ଏୟାରଟେଲ ମଧ୍ୟ ଫେସବୁକଠାରୁ ତଥ୍ୟ ନେଉଥିଲା

ନୂଆଦିଲ୍ଲୀ : କେବଳ ବିଦେଶୀ କମ୍ପାନି ନୁହେଁ କେତେକ ଦେଶୀ କମ୍ପାନି ମଧ୍ୟ ଫେସବୁକଠାରୁ ଡାଟା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଏୟାରଟେଲ ଓ ରିଲାଏନ୍ସ ଜିଓର ସହଯୋଗୀ ମ୍ୟୁଜିକ ଆପ୍‌ ସାବନ । ଆମେରିକା କଂଗ୍ରେସକୁ ଫେସବୁକ ଦେଇଥିବା ତଥ୍ୟରୁ ଏକଥା ଜଣାପଡିଛି । ଏକ ଇଣ୍ଟଗ୍ରେସନ ପାର୍ଟନର ହିସାବରେ ଏୟାରଟେଲକୁ ତଥ୍ୟ ଦିଆଯାଉଥିଲା ବୋଲି ଫେସବୁକ କହିଛି । ତେବେ ଏୟାରଟେଲ ସହ ଏବେ କୌଣସି ଇଣ୍ଟିଗ୍ରେଟେଡ ପାର୍ଟନରସିପ ନାହିଁ ବୋଲି ଫେସବୁକ କହିଛି । ଏ ସଂପର୍କରେ ଏୟାରଟେଲ କହିଛି ଯେ ୨୦୧୦ରେ ଏକ ଆପ ଡେଭଲପର ହିସାବରେ ଫେସବୁକ ଡାଟା ଯୋଗାଉଥିଲା । କିନ୍ତୁ ଏବେ କମ୍ପାନି ଫେସବୁକ ସହ ସଂପୃକ୍ତ ନାହିଁ । ଏହି ସହଯୋଗିତା ୨୦୧୩ରେ ସମାପ୍ତ ହୋଇଯାଇଥିଲା । ସହଯୋଗିତା ସମାପ୍ତ ସହ ଏୟାରଟେଲ ଆଉ ଡାଟା ପାଉନାହିଁ ବୋଲି କମ୍ପାନି କହିଛି । ଗତ ମାସରେ ଜଣାପଡିଥିଲା ଯେ ଫେସବୁକ ପ୍ରାୟ ୬୦ଟି ମୋବାଇଲ ହାଣ୍ଡସେଟ ନିର୍ମାତା କମ୍ପାନିଙ୍କ ସହ ବୁଝାମଣା କରି ତଥ୍ୟ ଯୋଗାଉଥିଲା । ଏମାନଙ୍କ ମଧ୍ୟରେ ଅଛନ୍ତି ଆପଲ,ସାମସଙ୍ଗ, ବ୍ଲାକବେରୀ, ମାଇକ୍ରୋସଫ୍ଟ ଆଦି କମ୍ପାନି । ତାଲିକାରେ ମଧ୍ୟ କେତେକ ଚାଇନିଜ କମ୍ପାନି ଥିଲେ । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଜଣାପଡିଥିଲା ଯେ ଫେସବୁକ ବେଆଇନ ଭାବେ ଲୋକମାନଙ୍କ ବ୍ୟକ୍ତିଗତ ଡାଟା କେମ୍ବି୍ରଜ ଆନାଲିଟିକା ନାମକ କମ୍ପାନିକୁ ପ୍ରଦାନ କରିଥିଲା । ଏହି ତଥ୍ୟ ବ୍ୟବହାର କରି ଆନାଲିଟିକା କେତେକ ଦେଶରେ ନିର୍ବାଚନକୁ ପ୍ରଭାବିତ କରିଥିଲା । କେମ୍ବି୍ରଜ ଆନାଲିଟିକା ପ୍ରାୟ ୫ କୋଟି ଫେସବୁକ ଆକାଉଣ୍ଟରୁ ତଥ୍ୟ ଚୋରୀ କରି ତାହାକୁ ରାଜନୈତିକ ପ୍ରଭାବ ପକାଇବା କାମରେ ବ୍ୟବହାର କରିଥିଲା । ଏହାକୁ ନେଇ ସାରା ବିଶ୍ୱରେ ଚହଳ ପଡିଯାଇଥିଲା ।

ସମ୍ବନ୍ଧିତ ଖବର