ରେଳବାଇ ରୋଷେଇରେ ଖାଦ୍ୟ ପ୍ରସ୍ତୁତିକୁ ମନିଟର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ନୂଆଦିଲ୍ଲୀ : କିଚେନ (ରୋଷେଇ ଶାଳ)ରେ ବିଭିନ୍ନ ପ୍ରକ୍ରିୟାରେ ହେଉଥିବା ଅସଙ୍ଗତିକୁ ସିସିଟିଭି ଫୁଟେଜ୍ ମାଧ୍ୟମରେ ଦୂର କରିବାକୁ ଆଇଆରସିଟିସି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପଦ୍ଧତିର ବିକାଶ କରିଛି । ଏହାଦ୍ୱାରା ଦେଶବ୍ୟାପୀ କିଚେନଗୁଡ଼ିକୁ ମନିଟର କରାଯାଇପାରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଭିଡିଓ ଫୁଟେଜ୍ ଓ ଫଟୋର ସମୀକ୍ଷା କରାଯାଇଥାଏ । କିଚେନର କୌଣସି ଧାର୍ଯ୍ୟ ପ୍ରକ୍ରିୟାରେ ସାମାନ୍ୟ ଅସଙ୍ଗତି ଥିଲେ ଏହା ତାହାକୁ ଚିହ୍ନଟ କରିଥାଏ । ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଆଇଆରସିଟିସିର ୧୬ଟି ବେସ୍ କିଚେନରେ ଉଚ୍ଚ ମାନର ସିସିଟିଭି ସଂଯୁକ୍ତ କରାଯାଇଛି । ଏହାକୁ ବଡ଼ ବଡ଼ ମନିଟର ସହ ନେଟୱର୍କରେ ସଂଯୁକ୍ତ କରାଯାଇଛି । ତେଣୁ କୌଣସି କିଚେନରେ ସମସ୍ୟା ଥିଲେ ତାହା ଚିହ୍ନଟ କରି ଆଇଆରସିଟିସିକୁ ଅବଗତ କରାଯାଇଥାଏ । ସମ୍ପୂର୍ଣ୍ଣ କ୍ୟାଟରିଂ ପ୍ରକ୍ରିୟାରେ ଏହି A1 ବ୍ୟବସ୍ଥା ବିକାଶ ଆଣିପାରିବ । କୌଣସି ପ୍ରକାର ଅସଙ୍ଗତିକୁ ମଧ୍ୟ ଏହା ଚିହ୍ନଟ କରିବାରେ ସକ୍ଷମ । ଉଦାହରଣ ସ୍ୱରୂପ, ଯଦି କୌଣସି କିଚେନର କେହି ରୋଷେୟା ନିଜ ଧାର୍ଯ୍ୟ ପୋଷାକ କିମ୍ବା ନିୟମତଃ କ୍ୟାପ୍ ନ ପିନ୍ଧି କିଚେନରେ ପ୍ରବେଶ କରିଥିବ, ତେବେ ତତକ୍ଷଣାତ A1 ପ୍ରକ୍ରିୟା ଦ୍ୱାରା ତାହା ଚିହ୍ନଟ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆରସିଟିସିକୁ ସୂଚିତ କରିବ । ଯଦି ତୁରନ୍ତ ଏହାର ସମାଧାନ ନ ହୋଇଥାଏ, ଏ ସମ୍ପର୍କରେ ଆଇଆରସିଟିସି କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଅବଗତ କରାଯାଇଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା କୌଣସି ତ୍ରୁଟି ଥରେ ଚିହ୍ନଟ ହୋଇଥିଲେ, ସ୍ୱୟଂ ଭାବେ ଏକ ଟିକେଟ ସୃଷ୍ଟି ହୋଇଥାଏ । ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଇ-ମେଲ ଏବଂ ପୋର୍ଟାଲ ଦ୍ୱାରା ସମସ୍ତ ପକ୍ଷଙ୍କୁ ତୁରନ୍ତ ସୂଚିତ କରାଯାଇଥାଏ । ଏହି ପ୍ରସଙ୍ଗରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ମଧ୍ୟ ପୋର୍ଟାଲରୁ ଅନ୍ ଲାଇନରେ ଜାଣି ହେବ ।

ସମ୍ବନ୍ଧିତ ଖବର