ନଭେମ୍ବରରେ ଏସବୁ ମହଙ୍ଗା ହେବ

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ନଭେମ୍ବରରେ ପକେଟ୍‌ ଅଧିକ ଫାଙ୍କା କରିବାକୁ ପଡ଼ିବ। କାରଣ ଆସନ୍ତା ମାସଠାରୁ ବହୁତ କିଛି ମହଙ୍ଗା ହୋଇଯିବ। ଟିଭି, ଫ୍ରିଜ, ଓ୍ଵାସିଂ ମେସିନ୍‌, ବିମାନରେ ଯାତ୍ରା କରିବା, ଖାଇବା ସାମଗ୍ରୀ ଏବଂ ପେଟ୍ରୋଲ୍‌, ଡିଜେଲ ଆଦି ମହଙ୍ଗା ହେବ ବୋଲି ଏବେଠାରୁ ଆକଳନ କରାଯାଉଛି। କେତେକ ସାମଗ୍ରୀର ଉତ୍ପାଦନ ଖର୍ଚ ବଢ଼ିଯାଇଥିବାରୁ ସେଗୁଡ଼ିକର ଦର ବଢ଼ିବ। ଜିଏସ୍‌ଟି ପାଇଁ ମଧ୍ୟ କେତେକ ସେବା ମହଙ୍ଗା ହେବ। ନଭେମ୍ବରରୁ କ’ଣ ସବୁ ମହଙ୍ଗା ହେବ ଏଠାରେ ବିସ୍ତତ ଭାବେ ବର୍ଣ୍ଣନା କରାଯାଇଛି:
ଟିଭି, ଫ୍ରିଜ୍‌ ଭଳି ସାମଗ୍ରୀ
ଟିଭି, ଫ୍ରିଜ୍‌, େଓ୍ଵସିଂ ମେସିନ୍‌, ଏସି ଭଳି ସାମଗ୍ରୀ ଉତ୍ପାଦନ କରିବା ଖର୍ଚ ବଢ଼ିଯାଇଛି। ସେଥିପାଇଁ ନଭେମ୍ବରଠାରୁ ଏହି ସବୁ ସାମଗ୍ରୀଗୁଡ଼ିକର ଦର ୩-୫% ପର୍ଯ୍ୟନ୍ତ ବଢ଼ିବ ବୋଲି ଆକଳନ କରାଯାଇଛି। ଶେଷ ଥର ପାଇଁ ଏହି ସବୁ ସାମଗ୍ରୀର ଦର ଚଳିତ ବର୍ଷ ଜାନୁଆରିରେ ବଢ଼ିଥିଲା। ଏହାପରଠାରୁ ଉତ୍ପାଦନ ଖର୍ଚରେ ୩୦-୫୦% ଭଳି ବୃଦ୍ଧି ହୋଇସାରିଲାଣି। ଖର୍ଚର ବୋଝକୁ କମ୍‌ କରିବା ପାଇଁ କଂପାନିଗୁଡ଼ିକର ସାମଗ୍ରୀ ଦର ବଢ଼ାଇବାକୁ ବାଧ୍ୟ ହେବେ। ଜାନୁଆରି ପରଠାରୁ ଇସ୍ପାତ ଦର ୪୦% ବଢ଼ିଥିବା ବେଳେ ତମ୍ବା ମୂଲ୍ୟ ୫୦% ବଢ଼ିଛି। ଫ୍ରିଜ୍‌ ଉତ୍ପାଦନରେ ବ୍ୟବହାର ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ରସାୟନିକ ପଦାର୍ଥ ଏମ୍‌ଡିଆଇର ବିଶ୍ୱ ସ୍ତରରେ ଅଭାବ ଦେଖାଦେଇଛି। ସେଥିପାଇଁ ତାହାର ମୂଲ୍ୟ ଦୁଇ ଗୁଣା ବଢ଼ିଯାଇଛି। ଏହି ସବୁ କାରଣ ଯୋଗୁଁ ହୋମ୍‌ ଆପ୍ଲାଏନ୍‌ସଗୁଡ଼ିକର ମହଙ୍ଗା ହେବ।
ରେସ୍ତୋରାଁରେ ଖାଇବା
ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ (ଏନ୍‌ଆର୍‌ଏଆଇ) ପକ୍ଷରୁ କୁହାଯାଇଛି ଯେ ଯଦି ଇନ୍‌ପୁଟ୍‌ କ୍ରେଡିଟ୍‌ ଦାବି ବିନା ସରକାର ଏସି ରେସ୍ତୋରାଁ ଉପରେ ଜିଏସ୍‌ଟି ହାର ୧୮%ରୁ ୧୨%କୁ କମ୍‌ କରିବେ ତେବେ ରେସ୍ତୋରାଁରେ ଖାଇବା ମହଙ୍ଗା ହେବ। ଏବେ ଏସି ରେସ୍ତୋରାଁଗୁଡ଼ିକ ୧୮% ଜିଏସ୍‌ଟି ପ୍ରଦାନ କରୁଛନ୍ତି। ପ୍ରକ୍ରିୟାକରଣ ଖାଦ୍ୟଠାରୁ ଆରମ୍ଭ କରି ଭଡ଼ା, ବିଦ୍ୟୁତ ଏବଂ ପରିବହନ ସୁବିଧା ଆଦି ଉପରେ ସେମାନେ ଟିକସ ଗଣୁଛନ୍ତି। ଯେଉଁ ସବୁ ବ୍ୟବସ୍ଥା ପାଇଁ ସେମାନେ ୧୮% ଜିଏସ୍‌ଟି ଦେଇଛନ୍ତି, ତାହା ଉପରେ ସେମାନେ ଇନ୍‌ପୁଟ୍‌ କ୍ରେଡିଟ୍‌ ଦାବି କରୁଛନ୍ତି। ଇନ୍‌୍‌ପୁଟ୍‌ କ୍ରେଡିଟ୍‌ ନପାଇଲେ ରେସ୍ତୋରାଁଗୁଡ଼ିକର ପରିଚାଳନା ଖର୍ଚ ୭-୧୦% ବଢ଼ିଯିବ ବୋଲି ଆକଳନ କରାଯାଉଛି। ଜିଏସ୍‌ଟି କମ୍‌ ହେବା ଖବର ଶୁଣିବା ପରେ ନେଇ ଏସି ରେସ୍ତୋରାଁଗୁଡ଼ିକ ଖୁସି ହେବ ନା ଦୁଃଖ ପ୍ରକାଶ କରିବେ ବୁଝି ପାରୁନାହାନ୍ତି।
ବିମାନ ଯାତ୍ରା
ବିମାନରେ ବ୍ୟବହାର ହେଉଥିବା ଇନ୍ଧନ ଏଟିଏଫ୍‌ର ମୂଲ୍ୟ ଅଗଷ୍ଟ ପରଠାରୁ ବଢ଼ିଚାଲିଛି। ଏହି ଖର୍ଚର ପ୍ରଭାବକୁ କମ୍‌ କରିବା ପାଇଁ ବିମାନ କଂପାନିଗୁଡ଼ିକ ଟିକଟ ମୂଲ୍ୟରେ ୧୦-୧୫% ଭଳି ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ଥିବା ଭଳି ଦୁର୍ବଳ ମୁହୁର୍ତରେ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କଂପାନିଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। ଆସନ୍ତା ମାସରୁ ବିମାନ କଂପାନିଗୁଡ଼ିକର ଟିକଟ ମୂଲ୍ୟ ବଢ଼ାଇ ପାରନ୍ତି। ଅଶୋଧିତ ତେଲ ଦର ବହୁତ ଦିନ ପର୍ଯ୍ୟନ୍ତ ନିମ୍ନ ସ୍ତରରେ ରହିବା ଯୋଗୁଁ କଂପାନିଗୁଡ଼ିକ ଟିକଟ ମୂଲ୍ୟ କମ୍‌ କରିବାର ସୁଯୋଗ ପାଇଥିଲେ।
ପେଟ୍ରୋଲ୍‌, ଡିଜେଲ୍‌
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୬୦ ଡଲାର ପାଖାପାଖି ପହଞ୍ଚିଗଲାଣି। ଯଦି ଦରବୃଦ୍ଧିର ଏହି ଧାରା ଆନ୍ତର୍ଜାତିକ ବଜାରରେ ଲାଗି ରହିବ ତେବେ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌, ଡିଜେଲର ଖୁଚୁରା ଦର ବଢ଼ିବ। ଅଗଷ୍ଟ ପରଠାରୁ ଦେଶବାସୀ ଏହି ଦୁଇ ପ୍ରକାର ଇନ୍ଧନ ପାଇଁ ଅଧିକ ଟଙ୍କା ଗଣୁଛନ୍ତି। ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି ଅକ୍ଟୋବର ୩ରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ୨ ଟଙ୍କା ହ୍ରାସ କରିଥିଲେ।

ସମ୍ବନ୍ଧିତ ଖବର