା ଆରମ୍ଭ କରିଦେଇଛନ୍ତି। କମ୍ପାନି ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଆର୍ଥିକ ପ୍ୟାକେଜ୍ ‌‌େଦବା ସହିତ ଅର୍ଥ ପୈଠ କରିବା ପାଇଁ ଅଧିକ ସମୟ ମାଗିଛନ୍ତି। ବର୍ତ୍ତମାନର ଜଟିଳ ସ୍ଥିତିରୁ ମୁକୁଳିବା ପାଇଁ ସେମାନେ ସରକାରଙ୍କ ନିକଟରେ ଏକାଧିକ ପ୍ରସ୍ତାବ ରଖିଛନ୍ତି। ଏଥିରେ ସେମାନଙ୍କୁ ସହଜରେ ପାଣ୍ଠି ଯୋଗାଡ଼ କରିବା ସୁବିଧା ଅନ୍ୟତମ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଦୁଇ ପ୍ରମୁଖ ଟେଲିକମ କମ୍ପାନି ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ସରକାରଙ୍କୁ ଭେଟି ଏ ବିଷୟରେ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି କମ୍ପାନି ଦ୍ବୟ ଏଜିଆର୍ ରାଶି ପୈଠ ପାଇଁ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା ଚଳାଇଛନ୍ତି। ଭୋଡାଫୋନ ଆଇଡିଆ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଏବଂ ଏୟାରଟେଲ ମୁଖ୍ୟ ସୁନିଲ ଭାରତୀ ମିତ୍ତଲ ସରକାରଙ୍କ ସହିତ ଏକାଧିକ ବୈଠକ କରିଛନ୍ତି। ବି‌ଶେଷକରି ଟେଲିକମ୍ ଏବଂ ଅର୍ଥ ମନ୍ତ୍ରାଳୟ ସହିତ ଆଲୋଚନା କରିଛନ୍ତି। ଭୋଡାଫୋନ ଆଇଡିଆକୁ ୫୩ ହଜାର କୋଟି ଟଙ୍କା ଦେବାକୁ ଥିବାରୁ ଏହି କମ୍ପାନି ସାଂଘାତିକ ଅଡ଼ୁଆରେ ପଡ଼ିଯାଇଛି। ଉକ୍ତ କମ୍ପାନି ତିଷ୍ଠି ରହିବା ଲାଗି ସରକାରଙ୍କ ଠାରୁ ପ୍ୟାକେଜ ଦରକାର କରୁଛି । ଏତଦବ୍ୟତୀତ ଭାରତୀ ଏୟାରଟେଲଠାରୁ ୩୫ ହଜାର କୋଟି ଟଙ୍କା ଏବଂ ଟାଟା ଟେଲିଠାରୁ ୧୪ ହଜାର କୋଟି ଟଙ୍କା ଆଦାୟ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ ନୂଆ ଟେଲିକମ କମ୍ପାନି ରିଲାଏନ୍ସ ଜିଓ ଲାଭ କରୁଛି। ଏଥିସହିତ ଏହି କମ୍ପାନି ଏଜିଆର୍ ମାମଲାରେ ସରକାରଙ୍କ ଠାରୁ ମଧ୍ୟ କିଛି ରିହାତି ଏପର୍ଯ୍ୟନ୍ତ ଦାବି କରିନାହିଁ। ତେଣୁ ସରକାର ଯଦି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କମ୍ପାନି ଗୁଡ଼ିକ ପାଇଁ କିଛି ପ୍ୟାକେଜ ଘୋଷଣା କରନ୍ତି ତାହେଲେ ଜିଓ ବିରୋଧ କରିବାର ଆଶଙ୍କା ରହିଛି। ସେହିଭଳି ଏଜିଆର୍ ବାବଦ ବାକିଆ ରାଶିକୁ ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଟେଲିକମ୍ ବିଭାଗ ତତ୍ପର ହୋଇ ଉଠିଛି। ଏପରିକି ଅର୍ଥ ଜମା କରିବାରେ ବିଫଳ ହେଲେ କମ୍ପାନିଙ୍କ ଠାରୁ ବ୍ୟାଙ୍କ ଗ୍ୟାରେଣ୍ଟି ବି ମଗାଯାଇପାରେ। ଟେଲିକମ୍ ବିଭାଗ ଏ ନେଇ ସଲିସିଟର ଜେନେରାଲ ତୁ‌ଷାର ‌ମେହେଟ୍ଟାଙ୍କ ସମେତ ଆଇନ ବିଶାରଦଙ୍କ ମତାମତ ନେବା ଆରମ୍ଭ କରିଦେଇଛି।

ମନ୍ତ୍ରୀଙ୍କୁ ଭେଟିଲେ ମିତ୍ତଲ
ନୂଆଦିଲ୍ଲୀ: ଏଜିଆର୍‌ ରାଶି ପ୍ରଦାନକୁ ନେଇ ଭାରତୀ ଏୟାରଟେଲ୍‌ ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ ଆଜି ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଗତକାଲି ସୁନିଲ ମିତ୍ତଲ ଏବଂ ଭୋଡାଫୋନ ଆଇଡିଆ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭେଟିବା ପରେ ଆଜି ସୁନିଲ ମିତ୍ତଲ ରବି ଶଙ୍କରଙ୍କୁ ସାକ୍ଷାତ କରିଛନ୍ତି। ଏଜିଆର ସଙ୍କଟ ଭିତରେ ଫସିଥିବା ଟେଲିକମ୍ ଶିଳ୍ପ ଉପରୁ ଟିକସ ଏବଂ ଶୁଳ୍କ ହ୍ରାସ କରିବା ପାଇଁ ସେ ଦାବି କରିଛନ୍ତି। ଏଜିଆର ବାବଦ ରାଶିରୁ ଭାରତୀ ଏୟାରଟେଲ ୧୦ ହଜାର କୋଟି ଟଙ୍କା ପ୍ରଦାନ କରି ସାରିଥିବାବେଳେ ଅବଶିଷ୍ଟ ଅର୍ଥ ଖୁବଶୀଘ୍ର ପ୍ରଦାନ କରିବ ବୋଲି ମିତ୍ତଲ କହିଛନ୍ତି।

ସମ୍ବନ୍ଧିତ ଖବର