୨୬ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଚେନ୍ନାଇ: ଆସନ୍ତା ୨୬ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ କରିବେ। ବ୍ୟାଙ୍କ ମିଶ୍ରଣକୁ ବିରୋଧ ସହିତ ବେତନ ସଂଶୋଧନ ଦାବିରେ ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ୟୁଏଫବିୟୁ ଅଧୀନରେ ବ୍ୟାଙ୍କ ଶିଳ୍ପର ୯ଟି ସଂଘ ରହିଛି। ଏହି ସଂଘ ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରୁଛି। ମିଶ୍ରଣ ଏକ ସମାଧାନ ନୁହେଁ। ସରକାରଙ୍କର ଏହା ଏକପାଖିଆ ନିଷ୍ପତ୍ତି ବୋଲି କୁହାଯାଇଛି। ବ୍ୟାଙ୍କର ଅଂଶଧନଧାରୀ, କର୍ମଚାରୀ ଭଳି ଅନ୍ୟ ଅଂଶୀଦାରଙ୍କ ମତାମତ ମିଶ୍ରଣ ପାଇଁ ନିଆଯାଇନାହିଁ ‌ବୋଲି ଏନ୍‌ଓବିଡବ୍ଲ୍ୟୁ (ନ୍ୟାସନାଲ ଅର୍ଗାନାଇଜେସନ ଅଫ୍ ବ୍ୟାଙ୍କ ୱାର୍କର୍ସ) ଉପସଭାପତି ଅଶ୍ବିନୀ ରାଣା କହିଛନ୍ତି। ସେହିଭଳି ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ୨୫ ପ୍ରତିଶତ ବେତନ ବୃଦ୍ଧି ଦାବି କରୁଛନ୍ତି। ଦଶମ ଦ୍ବିପାକ୍ଷିକ ରାଜିମାନାରେ ୧୫% ବେତନ ବୃଦ୍ଧି କରାଯାଇଥିଲା। ଏହି ରାଜିନାମାର ଅବଧି ୨୦୧୭ ଅକ୍ଟୋବର ୩୦ରେ ଶେଷ ହୋଇଯାଇଛି। ‌ତେଣୁ ଏକାଦଶ ଦ୍ବିପାକ୍ଷିକ ରାଜିନାମା ଅନୁଯାୟୀ ୨୦୧୭ ନଭେମ୍ବରରୁ ବ୍ୟାଙ୍କ କର୍ମଚାରୀମାନେ ସଂଶୋଧିତ ହାରରେ ବେତନ ପାଇବାକୁ ହକଦାର ବୋଲି ଶ୍ରୀ ରାଣା କହିଛନ୍ତି। ଡିସେମ୍ବର ୨୫ ବଡ଼ଦିନ ଛୁଟି ଥିବାରୁ ୨୬ ତାରିଖର ଧର୍ମଘଟ ଫଳରେ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ।

ସମ୍ବନ୍ଧିତ ଖବର