କମ୍ପାନିରୁ ଅବସର ନେବେ ଚୀନ୍‌ର ସବୁଠୁ ଧନୀଲୋକ ଆଲିବାବାର ଜ୍ୟାକ୍‌ ମା’

ହଙ୍ଗ୍‌ କଙ୍ଗ୍‌: ଆଲିବାବାର ସହ-ସଂସ୍ଥାପକ ଏବଂ ନିର୍ବାହୀ ଅଧ୍ୟକ୍ଷ ଜ୍ୟାକ୍‌ ମା’ କହିଛନ୍ତି କି, ସୋମବାର ଦିନ ସେ ଚୀନ୍‌ର ବିଶାଳ ଇ-କମର୍ସ କମ୍ପାନିରୁ ଇସ୍ତଫା ଦେବାକୁ ଯୋଜନା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଲୋକୋପକାର ନିମନ୍ତେ ସେ ୪୨୦ ବିଲିୟନ୍‌ ଡଲାରର ଇଣ୍ଟର୍‌ନେଟ୍‌ କମ୍ପାନି ଛାଡୁଛନ୍ତି।

ପୂର୍ବତନ ଇଂରାଜି ଶିକ୍ଷକ, ମା’ ୧୯୯୯ରେ ଆଲିବାବା ଆରମ୍ଭ କରି ଏହାକୁ ବିଶ୍ୱର ଅନ୍ୟତମ ଅଗ୍ରଣୀ ଇ-କମର୍ସ ଏବଂ ଡିଜିଟାଲ୍‌ ପେମେଣ୍ଟ୍‌ କମ୍ପାନି କରାଇ ପାରିଥିଲେ। ଏହାଦ୍ୱାରା ସେ ୪୦ ବିଲିୟନ୍‌ ଡଲାର ଉପାର୍ଜନ କରି ଚୀନ୍‌ର ସବୁଠୁ ଧନାଢ଼୍ୟ ବ୍ୟକ୍ତି ହୋଇ ପାରିଥିଲେ। ଅନେକ ଚୀନ୍‌ବାସୀ ତାଙ୍କ ଫଟୋ ଘରେ ରଖି ଧନଦେବତାଙ୍କୁ ପୂଜିବା ପରି ପୂଜନ୍ତି।

ଏକ ସାକ୍ଷାତ୍‌କାରରେ ମା’ କହିଛନ୍ତି ଯେ ତାଙ୍କ ଅବସର ଗ୍ରହଣ ଗୋଟିଏ ଯୁଗର ସମାପ୍ତି ନୁହେଁ ଗୋଟିଏ ଯୁଗର ଆରମ୍ଭ। ଶିକ୍ଷା କ୍ଷେତ୍ରରେ ସେ ଏବେ ତାଙ୍କର ସମୟ ଓ ଧନ ବ୍ୟୟ କରିବେ। ସେ କହନ୍ତି: ଶିକ୍ଷାକୁ ମୁଁ ସୁଖପାଏ।

କିନ୍ତୁ, ଆଲିବାବାର ବୋର୍ଡ ଅଫ୍‌ ଡାଇରେକ୍ଟର୍‌ଙ୍କ ମଧ୍ୟରେ ରହି ମା’ କମ୍ପାନିର ପରିଚାଳନାକୁ ଦିଗ୍‌ଦର୍ଶନ ଦେବେ। ସୋମବାର ଦିନ ମା’ ୫୪ ବର୍ଷରେ ପଦାର୍ପଣ କରିବେ। ସେ ଦିନ ‘ଗୁରୁ ଦିବସ’ ଯୋଗୁଁ ଚୀନ୍‌ରେ ଛୁଟି ପାଳନ କରାଯାଏ।

ସମ୍ବନ୍ଧିତ ଖବର