୩୦ରୁ ପୁଣି ଉଡ଼ିବ ଏୟାର ଡେକ୍କାନ

ବାଙ୍ଗାଲୋର: କିଛି ବର୍ଷ ତଳେ ଦେଶର ବିମାନସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଏୟାର ଡେକ୍କାନ ପୁଣି ଥରେ ନିଜ ସେବା ଆରମ୍ଭ କରିବାକୁ ଯାଉଛି । ସରକାରଙ୍କ ଆଞ୍ଚଳିକ ସଂଯୋଗ ସ୍କିମ୍‌ ବା ଉଡାନ ସ୍କିମରେ ଲାଇସେନସ ପାଇ କମ୍ପାନି ବିଭିନ୍ନ ଛୋଟ ସହର ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଛି । ଆସନ୍ତା ୩୦ରୁ ଏୟାରଡେକ୍କାନ ପ୍ରଥମେ ମୁମ୍ବଇରୁ ନାସିକ୍‌ ସେବା ଆରମ୍ଭ କରିବ । ଏଥିପାଇଁ ସବୁ ବୁକିଂ ଶେଷ ହୋଇଯାଇଛି । ତେବେ ନାସିକରୁ ମୁମ୍ବାଇ ପାଇଁ କେତୋଟି ସିଟ୍‌ ବାକି ରହିଛି ।

ଏୟାରଡେକ୍କାନ ପ୍ରାୟ ୩୦ଟି ରୁଟ୍‌ ପାଇଁ ଲାଇସେନ୍ସ ପାଇଥିବାବେଳେ ଏୟାରଓଡ଼ିଶା ସର୍ବାଧିକ ୫୦ଟି ରୁଟ୍‌ ପାଇଁ ଲାଇସେନ୍ସ ପାଇଛି । ଏୟାରଡେକ୍କାନ ଓଡ଼ିଶାର ରାଉରକେଲାରୁ କୋଲକତାକୁ ବିମାନ ସେବା ଯୋଗାଇବାକୁ ଯୋଜନା କରୁଛି ।

ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଉଡ଼ାନ ( ଉଡେ ଦେଶ କା ଆମ ନାଗରିକ୍‌ ବା ଦେଶର ସାଧାରଣ ଜନତା ବିମାନ ସେବାର ସୁଯୋଗ ପାଆନ୍ତୁ) ସ୍କିମ୍‌ରେ ସରକାର ଦେଶର ବିମାନ ସେବା ପହଞ୍ଚିନଥିବା ଛୋଟ ସହରଗୁଡିକୁ ବିମାନସେବା ମାଧ୍ୟମରେ ଯୋଡିବାକୁ ଯୋଜନା କରିଛନ୍ତି । ଏହି ସ୍କିମରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗେଇ ଦିଆଯିବ । ଏହି ସ୍କିମ୍‌ରେ ୧ ଘଣ୍ଟାର ଉଡ଼ାଣ ପାଇଁ ସର୍ବାଧିକ ଭଡ଼ା ୨୫୦୦ ଟଙ୍କା ରଖାଯାଇଛି । ବିମାନ ସେବାକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବାକୁ ସରକାର ଏସବୁ କମ୍ପାନିମାନଙ୍କୁ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ( ଭିଜିଏଫ) ପ୍ରଦାନ କରିବେ । ଭିଜିଏଫ ଫଣ୍ଡିଂ ମାଧ୍ୟମରେ ସରକାର ନିଅଣ୍ଟିଆ ଅର୍ଥର ଭରଣା କରିଥାନ୍ତି ଯେପରିକି ବିମାନସେବା କମ୍ପାନିର କ୍ଷତି ହେବ ନାହିଁ ଓ ଭଡା ଶସ୍ତା ରହିବ ।

ସମ୍ବନ୍ଧିତ ଖବର