ଏୟାରଟେଲ, ରିଲାଏନ୍ସ ଜିଓ ଓ ଭୋଡାଫୋନ୍‌ ଲଞ୍ଚ କଲା ନୂତନ ପ୍ଲାନ୍‌, ଜାଣନ୍ତୁ କେଉଁଥିରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: ଏୟାରଟେଲ ନିକଟରେ ଏକ ନୂଆ ଯୋଜନା ଲଞ୍ଚ କରିଛି । ଏହି ଯୋଜନା ଜରିଆରେ ଗ୍ରାହକଙ୍କୁ ୪୯ ଟଙ୍କାରେ ୩ ଜିବି ଡାଟା ସୁବିଧା ଉପଲବ୍ଧ କରାଉଛି କମ୍ପାନି। ସୂଚନା ଅନୁସାରେ ଏହି ଯୋଜନାର ବୈଧତା ମାତ୍ର ୧ ଦିନ । ଏହା ଏକ ପ୍ରିପେଡ଼୍‌ ଯୋଜନା । ପୋଷ୍ଟପେଡ଼୍‌ ଗ୍ରାହକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହି ଅଫର ସବୁ ଗ୍ରାହକଙ୍କ ପାଇଁ ନୁହେଁ ବୋଲି କମ୍ପାନି ସ୍ପଷ୍ଟ କରିଛି । ତେବେ ଏହି ଅଫର ବିଷୟରେ ଅଧିକ ଜାଣିବା ପାଇଁ ଗ୍ରାହକଙ୍କୁ ଏହାରଟେଲ ଆପ ଭିଜିଟ୍‌ କରିବା ପାଇଁ ପଡ଼ିବ ।

ଏୟାରଟେଲର ଏହି ଯୋଜନା ଅନୁସାରେ ଗ୍ରାହକ କେବଳ ଡାଟା ବ୍ୟବହାର କରିପାରିବେ କିନ୍ତୁ ଏଥିରେ ଭଏସ୍‌ କଲିଂ ସୁବିଧା ନାହିଁ । ୪୯ ଟଙ୍କିଆ ଯୋଜନା ଅନୁସାରେ ଅନ୍ୟ ଗ୍ରାହକଙ୍କୁ କେବଳ ୧ ଜିବି ଡାଟା ମିଳିବ । ତେବେ ଏହି ଯୋଜନାକୁ ପରିବର୍ତ୍ତନ କରାଯାଇ ୩ ଜିବି ଡାଟା ଉପଲବ୍ଧ କରାଯାଉଛି । ଏହି ପ୍ୟାକର ଖାସ କଥା ହେଲା ଏଥିରେ ୪ଜି/୩ଜି ଡାଟା ଉପଲବ୍ଧ କରାଯାଉଛି ।

ତେବେ ରିଲାଏନ୍ସ ଜିଓ ବି ୫୨ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଏହାର ବୈଧତା ୭ଦିନ ପର୍ଯ୍ୟନ୍ତ ରହିଛି। ଏହି ଅଫର ଜରିଆରେ ଗ୍ରାହକ ୧.୦୫ଜିବି ୪ଜି ଡାଟା ବ୍ୟବହାର କରି ପାରିବେ। ଅର୍ଥାତ୍‌ ପ୍ରତିଦିନ ୦.୧୫ଜିବି ହାଇ ସ୍ପିଡ ଡାଟାର ଫାଇଦା ଉଠାଇବେ ଗ୍ରାହକ। ଏହାପରେ ୬୪କେବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ବ୍ୟବହାର କରି ପାରିବେ। ୫୨ଟଙ୍କା ପ୍ଲାନ୍‌ରେ ଗ୍ରାହକ ଅସୀମିତ ଭଏସ୍‌ କଲ, ୭୦ ଏସ୍‌ଏମ୍‌ଏସ୍‌ ସହିତ ଜିଓ ତରଫରୁ ସମସ୍ତ ଆପ୍‌କୁ ମାଗଣାରେ ବ୍ୟବହାର କରି ପାରିବେ।

ସେହିପରି ଭୋଡାଫୋନ୍‌ ୨୫୫ଟଙ୍କାର ନୂତନ ପ୍ଲାନ୍‌ ଲଞ୍ଚ କରିଛି। ଏହାର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି। ଏଥିରେ ଗ୍ରାହକ ୨ଜିବି ହାଇସ୍ପିଡ ଡାଟା ବ୍ୟବହାର କରି ପାରିବେ।

ସମ୍ବନ୍ଧିତ ଖବର