ଏୟାର ଇଣ୍ଡିଆ ନିଲାମ ବିଫଳ: ଗ୍ରାହକ ମିଳିଲେନି

ନୂଆଦିଲ୍ଲୀ: ଋଣର ପାହାଡ଼ ଉପରେ ଠିଆ ହୋଇ ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ବଞ୍ଚିବାକୁ ସଂଘର୍ଷ କରୁଥିବା ରାଷ୍ଟ୍ରାୟତ୍ତ ବିମାନ କଂପାନି ଏୟାର ଇଣ୍ଡିଆର ନିଲାମ ବିଫଳ ହୋଇଛି। ଧାର୍ଯ୍ୟ ସମୟ ସୀମା ଭିତରେ ଜଣେ ବି ଗ୍ରାହକ ବିଡ୍‌ ଦାଖଲ କରିନାହାନ୍ତି। ଏଥି ସହିତ ଏନ୍‌ଡିଏ ସରକାରଙ୍କ ମହତ୍ୱାକାଂକ୍ଷୀ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଶକ୍ତ ଝଟ୍‌କା ଲାଗିଛି। ଆଜି ଥିଲା ଏୟାର ଇଣ୍ଡିଆ ନିଲାମ ପାଇଁ ବିଡ୍‌ ଦାଖଲ କରିବାର ଶେଷ ତାରିଖ। ସନ୍ଧ୍ୟା ପାଞ୍ଚଟାରେ ବିଡ୍‌ ସମୟ ଶେଷ ହୋଇଥିଲା। ବେସମାରିକ ବିମାନ ଚଳାଚଳ ସଚିବ ଆର୍‌ଏନ୍‌ ଚୌବେ କହିଛନ୍ତି ଯେ ବିଡ୍‌ ଆହ୍ଵାନର ସମୟ ସୀମା ବୃଦ୍ଧି କରାଯିବ ନାହିଁ। ପୂର୍ବ ନିର୍ଧାରିତ ସମୟ ଅନୁସାରେ ବିଡ୍‌ ଦାଖଲର ଶେଷ ତାରିଖ ମେ’ ୧୪ ଥିଲା। କିନ୍ତୁ ତାହାକୁ ମାସର ଶେଷ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଇଣ୍ଡିଗୋଠାରୁ ଆରମ୍ଭ କରି, ଭିସ୍ତାରା ଓ ଜେଟ୍‌ ଏୟାରେଓ୍ଵଜ୍‌ ଭଳି ଘରୋଇ କଂପାନି ଏୟାର ଇଣ୍ଡିଆକୁ କିଣିବା ପାଇଁ ଆଗ୍ରହ ଦେଖାଇଥିଲେ। କିନ୍ତୁ କେହି ଆନୁଷ୍ଠାନିକ ବିଡ୍‌ ଦାଖଲ କରିନଥିଲେ। କିଛି ବିଦେଶୀ କଂପାନି ମଧ୍ୟ ଏୟାର ଇଣ୍ଡିଆକୁ କିଣିବା ଦୌଡ଼ରେ ଥିଲେ। ୧୯୩୨ରେ ଏୟାର ଇଣ୍ଡିଆ ସ୍ଥାପନା କରାଯାଇଥିଲା। ଏକ ସମୟରେ ବିମାନ ଚଳାଚଳ  ବଜାରର ସିଂହ ଭାଗ ଏହାର କବ୍‌ଜାରେ ରହିଥିଲା। ଯାତ୍ରୀ ପରିବହନକାରୀ ବିମାନ କହିଲେ ଲୋକମାନେ ଏୟାର ଇଣ୍ଡିଆକୁ ହିଁ ବୁଝୁଥିଲେ। ଏହା ମହାରାଜା ନାମରେ ମଧ୍ୟ ପରିଚିତ। ଏୟାର ଇଣ୍ଡିଆର ୭୬% ଅଂଶଧନକୁ ବିକ୍ରି କରିବା ପାଇଁ ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟିରେ ନିଷ୍ପତ୍ତି ନିଆଯାଇଥିଲା। ଏୟାର ଇଣ୍ଡିଆକୁ ଯିଏ କିଣିବ ତାହାକୁ କଂପାନିର ଥିବା ୨୪,୫୭୬ କୋଟି ଟଙ୍କାର ଋଣ ଓ ୮୮୧୬ କୋଟି ଟଙ୍କାର ଚଳନ୍ତି ବକେୟାର ବୋଝ ମୁଣ୍ଡାଇବାକୁ ପଡ଼ିବ।

ଋଣ, କ୍ଷତି ସବୁଠୁ ବଡ଼ କାରଣ

ଏୟାର ଇଣ୍ଡିଆ ଉପରେ ରହିଛି ୪୮,୭୮୧ କୋଟି ଟଙ୍କାର ଋଣ ବୋଝ। ନିଲାମ ପାଇଁ ଏହା ହେଉଛି ଏୟାର ଇଣ୍ଡିଆର ସବୁଠୁ ବଡ଼ ଦୁର୍ବଳତା। କୌଣସି କଂପାନି ପାହାଡ଼ ଭଳି ଋଣର ବୋଝ ମୁଣ୍ଡାଇବାକୁ ଚାହୁାହାନ୍ତି। ଏହା ଜାଣିବା ପରେ ସରକାର କହିଥିଲେ ଯେ ଋଣର ଏକ ତୃତୀୟାଂଶକୁ ଏକ ସ୍ପେସିଆଲ୍‌ ପରପସ୍‌ ଭେହିକିଲ୍‌ (ଏସ୍‌ପିଭି)କୁ ସ୍ଥାନାନ୍ତର କରାଯିବ। ଯଦି ତାହା ହେବ ତେବେ ବି ଏୟାର ଇଣ୍ଡିଆକୁ କିଣିବାକୁ ଥିବା କଂପାନିକୁ ୩୩,୩୯୨ କୋଟି ଟଙ୍କାର ଋଣ ବୋଝ ମୁଣ୍ଡାଇବାକୁ ପଡ଼ିବ। ଋଣ ବୋଝ ଗୋଟିଏ ବଡ଼ କାରଣ ହୋଇଥିବା ବେଳେ ଅନ୍ୟ କାରଣଟି ହେଉଛି ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି କଂପାନି କ୍ଷତିରେ ଚାଲୁଛି। ଏୟାର ଇଣ୍ଡିଆର କ୍ରମବର୍ଦ୍ଧିଷ୍ଣୁ କ୍ଷତି ପରିମାର ୪୬,୮୦୫ କୋଟି ଟଙ୍କାରେ ପହଞ୍ଚିଗଲାଣି। ୨୦୧୬-୧୭ରେ କଂପାନିର ୫୭୬୫ କୋଟି ଟଙ୍କାର କ୍ଷତି ହୋଇଥିଲା। ଋଣ ଉପରେ ମୋଟା ଅଙ୍କର ସୁଧ ଗଣିବାକୁ ପଡୁଥିବାରୁ କଂପାନି ଅଧିକ କ୍ଷତି ସହୁଛି।

ଆଗକୁ କ’ଣ ହେବ?

ଏୟାର ଇଣ୍ଡିଆକୁ ନେଇ ଏକା ଚଲାଇବା ବହୁତ କଷ୍ଟକର। ତେଣୁ ଏଭଳି ନିବେଶକ ସନ୍ଧାନ କରିବାକୁ ହେବ ଯାହାର ପୁରୁଣା ବ୍ୟବସାୟ ସହିତ ଏୟାର ଇଣ୍ଡିଆ କାରବାରକୁ ଯୋଡ଼ାଯାଇପାରିବ। ସେଭଳି ହେଲେ ଏୟାର ଇଣ୍ଡିଆର ଭାଗ୍ୟ ବଦଳିପାରେ। ଅନ୍ୟଥା ଏୟାର ଇଣ୍ଡିଆର କିଛି ଅଂଶକୁ ବିକ୍ରି କରି ଋଣ ପରିଶୋଧ କରିବାକୁ ପଡ଼ିବ। ବଳକା ଋଣ ପାଇଁ ବ୍ୟାଙ୍କଗୁଡ଼ିକ ସହିତ ପୁନର୍ବାର କଥାବାର୍ତା କରିବାକୁ ହେବ। ଏହା ସତ୍ତ୍ୱେ ଯଦି କୌଣସି ଗ୍ରାହକ ନମିଳିଲେ ତେବେ ସରକାର ବାଧ୍ୟ ହୋଇ ଟିକସଦାତାଙ୍କ ଟଙ୍କାରେ ଏୟାର ଇଣ୍ଡିଆକୁ ବଞ୍ଚାଇ ରଖିବେ। ଅନ୍ୟଥା କଂପାନିକୁ ବନ୍ଦ କରିଦେବେ ଓ ଏହା ପାଖରେ ଥିବା ସବୁ ସମ୍ପତ୍ତିକୁ ବିକି ଦେବେ।

ସମ୍ବନ୍ଧିତ ଖବର