ନାମର ବନାନ ଭୁଲ୍‌ ଥିଲେ ସଂଶୋଧନ କରିବା ପାଇଁ ଏୟାର୍‌ଲାଇନ ଅତିରିକ୍ତ ରାଶି ନେବ ନାହିଁ: ସରକାର

ନୂଆଦିଲ୍ଲୀ: ବେଳେ ବେଳେ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଟିକେଟ୍‌ରେ ସେମାନଙ୍କ ନାମର ବନାନ ଭୁଲ୍‌ ରହିଯାଇ ଥାଏ। ତାହାକୁ ସଂଶୋଧନ କରିବା ପାଇଁ ଯାତ୍ରୀମାନଙ୍କୁ ଦେୟ ଦେବାକୁ ପଡ଼ିଥାଏ। ଏଣିକି ଏୟାର୍‌ଲାଇନ୍‌ ଯାତ୍ରୀମାନେ ଆଉ ସେପରି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଯାତ୍ରୀମାନଙ୍କ ସୁବିଧାକୁ ଲକ୍ଷ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗଜପତି ରାଜୁ ଗୁରୁବାର ଏକ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ ଯାତ୍ରୀମାନଙ୍କ ଟିକେଟ୍‌ରେ ନାମର ବନାନ ଭୁଲ୍‌ ରହି ଯାଇଥିଲେ ତାହାକୁ ସଂଶୋଧନ କରିବା ପାଇଁ ଏୟାର୍‌ଲାଇନ୍‌ ଅତିରିକ୍ତ ଅର୍ଥ ଦାବି କରିପାରିବ ନାହିଁ।

 

ଏୟାର୍‌ଲାଇନ୍‌ ବିରୋଧରେ ଅନେକ ଯାତ୍ରୀ ଅଭିଯୋଗ କରିବା ପରେ ମନ୍ତ୍ରୀ ରାଜୁ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ସଂପର୍କରେ ମନ୍ତ୍ରୀ ଗଜପତି ରାଜୁ ନିଜ ଟୁଇଟର ପେଜ୍‌ରେ ଉଲ୍ଲେଖ କରିଛନ୍ତି। ସେ ଜଣାଇଛନ୍ତି କି ଅଧିକାଂଶ ଛୋଟ ସହରର ଲୋକେ ସେମାନଙ୍କ ଟିକେଟ୍‌ ଟ୍ରାଭେଲ୍‌ ଏଜେଣ୍ଟ ଜରିଆରେ କରାଇଥାନ୍ତି। ଏହି ଛୋଟ ଛୋଟ ଭୁଲ୍‌ ଏଜେଣ୍ଟମାନଙ୍କ ଦ୍ୱାରା ଘଟିଥାଏ। କେତେକ ଯାତ୍ରୀ ନିରକ୍ଷର ମଧ୍ୟ ହୋଇଥାନ୍ତି ବୋଲି ସେ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କେତେକ ବିଦେଶୀ ଏୟାର୍‌ଲାଇନ୍‌ ନାମ ସଂଶୋଧନ କରିବା ପାଇଁ ଗୁଡ଼ାଏ ଟଙ୍କା ଦାବି କରୁଥିବା ବେଳେ ଅନ୍ୟ କେତେକ ଏୟାର୍‌ଲାଇନ୍‌ ଏହାକୁ ପୁଣି ଥରେ ସଂଶୋଧନ କରିବା ପାଇଁ ଯାତ୍ରୀମାନଙ୍କୁ ୨୪ ଘଣ୍ଟା ସମୟ ଦେଇଥାନ୍ତି।

ସମ୍ବନ୍ଧିତ ଖବର