ଏୟାରସେଲ୍‌ ଦେବାଳିଆ!

ମୁମ୍ବାଇ: ମୋବାଇଲ୍‌ ସେବା ଯୋଗାଇ ଦେଉଥିବା କଂପାନି ଏୟାରସେଲ୍‌ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏୟାରସେଲ୍‌ ଏନେଇ ନ୍ୟାସନାଲ୍‌ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଛି। ଟ୍ରିବ୍ୟୁନାଲ୍‌ରେ କଂପାନି କରିଥିବା ଆବେଦନରେ ଜଣାଇଛି ଯେ କ୍ଷତି ପରିମାଣ ବଢ଼ିଚାଲିଛି। ଋଣ ସହଜରେ ମିଳୁନାହିଁ। କଂପାନିର ଭାବମୂର୍ତି ମଧ୍ୟ ପ୍ରଭାବିତ ହୋଇଛି। ଏକ ନୂତନ କଂପାନି ବଜାରରେ ପ୍ରବେଶ କରିବା ପରେ ଏୟାରସେଲ୍‌ ପାଇଁ କାରବାର କରିବା ଆଉ ସହଜ ହେଉନାହିଁ। ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ ୨୦୧୬ର ଧାରା ୧୦ ଅନୁଯାୟୀ ଏୟାରସେଲ୍‌ ନିଜକୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଛି। ନିଜର କାରବାରକୁ ବଞ୍ଚାଇବା ପାଇଁ ଏୟାରସେଲ୍‌ ସବୁ ପ୍ରକାର ବିକଳ୍ପ ସନ୍ଧାନ କରିଥିଲା। କିନ୍ତୁ କୌଣସି ଥିରେ ସଫଳତା ମିଳିନଥିଲା। ଅନ୍ୟ କଂପାନି ମିଶ୍ରଣ ପାଇଁ ମଧ୍ୟ ଏୟାରସେଲ୍‌ ଉଦ୍ୟମ କରି ବିଫଳ ହୋଇଥିଲା। କଂପାନି ଉପରେ ଯେଉଁ ଋଣ ରହିଛି ତାହାର ପୁନର୍ଗଠନ କରିବା ପାଇଁ ବ୍ୟାଙ୍କ ସହ କଥାବାର୍ତା କରାଯାଇଥିଲା କିନ୍ତୁ ବ୍ୟାଙ୍କ ସେଥିରେ ରାଜି ହୋଇନଥିଲେ। କଂପାନିର ଅଂଶଧନକାରୀମାନେ ମଧ୍ୟ ଆଉ ପାଣ୍ଠି ଦେବାକୁ ଚାହୁଁନାହାନ୍ତି। କଂପାନି ବନ୍ଦ ହେବାକୁ ଚାହୁଁନାହିଁ। ଏହା କେବଳ ବର୍ତ୍ତମାନର ଜଟିଳ ପରିସ୍ଥିତିରୁ ମୁକୁଳିବାକୁ ଚାହୁଁଛି ବୋଲି ଟ୍ରିବ୍ୟୁନାଲ୍‌ରେ କରିଥିବା ଆବେଦନରେ ଜଣାଇଛି।

ସମ୍ବନ୍ଧିତ ଖବର