ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ସବୁ ଗାଁରେ ପହଞ୍ଚିଲା ବିଜୁଳି

ମୁମ୍ବାଇ : ଭାରତରେ ସବୁ ଗାଁର ବିଦ୍ୟୁତ୍‌କରଣ ପ୍ରକ୍ରିୟା ଶେଷ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟର ୧୨ ଦିନ ପୂର୍ବରୁ ଏହି ସଫଳତା ମିଳିଛି। ୨୦୧୫ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ୧୦୦୦ ଦିନ ଭିତରେ ସବୁ ଗାଁର ବିଦ୍ୟୁତ୍‌କରଣ ଶେଷ ହେବ।

୨୦୧୪ରେ ଦେଶରେ ଏଭଳି ୧୮,୪୫୨ଟି ଗାଁ ଥିଲା ଯେଉଁଠାରେ ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ବିଦ୍ୟୁତ ଶକ୍ତି ପହଞ୍ଚି ପାରିନଥିଲା। ସେହି ସବୁ ଗାଁଗୁଡ଼ିକର ବିଦ୍ୟୁତ୍‌କରଣ ଶେଷ ହୋଇଛି। ଜନଗଣନା ଅନୁଯାୟୀ, ଭାରତରେ ୫,୯୭,୪୬୪ଟି ଗାଁ ରହିଛି। ଏହି ସବୁ ଗାଁକୁ ଗ୍ରିଡ୍‌ ସହିତ ସଂଯୋଗ କରାଯାଇଛି।

ସରକାରୀ ନିୟମ ଅନୁସାରେ, ଯେଉଁଠାରେ ମୌଳିକ ବିଦ୍ୟୁତ ଭିତ୍ତିଭୂମି ସୁବିଧା ଥିବ ଓ ଗାଁର ୧୦% ପରିବାର ସମେତ ସ୍କୁଲ, ସ୍ଥାନୀୟ ପ୍ରଶାସନ  କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ଶକ୍ତି ପହଞ୍ଚିଥିବ ସେହି ଗାଁଗୁଡ଼ିକର ବିଦ୍ୟୁତ୍‌କରଣ ହୋଇଗଲା ବୋଲି ଧରି ନିଆଯିବ।

ରବିବାର ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟର୍‌ରେ ଘୋଷଣା କରିଛନ୍ତି ଯେ ଏପ୍ରିଲ୍‌ ୨୮ ହେଉଛି ଏକ ଐତିହାସିକ ଦିନ। ଏହି ଦିନରେ ଦେଶର ଶେଷ ଗାଁ ଭାବେ ମଣିପୁରର ଲେଇସଙ୍ଗ୍‌ ଗାଁକୁ ଗ୍ରିଡ୍‌ ସହିତ ସଂଯୋଗ କରାଯାଇଛି। ଭାରତର ସମ୍ପୂର୍ଣ୍ଣ ବିଦ୍ୟୁତ୍‌କରଣ ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଥିବା ସମସ୍ତ ଅଧିକାରୀ, ଷ୍ଟାଫ୍‌ ଓ ସହଯୋଗୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକାର ଟୁଇଟ୍‌ କରି ଜଣାଇଛନ୍ତି ଯେ,  ଆମେ ଆମର ପ୍ରତିଶ୍ରୁତି ପାଳନ କରିଛୁ ଯାହା ଦ୍ୱାରା ଅନେକ ଭାରତୀୟଙ୍କ ଜୀବନ ସବୁ ଦିନ ପାଇଁ ବଦଳିଯିବ।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସୋସିଆଲ୍‌ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି। ସରକାରଙ୍କ ଏହି ଦାବିକୁ ଲୋକମାନେ ମଧ୍ୟ ଗ୍ରହଣ କରିପାରୁନାହାନ୍ତି। ଟ୍ଵିଟର୍‌ରେ ଅନେକ ଲୋକ ଲେଖିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନଙ୍କ ଗାଁରେ ବିଦ୍ୟୁତ ଶକ୍ତି ପହଞ୍ଚି ନାହିଁ। ଦିଲ୍ଲୀପ ଗୁପ୍ତା ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଉତ୍ତର ପ୍ରଦେଶର ଉତ୍ତର ପାର୍ଶ୍ୱରେ ମୋ ଗାଁ ରହିଛି। ସେଠାରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ପହଞ୍ଚିନି।

ଗାଁ ଗୁଡ଼ିକର ବିଦ୍ୟୁତ୍‌କରଣ କରିବା ପାଇଁ ସରକାର ଦିନ୍‌ ଦୟାଲ୍‌ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଘୋଷଣା କରିଥିଲେ। ଯେତେବେଳେ ଜାଣିଲେ ଯେ କେବଳ ଭିତ୍ତିଭୂମି ଯୋଗାଇ ଦେଲେ ସବୁ ଗରିବ ଲୋକଙ୍କ ଘର ଆଲୋକିତ ହୋଇପାରିବ ନାହିଁ ସେତେବେଳେ ପ୍ରଧାନମନ୍ତ୍ରୀ ସହଜ ବିଜ୍‌ଲି ହର୍‌ ଘର ଯୋଜନା ବା ସୌଭାଗ୍ୟ ଯୋଜନା ଘୋଷଣା କରିଥିଲେ।

୯୭% ଗାଁର ବିଦ୍ୟୁତ୍‌କରଣ ଆମେ କରିଛୁ: କଂଗ୍ରେସ

ନୂଆଦିଲ୍ଲୀ : ବିଜେପିର ଦାବିକୁ ସହଜରେ ଗ୍ରହଣ କରିପାରିନାହିଁ ବିରୋଧୀ ଦଳ କଂଗ୍ରେସ। କଂଗ୍ରେସର ପ୍ରବକ୍ତା ରଣଦୀପ ସିଂହ ସୁର୍‌ଜେଓ୍ଵାଲା କହିଛନ୍ତି ଯେ, କଂଗ୍ରେସ ଦେଶର ୯୭% ଗାଁର ବିଦ୍ୟୁତ୍‌କରଣ କରିଛି। ଉପା ସରକାରଙ୍କ ଅମଳରେ ୨୦୦୪-୨୦୧୪ ଭିତରେ ୧,୦୭,୬୦୦ଟି ଗାଁର ବିଦ୍ୟୁତ୍‌କରଣ ହୋଇଥିଲା। ୬୦ ବର୍ଷ ଭିତରେ କଂଗ୍ରେସ ବର୍ଷକୁ ହାରାହାରି ୧୦ ହଜାର ଗାଁର ବିଦ୍ୟୁତ୍‌କରଣ କରିଥିଲା। କିନ୍ତୁ ୧୮,୪୫୨ଟି ଗାଁର ବିଦ୍ୟୁତ୍‌କରଣ କରିବା ପାଇଁ ମୋଦି ସରକାର ୪୮ ମାସ ସମୟ ନେଇଛି। ବିଜେପି ସରକାର ବର୍ଷକୁ ହାରାହାରି ୪୮୧୩ଟି ଗାଁର ବିଦ୍ୟୁତ୍‌କରଣ କରିପାରିଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ କରିଥିବା କାମର ମିଥ୍ୟା ବାହାବା ବିଜେପି ନେଉଛି ବୋଲି ସେ ଟ୍ଵିଟର୍‌ରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର