ଭୁବନେଶ୍ୱର: ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟର ଫିଚର୍ ଫୋନ୍ ଜରିଆରେ ଆକୃଷ୍ଟ କରିବା ପାଇଁ ପ୍ରମୁଖ ମୋବାଇଲ୍ ସେବା ପ୍ରଦାନକାରୀ କଂପାନିଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଲାଗି ରହିଛି। ଏଥିରେ ସାମିଲ ହୋଇଛି ଏୟାରସେଲ୍। ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଏୟାରସେଲ୍ ୮୫୦ ଟଙ୍କିଆ ଫିଚର୍ ଫୋନ୍ ଆଣିଛି। ହ୍ୟାଣ୍ଡସେଟ୍ ନିର୍ମାତା ଲାଭା ସହିତ ମିଶି କଂପାନି ଏହି ଫୋନ୍ ଆଣିଛି ଯାହା କିଛି ଦିନ ଭିତରେ ବଜାରରେ ଉପଲବ୍ଧ ହେବ ବୋଲି ନୂତନ ଭାବେ ଓଡ଼ିଶାର ସର୍କଲ୍ର ମୁଖ୍ୟ ଭାବେ ଯୋଗ ଦେଇଥିବା ଭେଙ୍କଟେସନ୍ ଜେ କହିଛନ୍ତି। ସେ କହିଛନ୍ତି ଯେ ଗ୍ରାହକମାନଙ୍କୁ ଏହି ଫୋନ୍ ୧୦୦୩ ଟଙ୍କାରେ ମିଳିବ। ସେଥିରେ ୧୫୩ ଟଙ୍କା ହେଉଛି ରିଚାର୍ଜ ମୂଲ୍ୟ। ଫୋନ୍ ଜରିଆରେ ଗ୍ରାହକମାନେ ୨୮ ଦିନ ପାଇଁ ଅସୀମିତ କଲ୍ କରିପାରିବେ ଏବଂ ଦିନକୁ ୧୦୦ ଏସ୍ଏମ୍ଏସ୍ ମାଗଣାରେ ପଠାଇ ପାରିବେ। ଗ୍ରାହକମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ଫୋନ୍ରେ ରିଚାର୍ଜ ଜାରି ରଖିଲେ କଂପାନି ହ୍ୟାଣ୍ଡ୍ସେଟ୍ର ମୂଲ୍ୟ ଗ୍ରାହକମାନଙ୍କୁ ଫେରାଇ ଦେବ ବୋଲି ସେ କହିଛନ୍ତି। ଲାଭା କ୍ୟାପ୍ଟେନ୍ ଏନ୍୧ ନାମକ ଏହି ଫୋନ୍ ହେଉଛି ଏକ ଟୁଜି ଫିଚର୍ ଫୋନ୍।