ଅଜୟ ପାଣ୍ଡେ ନୂଆ ରାଜସ୍ବ ସଚିବ

ନୂଆଦିଲ୍ଲୀ: ଦେଶରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଅଢ଼େଇ ମାସରୁ କମ୍ ସମୟ ଥିବାବେଳେ କେନ୍ଦ୍ର ସରକାର ଅର୍ଥ ମନ୍ତ୍ରାଳୟରେ ବଡ଼ ଧରଣର ନିଯୁକ୍ତି ଘୋଷଣା କରିଛନ୍ତି। ଅର୍ଥ ସଚିବ ହସମୁଖ ଅଧିଆ ଆସନ୍ତା ୩୦ ତାରିଖରେ ଅବସର ନେବେ। ସେ ରାଜସ୍ବ ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେଣୁ ଶ୍ରୀ ଅଧିଆଙ୍କ ସ୍ଥାନରେ ରାଜସ୍ବ ସଚିବ ଭାବେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ସିଇଓ ତଥା ଜିଏସ୍‌ଟିଏନ୍‌ ଅଧ୍ୟକ୍ଷ ଅଜୟ ଭୂଷଣ ପାଣ୍ଡେ ନିଯୁକ୍ତ ହେବେ। ସେ ୧୯୮୪ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇଏଏସ ଅଧିକାରୀ। ଅନ୍ୟାଦେଶ ପର୍ଯ୍ୟନ୍ତ ସେ ୟୁଆଇଡିଏଆଇର ସିଇଓ ଓ ଜିଏସଟିଏନ ଅଧ୍ୟକ୍ଷ କାର୍ଯ୍ୟ ମଧ୍ୟ ତୁଲାଇବେ। ଏବେ ବ୍ୟୟ ସଚିବ ଥିବା ଅଜୟ ନାରାୟଣ ଝା ଆସନ୍ତାବର୍ଷ ଜାନୁଆରି ୩୧ରେ ଅବସର ନେବେ। ତାଙ୍କ ସ୍ଥାନରେ ୧୯୮୫ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ନୂଆ ବ୍ୟୟ ସଚିବ ହେବେ।

ସମ୍ବନ୍ଧିତ ଖବର